ଭୁବନେଶ୍ବର : ରାଜ୍ୟରେ ହ୍ରାସ ପାଉଛି ସଂକ୍ରମଣ । ସ୍ଥିତି ନିୟନ୍ତ୍ରଣକୁ ଆସୁଛି । ତେଣୁ ଏବେ ଗ୍ରାମାଞ୍ଚଳରେ ଜୋରଦାର ହେବ ଟିକାକରଣ । ଗାଁ ଗାଁରେ ଅଧିକ ଟିକାକରଣ ଉପରେ ଫୋକସ୍ କରୁଛନ୍ତି ରାଜ୍ୟ ସରକାର । ମୋବାଇଲ ଭ୍ୟାନ ଜରିଆରେ ଗ୍ରାମାଞ୍ଚଳରେ ହେବ ଟିକାକରଣ । ଆବଶ୍ୟକ ପଡ଼ିଲେ ଗ୍ରାମାଞ୍ଚଳରେ ଅଧିକ ଟିକା କେନ୍ଦ୍ର ଖୋଲିଯିବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ଦୈନିକ ସାଢ଼େ ୩ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି ।
ଅନ୍ୟପଟେ ସମ୍ଭାବ୍ୟ ତୃତୀୟ ଲହର ଆସୁଥିବାରୁ ମୁକାବିଲା ପାଇଁ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ବେଡ଼ ସଂଖ୍ୟା ବଢିଥିବା ବେଳେ ସରକାରଙ୍କ ଗାଇଡ଼ଲାଇନ୍ ଅନୁସାରେ ଶିଶୁଙ୍କ ଲାଗି ବେଡ଼ ସଂଖ୍ୟା ବଢ଼ାଇବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି । ମୁକାବିଲା ପାଇଁ ଅକ୍ସିଜେନ ପ୍ଲାଣ୍ଟର ବ୍ୟବସ୍ଥା କରାଯାଉଛି । ସେହିପରି ଅଧିକ ଔଷଧ ମହଜୁଦ୍ ରଖାଯାଇଛି । ତୃତୀୟ ଲହରରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବାର ସମ୍ଭାବନା ରହିଛି । ତେଣୁ ସ୍ବାସ୍ଥ୍ୟକର୍ମୀଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯାଇଥିବା ନେଇ ସୂଚନା ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ବିଜୟ ମହାପାତ୍ର । ତେବେ ଲୋକ ନିୟମ ନମାନିଲେ ପରିସ୍ଥିତି ବିଗିଡିବାର ସମ୍ଭାବନା ରହିଛି । ତେଣୁ ଲୋକ କୋଭିଡ ନିୟମ ପାଳିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ ।
Comments are closed.