କଟକ: କମିଶନରେଟ୍ ପୋଲିସର କଟକ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ପଦବୀରେ ନିଯୁକ୍ତି ଦେବା ଆଳରେ ଚାକିରି ଆଶାୟୀମାନଙ୍କୁ ଠକୁଥିଲେ ଜଣେ ନକଲି ପୋଲିସ । ତେବେ ନକଲି ପୋଲିସ ଇନ୍ସପେକ୍ଟର ଗୁଣ୍ଡିଚା ଦଳେଇକୁ ଗିରଫ କରିଛି ବାଦାମବାଡ଼ି ଥାନା ପୋଲିସ । ଗିରଫ ନକଲି ପୋଲିସ ଇନସପେକ୍ଟର କଟକ ଜିଲ୍ଲାର ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ଗୁଣ୍ଡିଚା ଦଳାଇ ବୋଲି ଚିହ୍ନଟ ହୋଇଛି।
ପୋଲିସ ଗୁଣ୍ଡିଚା ଦଳାଇଙ୍କ ନିକଟରୁ ଏକ ଲାପଟପ୍, ୫ଟି ମୋବାଇଲ୍ ଫୋନ୍, ନକଲି ପରିଚୟପତ୍ର, ପୋଲିସ ଇନସପେକ୍ଟର ୟୁନିଫର୍ମ, ନେମ୍ ପ୍ଲେଟ୍ ଷ୍ଟାର ଏବଂ ଲୋଗୋ ସହିତ ପୋଲିସ ଇନସପେକ୍ଟର ରବର ଷ୍ଟାମ୍ପ ଏବଂ ଚେକ୍ ବୁକ୍ ଜବତ କରିଛି।
ଏବେ ହୋମଗାର୍ଡ ଚାକିରି ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହାର ସୁଯୋଗ ନେଇ ମାହାଙ୍ଗାର ଜିତାଂଶୁ ପରିଡା ନାମକ ଯୁବକଙ୍କୁ ହୋମଗାର୍ଡ ଚାକିରି କରାଇ ଦେବାକୁ କହି ଗୁଣ୍ଡିଚା ଟଙ୍କା ଠକି ନେଇଥିବା ଡିସିପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଅଭିଯୁକ୍ତ ଗୁଣ୍ଡିଚା ଏହି ଘଟଣା ବ୍ୟତୀତ ଆରଆଇ, ଅମିନ ଚାକିରି ଦେବାକୁ କହି ପ୍ରାୟ ୩୦ଜଣ ଯୁବକ, ଯୁବତୀଙ୍କୁ ଠକିଥିବା ଡିସିପି ସୂଚନା ଦେଇଛନ୍ତି । ଅଭିଯୁକ୍ତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପୋଲିସ ଫ୍ରିଜ୍ କରିଛି ।
ସୂଚନାମୁତାବକ, ବାଦାମବାଡି ପୋଲିସ ନିକଟରେ ମାହାଙ୍ଗା ଥାନା ଅନ୍ତର୍ଗତ ଜିତୁ ମେରିପୁର ଗ୍ରାମର ଜିତାଂଶୁ ଶେଖର ପରିଡା, ଯିଏ ବର୍ତ୍ତମାନ କଟକର CNBT ବସ୍ ଷ୍ଟାଣ୍ଡରେ କାର୍ଯ୍ୟରତ, ନକଲି ପୋଲିସ ଇନ୍ସପେକ୍ଟରଙ୍କ ବିରୋଧରେ ଅଭିଯୋଗ ଦାୟର କରିଥିଲେ । ଏହାପରେ ମାମଲା ରୁଜୁ ହୋଇଥିଲା। ପରିଡା ଅଭିଯୋଗ କରିଥିଲେ ଯେ ଅଭିଯୁକ୍ତ ନିଜକୁ କଟକର ଗ୍ରାମାଞ୍ଚଳ ଏସପି କାର୍ଯ୍ୟାଳୟରେ କାର୍ଯ୍ୟରତ ପୋଲିସ ଇନ୍ସପେକ୍ଟର ଭାବରେ ପରିଚୟ ଦେଇ ହୋମଗାର୍ଡ ପୋଷ୍ଟରେ ଚାକିରି ନିଶ୍ଚିତ କରିବା ପାଇଁ ୧,୫୦,୦୦୦ ଟଙ୍କା ଟଙ୍କା ନେଇଥିଲେ।
ତେବେ ଅଭିଯୁକ୍ତକୁ ପଚରାଉଚରା ସମୟରେ ସେ ଅପରାଧ ସ୍ୱୀକାର କରିଥିଲେ। ଗୁଣ୍ଡିଚା ଦଳାଇଙ୍କୁ କୋର୍ଟ ଚାଲାଣ କରାଯାଇଛି ଏବଂ ଅନ୍ୟ କୌଣସି ପୀଡିତଙ୍କୁ ଚିହ୍ନଟ କରିବା ଏବଂ ତାଙ୍କ ବିରୁଦ୍ଧରେ ଅତିରିକ୍ତ ପ୍ରମାଣ ସଂଗ୍ରହ କରିବା ପାଇଁ ପୋଲିସ ଅଧିକ ତଦନ୍ତ ଚଳାଇଛି।
ଏଥିସହ ଟଙ୍କା ନେଇ କୌଣସି ଚାକିରି ପ୍ରଲୋଭନ ଦେଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ପୋଲିସକୁ ସୂଚନା ଦେବା ପାଇଁ ଡିସିପି ନିବେଦନ କରିଛନ୍ତି ।
ଏହିପରି କିଛିଦିନ ତଳେ ରାଜଧାନୀରେ ନକଲି ପୋଲିସ ଡିଏସପିଙ୍କୁ ବନ୍ଧିଥିଲା ପୋଲିସ । ନକଲି ଡିଏସ୍ପି ଜଣଙ୍କ ହେଲେ ମାନସ ରଞ୍ଜନ ସେନାପତି । ତାଙ୍କ ଘର ଭଦ୍ରକ ବାସୁଦେବପୁର ଅଞ୍ଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱର ଖାରବେଳନଗର ଥାନା ଅଞ୍ଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲେ । ଅନେକ ଲୋକଙ୍କୁ ଚାକିରି କରାଇଦେବାକୁ କହି ଠକିଥିବା ଅଭିଯୋଗ ହୋଇଥିଲା । ଏଭଳି ଅଭିଯୋଗ ପରେ ପରେ ତାଙ୍କୁ ପୋଲିସ ଗିରଫ କରିଥିଲା ।
Comments are closed.