Latest Odisha News

BREAKING NEWS

ଆଜି କଡା ସୁରକ୍ଷା ମଧ୍ୟରେ ସମ୍ବଲପୁରରେ ହେବ ହନୁମାନ ଜୟନ୍ତୀ ଶୋଭାଯାତ୍ରା

ସମ୍ବଲପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଶାନ୍ତି ଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଶେଷ କରି ବୁଧବାର ସନ୍ଧ୍ୟାରେ ସହରରେ ହୋଇଥିବା ହିଂସାକାଣ୍ଡରେ ୧୦ ଜଣ ପୁଲିସ କର୍ମଚାରୀ ଆହତ ହେବା ପରେ ଶୋଭାଯାତ୍ରା ଓ ସୁରକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ସହରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଗୁରୁବାର ଜିଲ୍ଲା ସ୍କୁଲ ଛକରୁ ଗେଙ୍ଗୁଟିପାଲି ଛକ ଯାଏ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା।

ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆଜି ପାଳନ ହେବାକୁ ଥିବା ହନୁମାନ ଜୟନ୍ତୀରେ ଏକ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରାର ପ୍ରତିଶୃତି ଦେଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶା ସହରରେ ହନୁମାନ ଜୟନ୍ତୀ ପାଳନ ପାଇଁ ଏକ ବାଇକ୍ ରାଲି ଚାଲିଥିବା ବେଳେ କିଛି ଦୁର୍ବୃତ୍ତ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ କେନ୍ଦ୍ର କରି ରାଲି ଉପରକୁ ଟେକା ପଥର ମାଡ଼ କରିଥିବା ଅଭିଯୋଗ ହୋଇଛି। ସୂତ୍ରରୁ ପ୍ରକାଶ, ବାଇକ୍ ରାଲି ଧନୁପାଲି ଥାନା ଛକରୁ ଆରମ୍ଭ ହୋଇ ମୋତିଝରଣ ଛକ ଅତିକ୍ରମ କରୁଥିବା ବେଳେ ସେମାନଙ୍କ ଉପରକୁ ପଥର ମାଡ଼ ହୋଇଥିବା ଅଭିଯୋଗ ହୋଇଛି।

ଏପରିକି ସ୍ଥାନୀୟ ଅଞ୍ଚଳରେ ଭଙ୍ଗାରୁଜା ହୋଇଥିବା ସୂଚନା ମିଳିଛି। ଏହି ଗଣ୍ଡଗୋଳ ସମୟରେ ଏକ ଦୋକାନରେ ନିଆଁ ଲାଗି ଯାଇଥିଲା। କେବଳ ସେତିକି ନୁହେଁ, ରାସ୍ତା କଡ଼ରେ ଠିଆ ହୋଇଥିବା ଏକାଧିକ ଗାଡ଼ିକୁ ଭଙ୍ଗାରୁଜା କରିବା ସହ ପଥର ଓ ଠେଙ୍ଗା ମାଡ଼ କରିଥିଲେ। ଉତ୍ତେଜନାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି। ଖବର ପାଇ ପୁଲିସ ଲାଠି ଚାଳନା କରିବାରୁ ଉତ୍ତ୍ୟକ୍ତ ଲୋକେ ଜିଲ୍ଲା ସ୍କୁଲ ଛକରେ ଠେଲାପେଲା କରିଥିଲେ।

ଜିଲ୍ଲାପାଳ କହିଛନ୍ତି, ଆମେ ଉଭୟ ଗୋଷ୍ଠୀ ସହ ଆଲୋଚନା କରିଥିଲୁ ଏବଂ ସେମାନେ ଶାନ୍ତିଶୃଙ୍ଖଳାର ସହ ହନୁମାନ ଜୟନ୍ତୀ ଶୋଭାଯାତ୍ରା କରିବା ପାଇଁ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ବୁଧବାର ହୋଇଥିବା ହିଂସାକାଣ୍ଡରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ଆମେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ବୋଲି ଅନନ୍ୟା ଦାସ କହିଛନ୍ତି।

ଶୁକ୍ରବାର ହେବାକୁ ଥିବା ହନୁମାନ ଜୟନ୍ତୀ ଶୋଭାଯାତ୍ରା ପାଇଁ ଆମେ ଅଧିକ ଫୋର୍ସ ମୁତୟନ କରିବା ସହ ଅତିରିକ୍ତ ପୁଲିସ ଫୋର୍ସ ମୁତୟନ କରିବାକୁ ଅନୁରୋଧ କରିଛୁ ବୋଲି ସେ କହିଛନ୍ତି।

Leave A Reply

Your email address will not be published.