Latest Odisha News

ପାଲା ଜଗତର ସାରସ୍ୱତ ସାଧକ; ରଘୁନାଥ ଜେନାମଣି

ଭୁବନେଶ୍ୱର: ପେଶା ତାଙ୍କର ଶିକ୍ଷକତା, ହେଲେ ନିଶା ପାଲା । ସେ ହେଉଛନ୍ତି ବରିଷ୍ଠ ପାଲା ଗାୟକ ରଘୁନାଥ ଜେନାମଣି । ରାଜଧାନୀ ଉପକଣ୍ଠରେ ଘର, ଉଚ୍ଚଶିକ୍ଷିତ, ଚାହିଁଥିଲେ ବଡ ଚାକିରି କରିପାରିଥାନ୍ତେ, ହେଲେ ପାଲା ମାଧ୍ୟମରେ ସାହିତ୍ୟ ସାଧନାରେ ସେ ବ୍ରତୀ ହେଲେ ।

୧୯୫୬ ମସିହା ଜାନୁଆରି ୨୧ ତାରିଖରେ ଭୁବନେଶ୍ୱର ଉପକଣ୍ଠ ଗଡମଳିପଡାର ବୈଷ୍ଣବ ଚରଣ ଜେନାମଣି ଓ ପାର୍ବତୀ ଦେବୀଙ୍କ କୋଳମଣ୍ଡନ କରିଥିଲେ ରଘୁନାଥ । ବାପା ବୈଷ୍ଣବ ଚରଣ ଥିଲେ ବିଶିଷ୍ଟ ସଂକୀର୍ତ୍ତନ ଗୁରୁ ।

ସେ ଅନେକ ସଂକୀର୍ତ୍ତନ ଛାତ୍ରଛାତ୍ରୀ ସୃଷ୍ଟି କରିଛନ୍ତି, ନିଜେ ଧାନ ବିକ୍ରିକରି ସେମାନଙ୍କ ପାଇଁ ମୃଦଙ୍ଗ ଆଦି ସରଞ୍ଜାମ କିଣିଦିଅନ୍ତି । ପରିବାରରେ ଥିବା ଏହି ସଙ୍ଗୀତ ଓ ସାହିତ୍ୟର ମାହୋଲ ପିଲାଟି ଦିନରୁ ରଘୁନାଥଙ୍କ ଉପରେ ପଡିଥିଲା ।

ନିଜ ଗାଁରେ ପ୍ରାଥମିକ ଶିକ୍ଷା ଶେଷ ପରେ ରଘୁନାଥ ଉଚ୍ଚ ପ୍ରାଥମିକ ଏବଂ ହାଇସ୍କୁଲ ପଢିବା ପାଇଁ ପାତ୍ରପଡା ସ୍ଥିତ ମାମୁଁ ଘରକୁ ଚାଲିଯାଇଥିଲେ । ସେଠାରେ ଏକାଦଶ ପର୍ଯ୍ୟନ୍ତ ପଢିବା ପରେ ସେ ଇଂଟରମିଡିଏଟ୍ ପଢିଲେ ଖୋର୍ଦ୍ଧା ପ୍ରାଣନାଥ ମହାବିଦ୍ୟାଳ୍ୟୟରେ । ଏହାପରେ ରଘୁନାଥ ବିଜେବି କଲେଜରେ ଗ୍ରାଜୁଏସନ କରିଥିଲେ ।

ପାଠପଢାରେ ବେଶ୍ ଧୁରିଣ ଥିବା ରଘୁନାଥଙ୍କର ସଙ୍ଗୀତ ପ୍ରତି ଥିଲା ତାଙ୍କର ଅହେତୁକ ଦୁର୍ବଳତା । ତାଙ୍କ କଣ୍ଠ ଏତେ ସୁମଧୁର ଥିଲା ଯେ, ସେ ଯାହା ଗାଉଥିଲେ ଲୋକଙ୍କୁ ଆକୃଷ୍ଠ କରୁଥିଲା । ଏହି କଳା ଆଉ ଗଳା ତାଙ୍କୁ ପାଲା ଗାୟକ ହେବାରେ ସହାୟକ ହୋଇଥିଲା ।

ହାଇସ୍କୁଲରେ ପଢିବା ସମୟରେ ପ୍ରଧାନଶିକ୍ଷକ ଜଗବନ୍ଧୁ ସାହୁଙ୍କ ସାହିତ୍ୟ ପଢାରେ ରଘୁନାଥ ଆକୃଷ୍ଠ ହୋଇଥିଲେ । ପ୍ରଧାନଶିକ୍ଷକ ମଧ୍ୟ ପାଖରେ ବସାଇ ରଘୁନାଥଙ୍କୁ ଗୀତ ଶିଖାଉଥିଲେ । ବିଭିନ୍ନ ପ୍ରତିଯୋଗିତାରେ ସେ ଗୀତ ଗାଇ ପ୍ରଥମ କିମ୍ବା ଦ୍ୱିତୀୟ ହେଉଥିଲେ ।

୧୯୭୫ ମସିହାରେ କଲେଜରେ ପଢିବା ସମୟରେ ସେ ଅକ୍ଷୟ ମହାନ୍ତିଙ୍କଠାରୁ ପୁରସ୍କୃତ ହୋଇଥିଲେ, ସେହିପରି ୧୯୭୮ରେ ବିଜେବି କଲେଜରେ ଓଡିଶୀ ସଙ୍ଗୀତ ଗାୟନରେ ପ୍ରଥମ ସ୍ଥାନ ଅଧିକାର କରି ବାଣୀକଣ୍ଠ ନିମାଇଁ ଚରଣ ହରିିଚନ୍ଦନଙ୍କଠାରୁ ପୁରସ୍କାର ଗ୍ରହଣ କରିଥିଲେ ।

ପରେ ରଘୁନାଥ ଚାକିରିରେ ଯୋଗଦେଲେ, ନିଜ ଗ୍ରାମ ନିକଟସ୍ଥ ପାଇକିରାପୁର ହାଇସ୍କୁଲରେ ଶିକ୍ଷକତା କଲେ । ନିଜ ଗାଁର ଗାୟକ ଯଦୁମଣି ମହାପାତ୍ର ଏବଂ କକେଇ ତଥା ବାୟକ ଅବକାଶ ଦାଶ ରଘୁନାଥଙ୍କୁ ପାଲା ଗାୟକ ହେବା ପାଇଁ ଉତ୍ସାହିତ କରିଥିଲେ । ୧୯୮୧ ମସିହା ଦଶହରା ଦିନ ସେ ବିଶିଷ୍ଟ ଗାୟକ ଯଦୁମଣି ମହାପାତ୍ରଙ୍କଠାରୁ ଚାମର ଗ୍ରହଣ କରିଥିଲେ ।

ପରବର୍ତ୍ତୀ ସମୟରେ ଗାୟକ ବଂଶୀଧର ମହାପାତ୍ରଙ୍କୁ ମଧ୍ୟ ସେ ଗୁରୁ ରୂପେ ଗ୍ରହଣ କରିଥିଲେ । ସୁନ୍ଦର ଗଳା ସାଙ୍ଗକୁ ସୁମଧୁର ଗାୟନ ଶ୍ରୀଯୁକ୍ତ ଜେନାମଣିଙ୍କୁ ପାଲା ଜଗତରେ ପରିଚିତ କରିଥିଲ।।

ରାଜ୍ୟର ପୁରପଲ୍ଲୀରେ ପାଲା ଗାୟନ କରି ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ ହୋଇଛନ୍ତି । ୨୦୧୪ ମସିହାରେ ଶିକ୍ଷକତାରୁ ଅବସର ନେବା ପରେ ଏବେ ସେ ପାଲାରେ ସମ୍ପୂର୍ଣ୍ଣ ସମୟ ବିନିଯୋଗ କରୁଛନ୍ତି ।

 

Leave A Reply

Your email address will not be published.