Latest Odisha News

BREAKING NEWS

ନକଲି ମସଲା, ଔଷଧ ପରେ ନକଲି ମୋବିଲ୍ କାରଖାନା ଠାବ; ଅଭିଯୁକ୍ତ ଗିରଫ

ରାଉରକେଲା: ରାଜ୍ୟରେ କାୟା ମେଲାଇଲାଣି ବିଭିନ୍ନ ସାମଗ୍ରୀର ନକଲି ସାମଗ୍ରୀ। ନକଲି ମସଲା, ଔଷଧ, ଡିଟରଜେଣ୍ଟ ପାଉଡର ପୂର୍ବରୁ ଜବତ ହୋଇଥିବା ବେଳେ ଏବେ ନକଲି ମୋବିଲ୍ କାରଖାନା ଠାବ ହୋଇଛି। ଏକ ଘରେ ଏହି ନକଲି ମୋବିଲ କାରଖାନା ଚାଲିଥିବା ନେଇ ଖବର ପାଇ ପୋଲିସ ରେଡ୍ କରିବା ପରେ ଏହି କାରବାର ବାବଦରେ ସୂଚନା ମିିଳିଛି। ସୁନ୍ଦରଗଡ ଜିଲ୍ଲା ରାଉରକେଲା ସହରର ପ୍ଲାଣ୍ଟ ସାଇଟରୁ ଏହି ନକଲି ମୋବିଲ କାରଖାନା ରହିଛି।

ମଙ୍ଗଳବାର ଏକ ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ ନକଲି ମୋବିଲ ରାକେଟର ପର୍ଦ୍ଦାଫାଶ କରିବା ସହ ୧୨୦୦ ଲିଟରରୁ ଅଧିକ ଇଞ୍ଜିନ ତେଲ ଜବତ କରିଛି ରାଉରକେଲା ପୋଲିସ। ଗିରଫ ଅଭିଯୁକ୍ତ ଜଣକ ହେଲେ ସ୍ଥାନୀୟ ପ୍ଲାଣ୍ଟ୍ ସାଇଟର ନାଲାରୋଡର ରାଜା ଷ୍ଟ୍ରିଟ୍‌ର ତସଲିମ୍ ଆରିଫ୍।

ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ସୋମବାର ରାତିରେ ତାଙ୍କ ଘରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢ଼ଉ କରିବା ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ମ୍ୟାନୁଫ୍ୟାକ୍ଚରିଂ ୟୁନିଟରେ ଚଢାଉ ବେଳେ ପୋଲିସ ଏକ ଲୋକପ୍ରିୟ ବ୍ରାଣ୍ଡ ନାମରେ ପରିଚିତ ନକଲି ମୋବିଲକୁ ଜବତ କରିଛି। ଜବତ ମଧ୍ୟରେ ରହିଛି, ୧୨୮୧ ବୋତଲ (୧ ଲିଟର ଲେଖାଏଁ) ମୋବିଲ, ଶହ ଶହ ସଂଖ୍ୟାରେ ଖାଲି ବୋତଲ, ୨୦୦୦ରୁ ଅଧିକ ଠିପି, ୬ଟି ପ୍ଲାଷ୍ଟିକ୍‌ ଜାର ଭର୍ତ୍ତି ନକଲି ‌ମୋବିଲ୍‌, ନାମିଦାମୀ କମ୍ପାନୀର ଲେବୁଲ ଓ ନକଲି ମୋବିଲ ତିଆରିରେ ବ୍ୟବହୃତ ଅନ୍ୟାନ୍ୟ ସାମଗ୍ରୀ। ଜବତ ମୋବିଲର ଆନୁମାନିକ ବଜାର ମୂଲ୍ୟ ୬ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି।

ଆଇପିସି ଏବଂ ଟ୍ରେଡ୍ ମାର୍କ ଆକ୍ଟ / କପିରାଇଟର ଆନୁସଙ୍ଗିକ ଧାରା ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରିଛି। ଏହି ରାକେଟରେ ସମ୍ପୃକ୍ତ ଅନ୍ୟ ସଦସ୍ୟଙ୍କୁ ଖୋଜା ଚାଲିଛି ବୋଲି ପୁଲିସ କହିଛି।

ଅତିରିକ୍ତ ଏସ୍‌ପି କହିଛନ୍ତି, ଅଭିଯୁକ୍ତ ତସ୍‌ଲିମ୍ କୋଲକାତାରୁ ନକଲି ଇଞ୍ଜିନ୍‌ ଅଏଲ୍‌ ଏଠାରେ ବ୍ୟବସାୟ କରୁଥିଲା। କୋଲକାତାରୁ ନକଲି ମୋବିଲ ସହିତ ବିଭିନ୍ନ ଲୋକପ୍ରିୟ କମ୍ପାନୀର ଇଞ୍ଜିନ୍‌ ଅଏଲ୍‌ର ଲୋଗୋ, ଲେବୁ୍‌ଲ, ଠିପି ମଧ୍ୟ କିଣି ଆଣୁଥିଲା। ନକଲି ଅଏଲ୍‌ରେ ବିଭିନ୍ନ ରଙ୍ଗ ମିଶାଇ ଅପମିଶ୍ରିତ ଇଞ୍ଜିନ୍‌ ଅଏଲ୍‌ ତିଆରି କରୁଥିଲା।

ପୋଲିସ ଏବେ ଏହି ନକଲି ମୋବିଲ କେଉଁ କେଉଁ ଦୋକାନରେ ବିକ୍ରି ହୋଇଛି ତାର ତଦନ୍ତ କରୁଛି। ସେହିପରି ଯେଉଁ ଦୋକାନୀ ମାନେ ଏହି ନକଲି ମୋବିଲ କିଣୁଥିଲେ ସେମାନେ ଏ ବାବଦରେ ଜାଣିଥିଲେ ନା ଏହି ରାକେଟର ସେମାନେ ମଧ୍ୟ ଅଂଶବିଶେଷ ତାହା ଜାଣିବାକୁ ତଦନ୍ତ କରୁଛି।

Leave A Reply

Your email address will not be published.