Latest Odisha News

BREAKING NEWS

କରୁଣ ରସର ସମ୍ରାଟ୍: ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ

ଭୁବନେଶ୍ୱର: ଗାୟକ ରତ୍ନ ଲୋକନାଥ କରଙ୍କ ପ୍ରସିଦ୍ଧ କୋଇଲି କବିତା ସେ ଯେତେବେଳେ ମଞ୍ଚରେ ଗାୟନ କରନ୍ତି ଉପସ୍ଥିତ ଦର୍ଶକଙ୍କ ଆଖି ଲୁହରେ ଭିଜିଯାଏ । ସେ ଯେଉଁ ମଞ୍ଚକୁ ପାଲା ଗାଇବାକୁ ଯାଆନ୍ତି ସବୁଠି ଲୋକଙ୍କର ଦାବି ଥାଏ ତାଙ୍କରି ମୁହଁରୁ କୋଇଲି ଶୁଣିବା ପାଇଁ । କରୁଣ ରସ ସମେତ ଭାବପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଦର୍ଶକଙ୍କୁ ବିଳମ୍ବିତ ରାତି ପର‌୍ୟ୍ୟନ୍ତ ବାନ୍ଧି ରଖୁଥିବା ଗାୟନାଚାର‌୍ୟ୍ୟ ହେଉଛନ୍ତି ଗାୟକ କୌସ୍ତୁଭ ରବୀନ୍ଦ୍ର କୁମାର ସାମନ୍ତରାୟ ।

ଖୋର୍ଦ୍ଧ ଜିଲ୍ଲା ଅନ୍ତର୍ଗତ ଭୁଷଣ୍ଡପୁର ଗ୍ରାମରେ ୧୯୬୨ ମସିହାରେ ଏକ ବ୍ରାହ୍ମଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ ରବୀନ୍ଦ୍ର । ବାପା ବଂଶୀଧର ସାମନ୍ତରାୟ ଓ ମାଆ ବିଳାସିନୀ ସାମନ୍ତରାୟ । ପିଲାଟି ଦିନରୁ ପାଠ ପଢା ସହ ଖେଳ କସରତ କରିବା ଥିଲେ ରବୀନ୍ଦ୍ରଙ୍କ ଅଭ୍ୟାସ । ଛୋଟବେଳୁ କଳା, ସାହିତ୍ୟ ଓ ସଙ୍ଗୀତ ପ୍ରତି ମଧ୍ୟ ରହିଥିଲା ଅହେତୁକ ଆଗ୍ରହ । ସେହି ଗ୍ରାମରେ ଜନ୍ମ ନେଇଥିଲେ ଓଡିଶାର ପ୍ରଖ୍ୟାତ ପାଲା ଗାୟକ ମାର୍କଣ୍ଡେୟ ବାହିନୀପତି । ପିଲାଦିନରୁ ବାହିନୀପତିଙ୍କ ପ୍ରଭାବ ପଡିଥିଲା ରବୀନ୍ଦ୍ରଙ୍କ ଉପରେ । ସେ ଛୋଟବେଳୁ ପାଲା ଦେଖିବା ସହ ପାଲା କଳାକାରଙ୍କ ସହ ମିଶିବାର ସୁଯୋଗ ମଧ୍ୟ ପାଇଥିଲେ ।

୧୯୭୯ ମସିହାରେ ମାଟ୍ରିକ ପାସ୍ କରି ଆଇଏ ପଢୁଥିବା ସମୟରେ ରବୀନ୍ଦ୍ର ପାଲା ଶିଖିବା ପାଇଁ ମନ ବଳାଇଲେ । ମାନସିକ ସ୍ତରରେ ସ୍ୱର୍ଗତ ବାହିନୀପତିଙ୍କୁ ଗୁରୁରୁପେ ଧ୍ୟାନ କରି ପାଲାରେ ଆଗକୁ ଆଗେଇବା ବେଳେ ପଣ୍ଡିତ ମହେଶ୍ୱର ଦାଶଙ୍କର ଅସୀମ କରୁଣା ଲାଭ କଲେ । ସେ ରବୀନ୍ଦ୍ରଙ୍କୁ ସଂସ୍କୃତ ସାହିତ୍ୟରେ ଦକ୍ଷତା ଅର୍ଜନ କ୍ଷେତ୍ରରେ ଅକୁଣ୍ଠ ସହାୟତା ପ୍ରଦାନ କଲେ । ସେହିପରି ଗାୟକ ପ୍ରଦୀପ ଭ୍ରମରବର ମହାରଣାଙ୍କୁ ମଧ୍ୟ ଗୁରୁ ରୁପେ ବାଛିନେଲେ ରବୀନ୍ଦ୍ର । ପାଠପଢା ସହିତ ପାଲା ମଧ୍ୟ ଚାଲିିଥାଏ । ପ୍ରଚଣ୍ଡ ଅଧ୍ୟବସାୟ ଏବଂ ବିଭୁ କୃପାରୁ ଧୀରେ ଧୀରେ ରବୀନ୍ଦ୍ର ସାରା ରାଜ୍ୟରେ ଜଣେ ପ୍ରତିଷ୍ଠିତ ଗାୟକ ଭାବେ ପରିଚିତ ହେଲେ ।

ରାଜ୍ୟର ବିଭିନ୍ନ ପାଲା ମଞ୍ଚରେ ଆଗଧାଡିର ଗାୟକ ମାନଙ୍କ ସହ ବାଦିପାଲାରେ ଅବତୀର୍ଣ୍ଣ ହୋଇ ରବୀନ୍ଦ୍ର ସାମନ୍ତରାୟ ବହୁ ପ୍ରଶଂସାର ଅଧିକାରୀ ହୋଇଛନ୍ତି । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର, ଉପାଧି ଓ ସମ୍ବର୍ଦ୍ଧନା । ତେବେ ପାଲା ଜଗତରେ ସେ ଗାୟକ କୌସ୍ତୁଭ ଭାବରେ ପରିଚିତ । ସାଧାରଣ ଜୀବନରେ ବେଶ୍ ସ୍ପଷ୍ଟବାଦୀ ରବୀନ୍ଦ୍ର ସାମନ୍ତରାୟ । ତାଙ୍କ ଉଚ୍ଚାରଣ ଯାହା ଆଚରଣରେ ମଧ୍ୟ ତାହା ପ୍ରତିଫଳିତ । ପାଲା ପାଇଁ ନିଜକୁ ସମର୍ପଣ କରି ଉଚ୍ଚ ସରକାରୀ ଚାକିରିକୁ ସେ ପ୍ରତ୍ୟାକ୍ଷାନ କରିଦେଇଥିଲେ । ପାଲା ସହ ଜଣେ ପରୋପକାରୀ ସମାଜ ସଂସ୍କାରକ, ସମାଜସେବୀ ଭାବରେ ସେ ପରିଚିତ ।

ଗାଁ ମାଟି ପାଇଁ କିଛି କରିବା, ଅଞ୍ଚଳର ଆଧ୍ୟାତ୍ମିକ ଓ ସାମାଜିକ ବିକାଶ ପାଇଁ ସେ ସଦା ତତ୍ପର । ପାଲା ଜଗତରେ ରବୀନ୍ଦ୍ର ସାମନ୍ତରାୟ ଭାବେ ପରିଚିତ ହେଉଥିବା ବେଳେ କିନ୍ତୁ ଭୁଷଣ୍ଡପୁର ଅଞ୍ଚଳରେ ସେ ରବି ଭାଇନା ଭାବେ ଘରେ ଘରେ ସୁପରିଚିତ ।

ପାଲା କଳାର ପ୍ରଚାର ପ୍ରସାର ସହ ଏହାର ମାନବୃଦ୍ଧି ପାଇଁ ମଧ୍ୟ ସବୁବେଳେ ରବୀନ୍ଦ୍ର ସାମନ୍ତରାୟ ପ୍ରୟାସ ଜାରି ରଖିଛନ୍ତି । ସମୟ ସହ ତାଳ ଦେଇ ପାଲାକୁ ଯୁଗୋପଯୋଗୀ କରିବା ପାଇଁ ମଧ୍ୟ ସେ ସବୁବେଳେ ଚେଷ୍ଟିତ । ଜଣେ ଭାଷାବିତ୍, ସମାଜ ସଂସ୍କାରକ, ଜଗନ୍ନାଥ ସଂସ୍କୃତିପ୍ରେମୀ ତଥା ଭାବପୂର୍ଣ୍ଣ ଗାୟକ ଭାବେ ପ୍ରସିଦ୍ଧ ରବୀନ୍ଦ୍ର ସାମନ୍ତରାୟ । ଗୁରୁଜନଙ୍କୁ ସମ୍ମାନ ଓ ଅନୁଜମାନଙ୍କୁ ଅସୀମ ସ୍ନେହଶ୍ରଦ୍ଧା ପ୍ରଦାନରେ ସେ କେବେ କୁଣ୍ଠିତ ହୋଇନାହାଁନ୍ତି । ଖାସ୍ ଏଥିପାଇଁ ସେ ସବୁ ବର୍ଗର ପାଲା କଳାକାରଙ୍କର ପ୍ରିୟ ପାତ୍ର ହୋଇପାରିଛନ୍ତି ।

Leave A Reply

Your email address will not be published.