ବ୍ରହ୍ମପୁର: ସିବିଆଇ ଅଫିସର କହି କୋଟିଏ ଟଙ୍କାର ସୁନା ଲୁଟ କରିଛନ୍ତି ଦୁର୍ବୁତ୍ତ । ଏହି ଘଟଣାରେ ୩ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଛି ବ୍ରହ୍ମପୁର ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ୧୪ ଲକ୍ଷ ୮୦ ହଜାର ଟଙ୍କାର ସୁନା ଅଳଙ୍କାର ମଧ୍ୟ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ରାଜସ୍ଥାନ ବାଲୋତ୍ରାର ନରେନ୍ଦ୍ର କୁମାର ଓରଫ ପ୍ରଜାପତି (୨୪), ପୁନମ ଚାନ୍ଦ (୫୫) ଓ ପାଲି ଅଞ୍ଚଳର ଜିତୁ ଚୌଧୁରୀ(୨୮) ।
ଏହି ମାମଲାରେ ଆହୁରି ୫ ଜଣ ଅଭିଯୁକ୍ତ ଫେରାର ଅଛନ୍ତି ବୋଲି ଜିଆରପି ଏସଡିଆରପିଓ ଜଗନ୍ନାଥ ମାଲିକ ଏକ ସାମ୍ବାଦିକ ସମ୍ମିଳନୀର ସୂଚନା ଦେଇଛନ୍ତି । ଘଟଣାର ଅଧିକ ତଦନ୍ତ ଚାଲୁଥିବା ସେ କହିଛନ୍ତି ।
ଗତ ଫେବୃଆରୀ ମାସ ୨୫ ତାରିଖ ରାତି ପ୍ରାୟ ସାଢ଼େ ୯ଟା ବେଳେ ବିଶାଖାପାଟଣାର ସୁନା ବ୍ୟବସାୟୀ ହସମୁଖ ଜୈନ ଏବଂ ତାଙ୍କର ଜଣେ ସହଯୋଗୀ କୋଣାର୍କ ଏକ୍ସପ୍ରେସରୁ ବ୍ରହ୍ମପୁର ଷ୍ଟେସନରେ ଓହ୍ଲାଇଥିଲେ । ବାଇକ୍ ପାର୍କିଂ ନିକଟକୁ ଯାଉଥିବା ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ନିଜକୁ ସିବିଆଇ ଅଫିସର ପରିଚୟ ଦେଇ ସେମାନଙ୍କୁ ଅଟକାଇଥିଲେ । ହସମୁଖଙ୍କ ବ୍ୟାଗ୍ ଯାଞ୍ଚ କରିବା ବାହାନାରେ ସେମାନେ ବଳପୂର୍ବକ ୩୩ ପ୍ରକାରର ସୁନା ଅଳଙ୍କାର ଓଜନ ପ୍ରାୟ ୮୬୨ ଗ୍ରାମ, ଦୁଇଟି ମୋବାଇଲ୍ ଫୋନ୍ ଏବଂ ଜରୁରୀ କାଗଜପତ୍ର ଥିବା ବ୍ୟାଗଟିକୁ ଲୁଟି ନେଇ ଫେରାର ହୋଇଯାଇଥିଲେ ।
ସେପଟେ ଏଭଳି କାରନାମାକୁ ସ୍ୱୀକାର କରିଛି ଅଭିଯୁକ୍ତ । ପ୍ରଥମ ଥର ପାଇଁ ଏଭଳି କାମ କରିଛି ବୋଲି ଅଭିଯୁକ୍ତ କହିଛି । ଲୁଟେରା ଗ୍ୟାଙ୍ଗ ୪ ଲକ୍ଷ ଟଙ୍କା ଦେବାକୁ କହିଥିବାରୁ ଏମିତି ଅପରାଧ କରିଥିବା କହିଛି ।