Latest Odisha News

BREAKING NEWS

ମୟୂରଭଞ୍ଜ ପାଉଁଶିଆରେ ଆରମ୍ଭ ହେଲା ପ୍ରସିଦ୍ଧ ଭୀମ ମେଳା

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ପାଉଁଶିଆ ଗ୍ରାମରେ ଆରମ୍ଭ ହୋଇଛି ପ୍ରସିଦ୍ଧ ଭୀମ ମେଳା । ଦୀର୍ଘ ୪୧ ବର୍ଷ ଧରି ଚାଲୁଥିବା ଏହି ପ୍ରସିଦ୍ଧ ମେଳା ଭୀମ ଏକାଦଶୀଠାରୁ ମହାଆଡ଼ମ୍ବର ସହକାରେ ଆରମ୍ଭ ହୋଇଛି ।

ବଡ଼ସାହି ପାଉଁଶିଆ ଗ୍ରାମରେ ପୂଜା ପାଉଛନ୍ତି ୨୦ ଫୁଟ ଉଚ୍ଚର ସୁନ୍ଦର ପାଣ୍ଡବ ପୁତ୍ର ଭୀମସେନଙ୍କ ଏକ ପ୍ରକାଣ୍ଡକାୟ ୨୦ ଫୁଟ ଉଚ୍ଚତାର ଏକ ମୂର୍ତ୍ତି । ଭୀମଙ୍କ ମୂର୍ତ୍ତି ସାଙ୍ଗକୁ ଶ୍ରୀଲକ୍ଷ୍ମୀନାରାୟଣଙ୍କ ଏକ ସୁନ୍ଦର ମୂର୍ତ୍ତି ପୂଜା ପାଉଛନ୍ତି । ୧୯୭୮ ମସିହା ଠାରୁ ସ୍ଥାନୀୟ ମୁରବୀଙ୍କ ତତ୍ୱାବଧାନରେ ଭୀମ ଏଠାରେ ପୂଜା ପାଇ ଆସୁଛନ୍ତି ଏବଂ ଏଠାରେ ମୟୂରଭଞ୍ଜର ପ୍ରସିଦ୍ଧ ଭୀମ ମେଳା ଦୀର୍ଘ ୪୧ ବର୍ଷ ଧରି ପାଳିତ ହୋଇଆସୁଛି ।

ସବୁଠାରୁ ବଡ଼କଥା ହେଲା ପାରମ୍ପରିକ ଭାବେ ଭୀମଙ୍କ ପୂଜା ଏଠାରେ ହେବା ସହିତ ପୌରାଣିକ କଥାବସ୍ତୁକୁ ନେଇ ଏଠାରେ ସ୍ଥାପିତ ହୋଇଛନ୍ତି ସୁନ୍ଦର କୁଞ୍ଜ ମୂର୍ତ୍ତିମାନ । ଭୀମ ଏକାଦଶୀଠାରୁ ଏଠାରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ ସମାଗମରେ ଦୈନିକ ଭଜନ କୀର୍ତ୍ତନ ସହିତ ପାରାୟଣ ଅନୁଷ୍ଠିତ ହୋଇ ଏଠାରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି ।

ଏଠାରେ ଅଗିରା ପୂର୍ଣ୍ଣମୀଦିନ ସ୍ଥାପିତ ହୋଇଥିବା ଅଗ୍ନିକୁଣ୍ଡରେ ଅଗ୍ନି ସଂଯୋଗ କରିବା ସହିତ ରଙ୍ଗୀନ ବାଣ ରୋଷଣୀରେ ଦାହ ହୋଇଥିବା ଫଳ ଓ ପନିବରିବାକୁ ସାଉଁଟି ପରମ୍ପରାକୁ ବଜାୟ ରଖିଛନ୍ତି ସ୍ଥାନୀୟ ବାସିନ୍ଦା । ଦୈନିକ ଏଠାକୁ ହଜାର ହଜାର ଶ୍ରଦ୍ଧାଳୁ ଆସି ଏହି ମେଳାକୁ ଉପଭୋଗ କରୁଛନ୍ତି ।

ଏହି ଅବସରରେ ପ୍ରତି ସନ୍ଧ୍ୟାରେ ବିଭିନ୍ନ ପ୍ରକାର ସାଂସ୍କୃତିକ ସମାରୋହ ଅନୁଷ୍ଠିତ ହେଉଛି । ଦୀର୍ଘ ୧୫ ଦିନ ଧରି ଏଠାରେ ଚାଲିବାକୁ ଥିବା ଏହି ମେଳାରେ ମୀନାବଜାର ସହିତ, ବିଭିନ୍ନ ପ୍ରକାରର ଦୋକାନ ବଜାରରେ ପରିଦର୍ଶକ ତଥା ଆଖପାଖର ଜନସାଧାରଣ ଉପଭୋଗ କରୁଛନ୍ତି ।

ମୟୂରଭଞ୍ଜର ଏହି ପ୍ରସିଦ୍ଧ ଭୀମମେଳାରେ ସମୟରେ ପରିବାରର ବାହାରେ ଥିବା ଯେକୌଣସି ସଦସ୍ୟ ଆସିଥାଆନ୍ତି । ଭୀମମେଳା ଏବେ ଭାଇଚାରା ବଜାୟ ରଖିବା ସହିତ ସମସ୍ତଙ୍କୁ ଐକ୍ୟବଦ୍ଧ ଭାବେ ଏକଜୁଟ କରିବାରେ ସକ୍ଷମ ହୋଇପାରିଛି । ମହାଭାରତ ପ୍ରସିଦ୍ଧ ଭୀମଙ୍କୁ ନେଇ ପୂଜା ଏବଂ ମେଳା ଉତ୍ସବ ଓଡ଼ିଶାରେ ସବୁଠାରୁ ବୃହତ୍ତ ଆୟୋଜନ ଭାବେ ପରିଗଣିତ ହୋଇଥାଏ ।

Leave A Reply

Your email address will not be published.