Latest Odisha News

BREAKING NEWS

ଆରମ୍ଭ ହେଲା ମୟୂରଭଞ୍ଜର ପ୍ରସିଦ୍ଧ ହିଙ୍ଗୁଳା ପୂଜା ଓ ମେଳା ଉତ୍ସବ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ବ୍ଲକ ଅନ୍ତର୍ଗତ ସୁହାଗପୁରା-ଚାନ୍ଦଡ଼ିହା ରାସ୍ତାରେ ଥିବା ହିଙ୍ଗୁଳା ମନ୍ଦିରରେ ଶନିବାର ଦିନ ଆରମ୍ଭ ହୋଇଛି ପ୍ରସିଦ୍ଧ ହିଙ୍ଗୁଳା ମାଆଙ୍କ ପୂଜା ଓ ମେଳା ଉତ୍ସବ ।

ମିଳିଥିବା ସୂଚନାନୁଯାୟୀ, ବଡ଼ସାହି ବ୍ଲକର ସୁହାଗପୁରା-ଚାନ୍ଦଡ଼ିହା ରାସ୍ତାର ମଧ୍ୟଭାଗ ଶାଳ ଜଙ୍ଗଲ ମଧ୍ୟରେ ରହିଛି ଉତ୍ତର ଓଡ଼ିଶାର ପ୍ରସିିଦ୍ଧ ହିଙ୍ଗୁଳା ମନ୍ଦିର । ବର୍ଷ ବର୍ଷ ଧରି ଶ୍ରଦ୍ଧାଳୁମାନଙ୍କ ମାନସିକ ପୂରଣ କରୁଥିବା ମା’ହିଙ୍ଗୁଳାଙ୍କ ଏହି ଯାତ୍ରାରେ ଅଂଶଗ୍ରହଣ କରିବାକୁ ପଡ଼ୋଶୀ ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଯାଜପୁର ଜିଲ୍ଲା ସମେତ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଲକ୍ଷ ଲକ୍ଷ ଭକ୍ତ ଓ ଦର୍ଶନାର୍ଥୀଙ୍କ ସମାଗମ ହୋଇଛି । ଏପର୍ଯ୍ୟନ୍ତ ପ୍ରାୟ ୬ ଲକ୍ଷରୁ ଅଧିକ ଶ୍ରଦ୍ଧାଳୁ ଏହି ମେଳାରେ ଅଂଶଗ୍ରହଣ କରିପାରିଛନ୍ତି ।

ଉତ୍ତର ଓଡ଼ିଶାର ପ୍ରସିଦ୍ଧ ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ସୁହାଗପୁରା-ଚାନ୍ଦଡିହା ରାସ୍ତା ମଧ୍ୟଭାଗ ଶାଳ ଜଙ୍ଗଲ ପରିସରରେ ଶନିବାର ମା’ ହିଙ୍ଗୁଳାଙ୍କର ବାର୍ଷିକ ପୂଜା ଅନୁଷ୍ଠିତ ହୋଇଛି।  ମୟୂରଭଞ୍ଜ ଜିଲା ସମେତ ପଡୋଶୀ ବାଲେଶ୍ୱର, ଭଦ୍ରକ, ଯାଜପୁର ଜିଲା ସହ ଝାଡ଼ଖଣ୍ଡ, ବିହାର, ପଶ୍ଚିମବଙ୍ଗ ଆଦି ରାଜ୍ୟରୁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ଅପାର କରୁଣା ଲାଭ କରିଛନ୍ତି ଡାକିଲେ ଶୁଣନ୍ତି ହିଙ୍ଗୁଳା ମା’। ମାଆ ହିଙ୍ଗୁଳା ଆକସ୍ମିକ ଅଗ୍ନିକାଣ୍ଡ ଓ ଆସନ୍ନ ବିପଦରୁ ରକ୍ଷା କରନ୍ତି ଲୋକଙ୍କ ବିଶ୍ୱାସ ରହିଛି। ସେହି ଅନନ୍ୟ  ଅଗ୍ନିରୂପିଣୀ ମା’ହିଙ୍ଗୁଳାଙ୍କୁ ବିଶ୍ୱାସ ରଖି ଭକ୍ତଙ୍କ ମାନସିକ ପୂରଣ ସହିତ ପରିବାରର ଶୁଭ ମନାସି ଘରୁ ଆଣିଥିବା ଭୋଗରାଗ ଅଗ୍ନିକୁଣ୍ଡରେ ସମର୍ପଣ କରିଛନ୍ତି ଲକ୍ଷ ଲକ୍ଷ ଭକ୍ତ ।

ହିଙ୍କୁଳା ଟ୍ରଷ୍ଟ ଓ ପ୍ରଶାସନର ମିଳିତ ସହଯୋଗରେ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନଙ୍କର ଦିଅଁ ଦର୍ଶନ, ମାନସିକ ପୂଜା, ସଙ୍କଳ୍ପ, ମାନସିକ ମାଟି ଘୋଡା ସହିତ ବାଳପକା ମଣ୍ଡପ ଆଦି ସ୍ଥାନଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହିତ ଅନୁଷ୍ଠିତ ହୋଇଛି ା ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାରିକେଡ ନିର୍ମାଣ କରାଯାଇଥିଲା। ମୁଖ୍ୟ ଦ୍ୱାରରୁ ଭକ୍ତମାନେ ବ୍ୟାରିକେଡରେ ଯାଇ ମା’ଙ୍କୁ କରଯୋଡି ମାନସିକ କରିବା ସହିତ ହାତକୁ ଟେକି ପରିବାରର ଶୁଭ ମନାସିଛନ୍ତି । ଶୁକ୍ରବାର ଭୋର ୫ଟାରେ ମା’ଙ୍କ ପହଡ଼ ଭଙ୍ଗା, ୫ଟା ୩୫ ମିନିଟରେ ମଙ୍ଗଳ ଆଳତି ହୋଇ ସାଧାରଣ ଦର୍ଶନ ଦିନତମାମ ଚାଲୁ ରହିଥିଲା । ଭିଡ଼କୁ ଆଖିରେ ରଖି ଚାନ୍ଦଡିହା ଓ ସୁହାଗପୁର ଛକ ପାଖରୁ ମେଳା ଭିତରକୁ ମୋଟରସାଇକେଲ, ଯାନବାହନ ପ୍ରବେଶ କରିବାକୁ ଦିଆଯାଇ ନ ଥିଲା ।

ସେହିପରି ପୀଠକୁ ସଂଯୋଗ କରୁଥିବା ବେତନଟୀ, ବୈଶିଙ୍ଗା, ଡୁକୁରା, ଖୁଣ୍ଟା, ଉଦଳା ଓ କୁଆମରା ରାସ୍ତାରେ ଯାତ୍ରୀବାହୀ ବସ, ସହସ୍ରାଧିକ ଅଟୋ ଓ ଚାରି ଚକିଆ ଯାନ ସାଙ୍ଗକୁ ଲମ୍ବା ଲାଇନରେ ଦୁଇ ଚକିଆ ଯାନ ଓ ସାଇକେଲରେ ଭକ୍ତଙ୍କ ସୁଅ  ଛୁଟିଥିଲା । ନୈବେଦ୍ୟ ସହ  ପୀଠରେ ପହଞ୍ଚି ସଙ୍କଳ୍ପ ପୂର୍ବକ ପୂଜା ପରେ ପରମ୍ପରା ଅନୁଯାୟୀ ନଡିଆ, କଦଳୀ, ଫଳମୂଳ, ଧୂପ, ଗୁଆ, ସିନ୍ଦୂର, ଘିଅ, ସଳିତା ଓ ନିଜ ଚାଳ ଘରର କୁଟା, ବାଉଁଶ ପ୍ରଥାନୁଯାୟୀ ସ୍ୱତନ୍ତ୍ର ଯଜ୍ଞ କୁଣ୍ଡରେ ସମର୍ପଣ କରିଛନ୍ତି । ସେହିପରି ମାନସିକ ମାଟି ଘୋଡା, ବସ୍ତ୍ର, ଅଳଙ୍କାର  ବିପୁଳ ପରିମାଣରେ ମା’ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି । ପୀଠରେ ଥିବା ସାହାଡ଼ା ବୃକ୍ଷରେ ଲକ୍ଷାଧିକ ଭକ୍ତ ସେମାନଙ୍କ ମାନସିକ ବ୍ରତ ବାନ୍ଧିଛନ୍ତି । ବଳି ପ୍ରଥା ନ ଥିଲେ ହେଁ ଅନେକ ଭକ୍ତ ସେମାନଙ୍କର ମାନସିକ କୁକୁଡ଼ା ଓ ବୋଦା ସମର୍ପଣ କରିଛନ୍ତି । ସେହିପରି ଛୋଟରୁ ବଡ଼ ଯାଏଁ ଭକ୍ତ ପୀଠରେ ମାନସିକ ବାଳ ପକାଇଛନ୍ତି ।

ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବେତନଟୀ ଉପଖଣ୍ଡ ପୋଲିସ ଅଧିକାରୀ ଓ ବଡ଼ସାହି ଥାନା ଅଧିକାରୀଙ୍କ ସମେତ ୨ଜଣ ଇନ୍ସପେକ୍ଟର, ୫ ଜଣ ସବଇନ୍ସପେକ୍ଟର, ୧୫ ଏଏସ୍‌ଆଇ, ୫ ହାବିଲଦାରଙ୍କ ସମେତ ୩୦ ପୋଲିସ ଅଫିସର, ୫ପ୍ଲାଟୁନ୍‌ ପୋଲିସ ଫୋର୍ସ ଓ ହୋମଗାର୍ଡ ଶାନ୍ତିଶୃଙ୍ଖଳା ରକ୍ଷା କରିଛନ୍ତି। ବିଭିନ୍ନ ସ୍ଥାନରେ ଯାନବାହନ ପାର୍କିଂ ବ୍ୟବସ୍ଥା କରାଯାଇଥିଲା । ଜିଲା ଲୋକ ସମ୍ପର୍କ ଓ ସୂଚନା ଅଧିକାର କାର୍ଯ୍ୟାଳୟ ।  ଓ ବଡ଼ସାହି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଆନୁକୂଲ୍ୟରେ ମେଳାରେ ଅସ୍ଥାୟୀ କେନ୍ଦ୍ର ଓ ଆଶୁ ଚିକିତ୍ସା ଶିବିର ମଧ୍ୟ ଖୋଲାଯାଇଛି। ଯଜ୍ଞକୁଣ୍ଡରେ ପ୍ରଦୂଷିତ ସାମଗ୍ରୀ ଯଥା ପଲିଥିନ, କାଗଜ, ପ୍ଲାଷ୍ଟିକ ଓ ଅନ୍ୟାନ ଦ୍ରବ୍ୟ ନିକ୍ଷେପକୁ ରୋକିଛନ୍ତି । ବଡ଼ସାହି ବଣିକ ସଂଘ ପକ୍ଷରୁ ବଜାର ଚତୁଃପାର୍ଶ୍ୱ ରାସ୍ତାରେ ପାଣି ସିଞ୍ଚନ କରିଛନ୍ତି । ଟ୍ରଷ୍ଟର ମୁଖ୍ୟ ସୁନୀଲ ଦାଶ ମେଳାରେ ବହୁ ଲୋକଙ୍କ ସମାଗମ ହୋଇଥିବା ପ୍ରକାଶ କରିଥିବା ବେଳେ ଶାନ୍ତିଶୃଙ୍ଖଳାର ସହିତ ମେଳା ସମ୍ପନ୍ନ ସାଙ୍ଗକୁ ପ୍ରଶାସନ ଓ ସମସ୍ତଙ୍କର ସହଯୋଗ ମିଳିଥିବାରୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

Leave A Reply

Your email address will not be published.