କେନ୍ଦୁଝର: ଏକ ଘରୋଇ ହସ୍ପିଟାଲରେ ଜଣେ ମହିଳା ରୋଗୀଙ୍କ ଅପରେସନ ସମୟରେ ମୃତ୍ୟୁ ହେବା ପରେ ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ ଆଣି ମୃତକଙ୍କ ପରିବାର ଲୋକେ ସୋମବାର ପ୍ରତିବାଦ କରିଛନ୍ତି।
ପୁଷ୍ପଲତା ମହାନ୍ତି ନାମକ ଜଣେ ମହିଳା ପେଟରୁ ଟ୍ୟୁମର ବାହାର କରିବା ପାଇଁ ଅପରେସନ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତେବେ ଜିଲ୍ଲା ହସ୍ପିଟାଲରେ କିଛି ଦଲାଲ ତାଙ୍କୁ ଉତ୍ତମ ଚିକିତ୍ସା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇ ଟାଉନ ଚର୍ଚ୍ଚ ଛକ ନିକଟରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିବା ପାଇଁ ତାଙ୍କ ସ୍ୱାମୀ ନଳିନୀକାନ୍ତ ମହାନ୍ତଙ୍କୁ ବୁଝାସୁଝା କରିଥିଲେ।
ପତ୍ନୀଙ୍କର ଲାପ୍ରୋସ୍କୋପି କରିବା ପାଇଁ ନଳିନୀକାନ୍ତଙ୍କଠାରୁ 40 ହଜାର ଟଙ୍କା ନେଇଥିଲେ ଘରୋଇ ହସ୍ପିଟାଲ କର୍ତ୍ତୃପକ୍ଷ। କିନ୍ତୁ ଅପରେସନ ଥିଏଟରକୁ ନେବାର କିଛି ସମୟ ପରେ ତା’ଙ୍କର ମୃତ୍ୟୁ ଘଟିଥିଲା।
ପତ୍ନୀଙ୍କ ଆକସ୍ମିକ ମୃତ୍ୟୁରେ ଉତ୍ତ୍ୟକ୍ତ ନଳିନୀକାନ୍ତ ଓ ତାଙ୍କ ପରିବାର ଲୋକେ ଡାକ୍ତରଖାନା ବାହାରେ ମୃତଦେହ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହ ହସ୍ପିଟାଲ କର୍ମଚାରୀଙ୍କ ସମେତ ଦଲାଲଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଦାବି କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
Comments are closed.