Latest Odisha News

BREAKING NEWS

ଜରପଡ଼ା ପତିତପାବନ ଡିଗ୍ରୀ କଲେଜରେ ଅଧ୍ୟାପକଙ୍କ ଜାଲ ସାର୍ଟିଫିକେଟ୍

ଅନୁଗୁଳ: ଜରପଡ଼ା ପତିତ ପାବନ ଡିଗ୍ରୀ ମହାବିଦ୍ୟାଳୟର ଅର୍ଥନୀତି ଅଧ୍ୟାପକ ବିକାଶ ଚନ୍ଦ୍ର ମିଶ୍ର ଜାଲ ପ୍ରମାଣପତ୍ର ଦେଇ ଚାକିରି କରିଥିଲେ । ସେ ତାଙ୍କ ପିଜି ମାର୍କସିଟର ଦୁଇଟି ବିଷୟରେ ଜାଲିଆତି କରି ଚାକିରି କରିଥିବା କଥା ଜଣାପଡ଼ିବା ପରେ ବିକାଶ ଚନ୍ଦ୍ର ମିଶ୍ରଙ୍କ ବିରୋଧରେ ତଦନ୍ତ ଆରମ୍ଭ ହୋଇଛି ।

ଅଧ୍ୟାପକଙ୍କ ବିରୋଧରେ ଥାନାରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ନାମରେ ଏତଲା ଦେବାକୁ ଅନୁଗୁଳ ଉପ-ଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

ଅଭିଯୋଗ ଆଧାରରେ, ବିକାଶ ଚନ୍ଦ୍ର ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏମ.ଏ. ମାର୍କସିଟ୍ ଓ ପ୍ରମାଣପତ୍ର ଦେଇ ଜରପଡ଼ା ପତିତପାବନ ଡିଗ୍ରୀ ମହାବିଦ୍ୟାଳୟରେ ଅଧ୍ୟାପକ ଚାକିରି କରିଥିଲେ । ସେ ଦେଇଥିବା ପ୍ରମାଣପତ୍ରରେ ଜାଲିଆତି ଥିବା ଅଭିଯୋଗ ଉଠିଥିଲା ।

ଏହା ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଓ ଆସିଷ୍ଟାଣ୍ଡ ରେଜିଷ୍ଟ୍ରାର (ପରୀକ୍ଷା)ଙ୍କୁ ଏହାର ଯାଞ୍ଚ ପାଇଁ ଚିଠି ଲେଖାଯାଇଥିଲା । ଯାଞ୍ଚ ସମୟରେ ଜଣାପଡ଼ିଥିଲା ଯେ, ଶ୍ରୀ ମିଶ୍ର ଦାଖଲ କରିଥିବା ମାର୍କସିଟ୍ ଓ ପ୍ରମାଣପତ୍ରରେ ଜାଲିଆତି ହୋଇଛି । ସେ ଦୁଇଟି ବିଷୟରେ ମାର୍କ ବଢ଼ାଇ ଦେଇଥିଲାବେଳେ ସମୁଦାୟ ମାର୍କରେ ବି ଜାଲିଆତି କରିଛନ୍ତି ।

ବ୍ଲକ ଗ୍ରାଣ୍ଟରେ ଗ୍ରାଣ୍ଟ-ଇନ୍-ଏଡ୍ ପାଇବାକୁ ସେ ଏମିତି କାରସାଦି କରିଥିବା ଅଭିଯୋଗ ହୋଇଛି । ଏହା ଏକ ଅପରାଧ ହୋଇଥିବାରୁ ତାଙ୍କ ବିରୋଧରେ ତୁରନ୍ତ ଏତଲା ଦେବାକୁ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅନୁଗୁଳ ଉପ-ଜିଲ୍ଲାପାଳଙ୍କୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ଲେଖାଯାଇଛି ।

ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଚିଠି ପାଇବା ପରେ ଆଜି ଉପ-ଜିଲ୍ଲାପାଳ ବୈତୁରା ଦୀପ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଆଜି ଜଣେ ଉପ-ଜିଲ୍ଲାପାଳଙ୍କ ନେତୃତ୍ୱରେ ଏକ ଟିମ କଲେଜ ଯାଇ ତଦନ୍ତ କରିଥିବା ବେଳେ ବିକାଶ ଚନ୍ଦ୍ର ମିଶ୍ର ଅନୁପସ୍ଥିତ ଥିଲେ । ସେ ଏଥିପାଇଁ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ମଧ୍ୟ ନେଇଥିବା ଜଣା ପଡିଛି ।

ତେବେ ମାନ୍ୟବର ଉଚ୍ଚ ନ୍ୟାୟାଳୟ ପକ୍ଷରୁ ବର୍ତ୍ତମାନ ସୁଧା କୌଣସି ନିର୍ଦ୍ଦେଶ ମିଳିନଥିବା ଅନୁଗୁଳ ଉପ-ଜିଲ୍ଲାପାଳ ବୈତୁରା ଦୀପ କହିଛନ୍ତି । ଘଟଣାର ତଦନ୍ତ କରାଯାଇଛି । ଯେଉଁଥିରେ ଶ୍ରୀ ମିଶ୍ର ମାର୍କସିଟରେ ମାର୍କ ଟ୍ୟାମ୍ପରିଙ୍ଗ କରିଥିବା ଜଣା ପଡ଼ିଛି । ଏଥିପାଇଁ ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନେବା ସହ ତାଙ୍କ ବିରୁଦ୍ଧରେ ଏତଲା ଦେବାକୁ ଅଧ୍ୟକ୍ଷଙ୍କୁ ଉପ-ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.