Latest Odisha News

ବ୍ରହ୍ମପୁର: ନିଜକୁ ପୋଲିସ ଅଧିକାରୀ କହି ବୃଦ୍ଧ ଦମ୍ପତ୍ତିଙ୍କ ଠାରୁ ଲୁଟ୍ ଅଭିଯୋଗ

ବ୍ରହ୍ମପୁର : ବ୍ରହ୍ମପୁରର ଜୟପ୍ରକାଶ ନଗର ସ୍ଥିତ କଲ୍ୟାଣ ମଣ୍ଡପ ନିକଟରେ କେତେକ ଦୁବୃର୍ତ୍ତ ନିଜକୁ ପୋଲିସ ଅଧିକାରୀ କହି ବୃଦ୍ଧ ଦମ୍ପତିଙ୍କ ଠାରୁ ସୁନା ଗହଣା ଲୁଟ୍ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଏହି ଦମ୍ପତି ଏକ ବାହାଘରରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବ୍ରହ୍ମପୁର ଆସିଥିଲେ। କିଛି ଦୁବୃର୍ତ୍ତ ନିଜକୁ ପୋଲିସ ଅଧିକାରୀ ଭାବେ ପରିଚୟ ଦେଇ ସମ୍ପୃକ୍ତ ଦମ୍ପତିଙ୍କୁ କିଛି ଅସାମାଜିକ ଯୁବକ ଫଲୋ କରୁଛନ୍ତି ବୋଲି କହିଥିଲେ । ଏଥିସହିତ ରାସ୍ତାରେ ଏତେ ପରିମାଣର ଅଳଙ୍କାର ପିନ୍ଧି କାହିଁକି ଯାଉଛ ବୋଲି କହି ସମସ୍ତ ଅଳଙ୍କାର ଖୋଲି ନିଜ ବ୍ୟାଗ୍ରେ ରଖିବାକୁ କହିଥିଲେ । ପରେ ସମ୍ପୃକ୍ତ ମହିଳା ଜଣକ ସେମାନଙ୍କୁ ବିଶ୍ୱାସ କରି ଅଳଙ୍କାର ଖୋଲି ନିଜ ବ୍ୟାଗ୍ରେ ରଖିବାକୁ ଯାଉଥିବା ବେଳେ ସେମାନେ ଅଳଙ୍କାର ଗୁଡିକୁ କାଗଜରେ ଗୁଡ଼ାଇ ରଖିବାକୁ ପରାମର୍ଶ ଦେଇଥିଲେ। ଅସଲି ସୁନା ଅଳଙ୍କାର ପୁଡ଼ିଆ ବଦଳରେ ଦୁବୃର୍ତ୍ତମାନେ ମହିଳାଙ୍କୁ ପଥରଗୋଡ଼ିର ଏକ ପୁଡ଼ିଆ ଧରାଇ ଦେଇ ସଙ୍ଗେସଙ୍ଗେ ସେଠାରୁ ଚମ୍ପଟ ମାରିଥିଲେ।

ଅନ୍ୟପକ୍ଷରେ ଘଟଣା ସମ୍ପର୍କରେ ଖବର ପାଇ ବ୍ରହ୍ମପୁର ଏସପି ପିନାକ ମିଶ୍ର କହିଛନ୍ତି ଯେ, ଜନସାଧାରଣ ମାନେ କୌଣସି ଅଜଣା ବ୍ୟକ୍ତିଙ୍କୁ ଏଭଳି ବିଶ୍ୱାସ କରନ୍ତୁ ନାହିଁ । ଆହୁରି ମଧ୍ୟ ସିସିଟିଭି ଫୁଟେଜ ଯାଞ୍ଚ କରାଯାଇ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପ୍ରୟାସ ଜାରି କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.