Latest Odisha News

BREAKING NEWS

ପାଲା ଜଗତର ଖ୍ୟାତାନାମା ଗାୟକ: ବୈରାଗୀ ବେହେରା

ଭୁବନେଶ୍ୱର: ପାଲାରେ ନବ ରସ ପରିବେଷଣ କରି ସବୁ ବର୍ଗର ଦର୍ଶକଙ୍କ ମନକୁ ବାନ୍ଧିରଖି ପାରୁଥିବା ସଫଳ ଗାୟକ ହେଉଛନ୍ତି ବୈରାଗୀ ବେହେରା ।

ପୁରାତନ ପାଲାକୁ ସେହି ପୁରୁଣା ଢଙ୍ଗରେ ସେ ଏଭଳି ରସସିକ୍ତ କରିଥାନ୍ତି ଯେ, ତାଙ୍କ ପାଲା ଯାହା କାନରେ ଥରେ ବାଜିଯାଏ ଶେଷ ପର୍ଯ୍ୟନ୍ତ ସେ ଉଠି ପାରିନଥାଏ । ଯେଉଁ ସମୟରେ ଯୁବ ପୀଢି ପାଲାଠାରୁ ଦୂରେ ଯାଉଛନ୍ତି ସେଇ ସମୟରେ ସେମାନଙ୍କୁ ପାଲା ପ୍ରେମରେ ବାନ୍ଧିବାରେ ସକ୍ଷମ ପାଲା ଗାୟକ ହେଉଛନ୍ତି ବୈରାଗୀ ବେହେରା ।

୧୯୪୮ ମସିହାରେ ଯାଜପୁର ଜିଲ୍ଲା ଅନ୍ତର୍ଗତ ଇନ୍ଦାରୋଇ ଗ୍ରାମରେ ବୈରାଗୀ ବେହେରା ଜନ୍ମ ଗ୍ରହଣ କରିଥିଲେ । ବାପା ଧୋଇ ବେହେରା ଓ ମାଆ ମେଙ୍କ ବେହେରାଙ୍କ ୫ ପୁଅ ଓ ୫ ଝିଅ ମଧ୍ୟରେ ସବୁଠୁ ବଡ ବୈରାଗୀ । ପିଲାଟି ଦିନରୁ ସେ ଥିଲେ ସାହିତ୍ୟ ଓ ସଙ୍ଗୀତ ପ୍ରେମୀ । ଗାଁ ସ୍କୁଲରେ ପ୍ରାଥମିକ ବିଦ୍ୟାଳୟରେ ପଢୁଥିବା ବେଳେ ନୃସିଂହ ସାର୍ ତାଙ୍କୁ ପାଲା ଶିଖାଇଥିଲେ । ଯଦିଓ ସେତେବେଳେ ସେ ପାଲା ଗାୟକ ହେବାର ପରିକଳ୍ପନା କରିନଥିଲେ । ପରବର୍ତ୍ତୀ ସମୟରେ ସେ ସପ୍ତମ ଶ୍ରେଣୀରେ ପଢିବା ବେଳକୁ ପାଲା ପ୍ରତି ଆକୃଷ୍ଟ ହେଲେ । ଗ୍ରାମ ନିକଟ ସାହସପୁର ସ୍କୁଲରେ ସପ୍ତମ ଶ୍ରେଣୀରେ ପଢିବା ସମୟରେ ସେ ପାଲା ଗାଇବା ଆରମ୍ଭ କରିଥିଲେ । ଅଷ୍ଟମ ଶ୍ରେଣୀରେ ଯେତେବେଳେ ପାଠ ପଢା ବନ୍ଦ ହେଲା ସେ କେବଳ ପାଲାରେ ହିଁ ମନୋନିବେଶ କଲେ । ୧୬-୧୭ ବର୍ଷ ବୟସ ବେଳକୁ ସେ କରୁଣାଗୁଆଳି ଗ୍ରାମର ଗାୟକ ବିମ୍ବାଧର ଧଳଙ୍କଠାରୁ ପାଲା ଶିଖିବା ଆରମ୍ଭ କଲେ ।

ପରେ ସେ ବିଖ୍ୟାତ ଗାୟକ ପରମାନନ୍ଦ ଶରଣଙ୍କୁ ଗୁରୁ ଭାବେ ବରଣ କରି ତାଙ୍କଠାରୁ ଚାମର ଗ୍ରହଣ କଲେ । ପାଲଟପୁର ଗାଁର ଗାୟକ ତଥା ପଣ୍ଡିତ ସପନି ବେହେରା ଓ ଭାଗିରଥୀ ରାଉତଙ୍କ ପାଖରୁ ୮ ବର୍ଷ ସଂସ୍କୃତ ଶିଖିଲେ । ବିଶେଷ କରି ସପନି ବେହେରାଙ୍କଠାରୁ ତତ୍ୱ ଏବଂ ଭାଗିରଥୀ ରାଉତଙ୍କଠାରୁ ସଂସ୍କୃତ ସାହିତ୍ୟ ଉପରେ ଜ୍ଞାନ ଗ୍ରହଣ କଲେ, ଯାହା ତାଙ୍କୁ ପ୍ରତିଷ୍ଠିତ ଗାୟକ କରିବାରେ ବେଶ୍ ସହାୟକ ହୋଇଥିଲା ।

ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସଙ୍କ ସଙ୍ଗୀତ ଗାୟନକୁ ମଧ୍ୟ ଅନୁକରଣ କରୁଥିଲେ ବୈରାଗୀ ବେହେରା । ନିଆରା ପାଲା ପରିବେଷଣ ଏବଂ ତତ୍ୱ ବର୍ଣ୍ଣନାରେ ସେ ଏତେ ଧୂରିଣ ଯେ ପାଲା ଜଗତରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।

ଅତି ଅଳ୍ପ ବୟସରେ ମଧ୍ୟ ସେ ଗାୟକ ସମ୍ରାଟ୍ ବୈଷ୍ଣବ ଚରଣ ପ୍ରଧାନଙ୍କଠାରୁ ଜଗନ୍ନାଥ ବେହେରା, କୁଳମଣି ସତପଥି, କ୍ଷେତ୍ରବାସୀ ମିଶ୍ର ଆଦି ବହୁ ବରିଷ୍ଠ ଗାୟକଙ୍କ ସହ ବାଦିପାଲାରେ ଅବତିର୍ଣ୍ଣ ହୋଇପାରିଥିଲେ । ଏହି ବରିଷ୍ଠ ଗାୟକମାନେ ମଧ୍ୟ ବୈରାଗୀ ବେହେରାଙ୍କ ପାଲାରେ ମୁଗ୍ଧ ହୋଇ ତାଙ୍କୁ ଆଶୀର୍ବାଦ କରୁଥିଲେ ପ୍ରତିଷ୍ଠା ଅର୍ଜନ କରିବା ପାଇଁ । ନିଜର ସରଳ ଜୀବନ ଶୈଳୀ ଏବଂ ନିଷ୍କପଟ ବ୍ୟବହାର ପାଇଁ ସେ ସମସ୍ତଙ୍କର ପ୍ରିୟପାତ୍ର ହୋଇପାରିଛନ୍ତି ।

ବର୍ତ୍ତମାନର ପ୍ରତିଷ୍ଠିତ ଗାୟକ ଲକ୍ଷ୍ମୀଧର ରାଉତ, ବଳଭଦ୍ର ପଣ୍ଡା, ଲକ୍ଷ୍ମୀଧର ଦାଶ, ଦତକୃଷ୍ଣ ପଣ୍ଡା ଆଦି ଗାୟକଙ୍କ ସହ ସେ ବର୍ଷ ତମାମ ବାଦିପାଲା ପରିବେଷଣ କରୁଛନ୍ତି । ତେବେ ଗାୟକ ଆଚାର୍ଯ୍ୟ ତଥା ମାଳିକା ସମ୍ରାଟ୍ ଅମର ଦାସଙ୍କ ସହ ବୈରାଗୀ ବେହେରାଙ୍କର ବାଦିପାଲା ବେଶ୍ ମନଛୁଆଁ ହେଉଥିଲା । ପ୍ରତିବର୍ଷ ସେ ସର୍ବାଧିକ ପାଲା ଗାଉଥିଲେ ଅମର ଦାସଙ୍କ ସହ । ତେବେ ଦୁଇ ବର୍ଷ ତଳେ ଅମର ଦାସଙ୍କ ଦେହାନ୍ତ ହୋଇଯିବାରୁ ସେ ଜଣେ ପରମ ବନ୍ଧୁଙ୍କ ହରାଇଥିବା କହନ୍ତି ବୈରାଗୀ ବେହେରା ।

Leave A Reply

Your email address will not be published.