Latest Odisha News

ଶ୍ରୀକ୍ଷେତ୍ରର ପ୍ରସିଦ୍ଧ କୁତାମଚଣ୍ଡୀ; ଦେବୀଙ୍କ ପ୍ରଭାବରେ ମନ୍ଦିର ଛାଇ ମାଡ଼ିପାରନ୍ତିନି କୁକୁର !

ପୁରୀ: ମୁକ୍ତିମଣ୍ଡପର ପୂର୍ବ ଦିଗରେ ପ୍ରତିଷ୍ଠିତ କ୍ଷେତ୍ରପାଳ ମନ୍ଦିରର ପୂର୍ବ ପଟ କାନ୍ଥ ସଂଲଗ୍ନ ଏକ କୁକୁର (କୁତା) ଉପରେ ବିରାଜିତା ପ୍ରସ୍ତର ନିର୍ମିତ ଦେବୀ ବିଗ୍ରହ କୁତାମ ଚଣ୍ଡୀ ରୂପରେ ପୂଜିତା । ଅନନ୍ତ ବାସୁଦେବ ମନ୍ଦିରର ଉତ୍ତର ପାଖ କାନ୍ଥରେ (ଜଗମୋହନ ଆଡକୁ ମୁହଁ କରି) ଏକ କୁକୁର ମୂର୍ତି ପୂଜା ପାଉଛନ୍ତି । ଏହା ଦେବୀଙ୍କର ବାହାନ କୁକୁର ହୋଇ କୁତାମ ଚଣ୍ଡୀଙ୍କୁ ପ୍ରଣିପାତ କରି ରହିଛି ।

୧୪୯୮ ଖ୍ରୀଷ୍ଟାବ୍ଦରେ ଦେବୀ ପୂଜା ପାଇବା ଉଲ୍ଲେଖ ରହିଛି । ଶ୍ରୀଜୀଊଙ୍କ ଭୋଗ, ସେବା ପୂଜାରେ ବ୍ୟାଘାତ ହେବାରୁ ଉଜ୍ଜୟନୀରୁ ଆସିଥିବା ତାନ୍ତ୍ରିକ ଦିଗନା ପ୍ରତିକାର ସ୍ୱରୂପ କୁତାମ ଚଣ୍ଡୀ ସ୍ଥାପନ କରିଥିଲେ ।

ଏହା ପରେ ଶ୍ରୀମନ୍ଦିରକୁ ଆଉ କୁକୁର ପ୍ରବେଶ କଲେ ନାହିଁ । ଦିନେ କୁତାମ ଚଣ୍ଡୀ ରତ୍ନ ସିଂହାସନ ଗର୍ଭ ଗୃହରେ ପୂଜା ପାଉଥିଲେ । କିନ୍ତୁ ବାଦ ବିବାଦ ମଧ୍ୟରେ ମରହଟ୍ଟା ଶାସନ, ବୌଦ୍ଧ ଧର୍ମ ପ୍ରଭାବ ଓ ଇଂରାଜୀ ଶାସନ ମଧ୍ୟରେ ଏଠାକୁ ଅନ୍ୟ ଏକ ରୂପାନ୍ତରରେ ସ୍ଥାନାନ୍ତରିତ ହୋଇଥିବା ଜଣାଯାଇଛି ।

କୁତାମ ଚଣ୍ଡୀଙ୍କୁ ନେଇ ଭିନ୍ନ ଭିନ୍ନ ମତ ରହିଛି । କେତେକଙ୍କ ମତରେ କୁତାମ ଚଣ୍ଡୀଙ୍କ ଉପସ୍ଥିତି ଶ୍ରୀମନ୍ଦିରକୁ ତାନ୍ତ୍ରିକ ପୀଠ ସହ ଯୋଡୁଛି । ମରହଟ୍ଟା ଶାସନ ସମୟରେ ଠାକୁରାଣୀଙ୍କୁ ଚତୁର୍ଦ୍ଧାମୂର୍ତିଙ୍କ ନିକଟରେ ପ୍ରତିଷ୍ଠିତ କରାଯାଇଥିଲା । ପରେ ବୈଷ୍ଣବ ଧର୍ମୀମାନେ ଏହାକୁ ବିରୋଧ କରିବା ସହ ମୂର୍ତିକୁ ଭାଙ୍ଗି ରୁଜି ଦେଇଥିଲେ ।

ମରହଟ୍ଟା କୋର୍ଟରେ ଏଥିନେଇ ଏକ ମାମଲା ରୁଜୁ ହୋଇଥିଲା । କୋର୍ଟ ମୂର୍ତିକୁ ଯଥାସ୍ଥାନରେ ସ୍ଥାପନ କରିବା ନେଇ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ବୈଷ୍ଣବମାନେ ତୀବ୍ର ବିରୋଧ କରିବାରୁ ଶେଷର କ୍ଷେତ୍ରପାଳ ମନ୍ଦିର ନିକଟରେ ଏହାକୁ ନୂତନ ଭାବେ ସ୍ଥାପନ କରାଯାଇଥିଲା । ତେବେ ଏହାର ପ୍ରକୃତ ସତ୍ୟତା କିମ୍ବା ପ୍ରମାଣ ଆମ ନିକଟରେ ନାହିଁ ।

Leave A Reply

Your email address will not be published.