Latest Odisha News

BREAKING NEWS

ନକଲି ସାର୍ଟିିଫିକେଟ ପ୍ରସଙ୍ଗ: ନିରପେକ୍ଷ ତଦନ୍ତ ଦାବି କଲେ ଭର୍ତ୍ତୃହରି, ସିବିଆଇ ତଦନ୍ତକୁ କେନ୍ଦ୍ରମନ୍ତ୍ରୀଙ୍କ ସମର୍ଥନ

କଟକ: ନକଲି ସାର୍ଟିଫିକେଟ ରାକେଟରେ ବିଜୁ ଜନତା ଦଳର ସମ୍ପୃକ୍ତି ଥିବା ଅଭିଯୋଗ ରାଜ୍ୟ ରାଜନୈତିକକୁ ଉଷ୍ମ କରିଥିବା ବେଳେ ଏହି ମାମଲାର ନିରପେକ୍ଷ ତଦନ୍ତ ପାଇଁ ଦଳର ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ ଗୁରୁବାର ଦାବି କରିଛନ୍ତି।

କଟକ ସାଂସଦ କହିଛନ୍ତି, ପୂର୍ବରୁ ଉତ୍ତର ପ୍ରଦେଶ ଓ ବିହାରରେ ନକଲି ସାର୍ଟିଫିକେଟ୍ ରାକେଟ୍ ଚାଲିଥିଲା। ଏବେ ଓଡ଼ିଶାରେ ଏହି ରାକେଟ୍ ଚାଲିବା ମୋତେ ସ୍ତବ୍ଧ କରିଦେଇଛି।

ସେ କହିଛନ୍ତି, ଜାଲ୍ ଶିକ୍ଷାଗତ ପ୍ରମାଣପତ୍ର ଦେଇ ଅନେକ ଲୋକ ଚାକିରି ପାଇଥିବାରୁ ଏହା ବାସ୍ତବରେ ଆଶ୍ଚର୍ୟ୍ୟଜନକ। ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରି କଠୋର ଦଣ୍ଡ ଦିଆଯାଉ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଜାଲ୍ ସାର୍ଟିଫିକେଟ୍ ଯୋଗୁ ଯୋଗ୍ୟ ପ୍ରାର୍ଥୀମାନେ ଚାକିରି ପାଇବାରୁ ବଞ୍ଚିତ ହେଉଛନ୍ତି।

ସମାନ ମତ ରଖି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ନକଲି ସାର୍ଟିଫିକେଟ ମାମଲାରେ ଡାକ ବିଭାଗ ସିବିଆଇ ତଦନ୍ତ କରିବାକୁ  ଅନୁରୋଧ କରିଛି। ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ। ଏହାର ଚେର ବହୁତ ଗଭୀର ବୋଲି ଖବରକାଗଜରେ ବାହାରିଥିବା ରିପୋର୍ଟରୁ ଜଣାପଡ଼ୁଛି। ଏହା ବାସ୍ତବରେ ଅତ୍ୟନ୍ତ ଦୁଃଖଦାୟକ। ଓଡ଼ିଶା ପୁଲିସ ମଧ୍ୟ ଏହାର ତଦନ୍ତ କରୁଛି।

ଉଲ୍ଲେଖଯୋଗ୍ୟ, ବଲାଙ୍ଗୀରରେ ସର୍ବଭାରତୀୟ ଲିଙ୍କ୍ ଥିବା ନକଲି ଶିକ୍ଷା ସାର୍ଟିଫିକେଟ୍ ରାକେଟ୍ ଧରାପଡ଼ିବା ସହ ରିଲାଏନ୍ସ ଏଜୁକେସନ୍ କୋଚିଂ ସେଣ୍ଟରରୁ ପ୍ରାୟ ହଜାରେରୁ ୫ ହଜାର ନକଲି ସାର୍ଟିଫିକେଟ୍ ଜବତ ହୋଇଥିଲା। ସମସ୍ତ ପ୍ରମାଣପତ୍ରଗୁଡ଼ିକ ଠିକ୍ ଭାବେ ମୁଦ୍ରିତ ହୋଲୋଗ୍ରାମ୍ ଏବଂ ଲୋଗୋ ସହିତ ମୂଳ ପ୍ରମାଣପତ୍ରଗୁଡ଼ିକ ସହିତ ପ୍ରାୟ ସମାନ ଦେଖାଯାଉଥିଲା। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମାଲିକଙ୍କ ସମେତ ୧୯ ଜଣଙ୍କୁ ଗିରଫ କରାଯାଇଛି।

Leave A Reply

Your email address will not be published.