ଭୁବନେଶ୍ୱର: ରାଜ୍ୟରେ ନକଲି ତଥା ଅପମିଶ୍ରିତ ପନିର କାରବାର ଉପରେ ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ପରେ ସ୍ଥାନୀୟ ବଜାରରେ ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି । କଟକ, ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାତାର ଚଢ଼ାଉ କରାଯାଇ କୁଇଣ୍ଟାଲ କୁଇଣ୍ଟାଲ ନକଲି ଓ ସିନ୍ଥେଟିକ୍ ପନିର ଜବତ କରାଯିବା ପରେ ଖାଉଟିଙ୍କ ମଧ୍ୟରେ ଛନକା ପଶିଛି ।
ଲୋକେ ଏବେ ପନିର କିଣିବାକୁ ଭୟ କରୁଥିବା ବେଳେ ଏହାର ସିଧାସଳଖ ପ୍ରଭାବ ଛତୁ ବଜାର ଉପରେ ପଡ଼ିଛି। ନିରାମିଷ ଖାଦ୍ୟର ଏକ ପ୍ରମୁଖ ବିକଳ୍ପ ଭାବେ ଲୋକେ ଏବେ ଛତୁକୁ ଅଧିକ ପସନ୍ଦ କରୁଛନ୍ତି, ଯାହା ଫଳରେ ଓଡ଼ିଶାର ବଜାରଗୁଡ଼ିକରେ ଛତୁର ଚାହିଦା ଏବେ ବହୁଗୁଣିତ ହୋଇଯାଇଛି ।
ରାଜଧାନୀ ଭୁବନେଶ୍ୱରର ୟୁନିଟ୍-୧ ହାଟ ଏବଂ କଟକର ଛତ୍ରବଜାର ଭଳି ପ୍ରମୁଖ ପରିବା ବଜାରରେ ଛତୁ କିଣିବା ପାଇଁ ଲୋକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହେଉଛି। ଅତ୍ୟଧିକ ଚାହିଦା କାରଣରୁ ଛତୁ ଦର ଏବେ ଆକାଶଛୁଆଁ ହୋଇଛି । ଗତ କିଛି ସପ୍ତାହ ତଳେ ଯେଉଁ ପାଳ ଛତୁ କିଲୋ ପ୍ରତି ୨୦୦ରୁ ୨୫୦ ଟଙ୍କା ରହିଥିଲା, ତାହା ଏବେ ଆଖିବୁଜା ବୃଦ୍ଧି ପାଇ ୪୦୦ରୁ ୫୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ଢିଙ୍ଗିରି ଏବଂ ବଟମ୍ ଛତୁ ଦରରେ ମଧ୍ୟ ଅହେତୁକ ବୃଦ୍ଧି ଦେଖିବାକୁ ମିଳିଛି। ବ୍ୟବସାୟୀଙ୍କ କହିବା ଅନୁଯାୟୀ, ଗ୍ରାହକମାନେ ସକାଳୁ ସକାଳୁ ଆସି ଛତୁ କିଣି ନେଉଛନ୍ତି, ଯାହା ଫଳରେ ଦିନ ୧୦ଟା ବାଜୁ ବାଜୁ ଦୋକାନରୁ ସମସ୍ତ ଷ୍ଟକ୍ ଶେଷ ହୋଇଯାଉଛି ।
ବିବାହ, ବ୍ରତଘର ଏବଂ ଅନ୍ୟାନ୍ୟ ସାମାଜିକ ଉତ୍ସବଗୁଡ଼ିକରେ ମଧ୍ୟ ଏବେ ଆୟୋଜକମାନେ ନକଲି ପନିରକୁ ବାଦ୍ ଦେଇ ଛତୁ ତରକାରିକୁ ନିଜ ମେନୁରେ ସାମିଲ କରୁଛନ୍ତି । ଅପମିଶ୍ରିତ ତେଲ, ନକଲି ଖିର ଏବଂ ବିଭିନ୍ନ କ୍ଷତିକାରକ ରାସାୟନିକ ପଦାର୍ଥ ବ୍ୟବହାର କରି ତିଆରି ହେଉଥିବା ସିନ୍ଥେଟିକ୍ ପନିର ଖାଇବା ଦ୍ୱାରା ପେଟ ରୋଗଠାରୁ ଆରମ୍ଭ କରି କିଡ଼ନୀ ଉପରେ ଗୁରୁତର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ତେଣୁ ସ୍ୱାସ୍ଥ୍ୟ ସଚେତନ ନାଗରିକମାନେ ପ୍ରାକୃତିକ ଉପାୟରେ ଚାଷ କରାଯାଉଥିବା ଛତୁକୁ ଏକ ସୁରକ୍ଷିତ ଖାଦ୍ୟ ଭାବେ ଗ୍ରହଣ କରୁଛନ୍ତି ।
ବଜାର ବିଶେଷଜ୍ଞଙ୍କ ମତରେ, ଯେପର୍ଯ୍ୟନ୍ତ ବଜାରରେ ପୁଣିଥରେ ବିଶ୍ୱାସଯୋଗ୍ୟ ତଥା ଶୁଦ୍ଧ ପନିର ସ୍ୱାଭାବିକ ନହୋଇଛି, ସେପର୍ଯ୍ୟନ୍ତ ଛତୁର ଏହି ବର୍ଦ୍ଧିତ ଚାହିଦା ଏବଂ ଦର ବୃଦ୍ଧି ଲାଗିରହିବ । ଏହି ପରିସ୍ଥିତି ସାଧାରଣ ଖାଉଟିଙ୍କ ପକେଟ୍ ଉପରେ ଚାପ ପକାଉଥିଲେ ସୁଦ୍ଧା, ରାଜ୍ୟର ସ୍ଥାନୀୟ ଛତୁ ଚାଷୀ ଓ ବ୍ୟବସାୟୀଙ୍କ ପାଇଁ ଏହା ଏକ ଆର୍ଥିକ ଲାଭର ବଡ଼ ସୁଯୋଗ ଆଣିଦେଇଛି।

