Latest Odisha News

BREAKING NEWS

ଓଡ଼ିଶା ଆସୁଛନ୍ତି ଯୋଗୀ ଆଦିତ୍ୟନାଥ ଓ ରାଜନାଥ ସିଂହ

ଭୁବନେଶ୍ୱର: ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ଓଡ଼ିଶାକୁ ଦଳର ହେଭିୱେଟ୍ ନେତାଙ୍କୁ ଆଣି କର୍ମୀଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିବା ଲାଗି ଉଦ୍ୟମ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପରକୁ ପର ଓଡ଼ିଶା ଗସ୍ତ ପରେ ଏବେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ଓଡ଼ିଶା ଗସ୍ତରେ ଆସିବା ନେଇ ରାଜ୍ୟ ବିଜେପି ପକ୍ଷରୁ ବେଶ୍ ତତ୍ପରତା ପ୍ରକାଶ ପାଇଛି ।

ଯୋଗୀ ଆଦିତ୍ୟନାଥ ଭବାନୀପାଟଣା ଏବଂ ଖୋର୍ଦ୍ଧାର ନାଚୁଣୀଠାରେ ଦଳର ବିଭିନ୍ନ କାର୍ଯ୍ୟକ୍ରମରେ ଫେବୃଆରୀ ୨୦ ତାରିଖରେ ଯୋଗଦାନ କରୁଥିବା ବେଳେ ରାଜନାଥ ସିଂହ ଭଦ୍ରକଠାରେ ଫେବୃଆରୀ ୧୭ ତାରିଖରେ ଏକ ସାଧାରଣ ସଭାରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି କହିଛନ୍ତି, ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ।

“ଦଳର ବରିଷ୍ଠ ନେତା ରାଜନାଥ ସିଂହ ବିଜେପିର ମିଶନ ୧୨୦+ ରେ ସଫଳତା ହାସଲ ଲାଗି ତୃଣମୂଳସ୍ତରରେ ଥିବା ଦଳୀୟ କର୍ମୀମାନଙ୍କୁ ପ୍ରେରଣା ଦେବାର କାର୍ଯ୍ୟକ୍ରମ ରହିଛି,” ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ।

ସେହିପରି କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ, ରାମ କୃପାଳ ଯାଦବ ଏବଂ ମନସୁଖ ମାଣ୍ଡଭିୟ ମଧ୍ୟ ଏହି ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେମାନେ ରାଜ୍ୟର କେତେକ ବୁଥସ୍ତରୀୟ ଘରକୁ ଘର ବୁଲି ‘ମୋ ଘର ଭାଜପା ଘର’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ।

ବରିଷ୍ଠ ନେତା ରାମ କୃପାଳ ଯାଦବ ଟିଟିଲାଗଡ଼ ଏବଂ ରାଉରକେଲାଠାରେ ଫେବୃଆରୀ ୧୪ ତାରିଖ ଦିନ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦାନ କରୁଥିବା ବେଳେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଫେବୃଆରୀ ୧୫ ତାରିଖ ଦିନ ସମ୍ବଲପୁରଠାରେ ଏକ ଜନସଭାରେ ଅଂଶଗ୍ରହଣ କରିବେ । ଏହି ଗସ୍ତକ୍ରମରେ ଶାହ ୪ଟି ଲୋକସଭା ନିର୍ବାଚନମଣ୍ଡଳୀ ଯଥା – ଢେଙ୍କାନାଳ, ବରଗଡ଼, ସମ୍ବଲପୁର ଏବଂ ସୁନ୍ଦରଗଡ଼ର ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ଏହା ହେଉଛି ଅମିତ ଶାହଙ୍କ ଏହି ବର୍ଷ ତୃତୀୟ ଓଡ଼ିଶା ଗସ୍ତ । ପୂର୍ବରୁ ସେ ଜାନୁଆରୀ ୨୯ ତାରିଖରେ ସାଲେପୁରଠାରେ ଏକ ଜନସଭାରେ ଉଦବୋଧନ ଦେଇଥିଲେ । ସେହିପରି ଫେବୃଆରୀ ୩ ତାରିଖ ଦିନ ଦଳ ପକ୍ଷରୁ ପୁରୀଠାରେ ଅନୁଷ୍ଠିତ ହୋଇଥିବା ବିଜେପି ଜନଜାତି ରାଷ୍ଟ୍ରୀୟ ମୋର୍ଚ୍ଚାର ଜାତୀୟ ସମ୍ମିଳନୀର ଏକ ବିଶାଳ ଜନସଭାକୁ ଉଦବୋଧନ ଦେଇଥିଲେ ।

ସେହିପରି ମୋଦୀ ପୂର୍ବରୁ ଜାନୁଆରୀ ୫ ଏବଂ ଜାନୁଆରୀ ୧୫ ତାରିଖରେ ଓଡ଼ିଶା ଗସ୍ତରେ ଆସିଛନ୍ତି ।

Leave A Reply

Your email address will not be published.