Latest Odisha News

BREAKING NEWS

ପାଲା ଜଗତର ପ୍ରଚଣ୍ଡ ପ୍ରତିଭା: ଗାୟକ ଶିରୋମଣି ନିରଞ୍ଜନ କର

ଭୁବନେଶ୍ୱର: ପାଲା ଜଗତରେ ସର୍ବୋଚ୍ଚ ଶିଖରେ ପହଞ୍ଚିଥିବା ବ୍ୟକ୍ତି ତଥା ପାଲାକୁ ସାଧାରଣ ଲୋକଙ୍କଠାରୁ ନେଇ ବୁଦ୍ଧିଜୀବୀଙ୍କ ପାଖରେ ପହଞ୍ଚାଇଥିବା ବ୍ୟକ୍ତିତ୍ୱର ଅଧିକାରୀ ହେଉଛନ୍ତି ଗାୟକ ଶିରୋମଣି ନିରଞ୍ଜନ କର । ନିରଞ୍ଜନଙ୍କ ପୂର୍ବରୁ ପାଲା ଥିଲା ଅନ୍ୟ ଏକ ରୂପରେ, କିନ୍ତୁ ଗାୟକ ରତ୍ନ ହରିନାଥଙ୍କ ସହ ମିଶି ସେ ଏହାକୁ ଆଜିର ରୂପ ଦେଇଥିଲେ । ପାଲାକୁ କେବଳ ଗ୍ରାମୀଣ ସ୍ତରରେ ନରଖି ସେ ଏହାକୁ ଶିକ୍ଷିତ, ସାହିତ୍ୟିକ, ବୁଦ୍ଧିଜୀବୀ, ଜ୍ଞାନୀଗୁଣି ଲୋକଙ୍କ ପାଖରେ ପହଞ୍ଚାଇଥିଲେ । କହିବାକୁ ଗଲେ ତାଙ୍କରି ସମୟରେ ହିଁ ପାଲାରେ ଏକ ନୂଆ ଯୁଗର ଅୟମାରମ୍ଭ ହୋଇଥିଲା, ଯାହାକୁ ପାଲାର ସୁବର୍ଣ୍ଣ ଯୁଗ ବୋଲି କୁହାଯାଇପାରେ ।

କଟକ ଜିଲ୍ଲା ଚାନ୍ଦୋଳ ଉପଖଣ୍ଡ ଦେଶପୁର ଗ୍ରାମରେ ୧୯୧୦ ମସିହା ଫାଲଗୁନ ଶୁକ୍ଳ ଦଶମୀରେ ନିିରଞ୍ଜନ କର ଜନ୍ମ ଗ୍ରହଣ କରିଥିଲେ । ବାପା ରଘୁନାଥ କର ଓ ମାଆ ଇନ୍ଦ୍ରାମଣି । ଗାଁ ଚାଟଶାଳୀରେ ସେ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ପିଲା ଦିନରୁ କଳା, ସାହିତ୍ୟ ପ୍ରତି ଥିଲା ରୁଚି, ବିଶେଷ କରି ସେ ଯାତ୍ରା ଦଳରେ ମିଶି ନାଟକ ପ୍ରତି ଆଗ୍ରହୀ ଥିଲେ । ସେତେବେଳେ ପରିବାରର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ନଥିବାରୁ ନିରଞ୍ଜନ କଲିକତା ଚାଲିଯାଇଥିଲେ । ସେତେବେଳେ କଲିକତାରେ ରହୁଥିଲେ ତାଙ୍କରି ଗାଁର କୀର୍ତ୍ତନ ଏବଂ ଜନାର୍ଦ୍ଦନ ପ୍ରଧାନ । ୧୯୨୮ ମସିହାରେ ସେ ସେହି କଲିକତାରେ ପ୍ରଥମେ ପାଲା ଗାଇବା ଆରମ୍ଭ କଲେ । କଲିକତାରେ ଥିବା ବେଳେ ଯାଜପୁର ଜିଲ୍ଲାର ପ୍ରସିଦ୍ଧ ଗାୟକ ଦୁର୍ଯ୍ୟୋଧନ ପଣ୍ଡାଙ୍କୁ ସେ ପାଲା ଗୁରୁ ଭାବେ ଗ୍ରହଣ କଲେ । ଏହାପରେ ନିରଞ୍ଜନ ଓଡିଶା ଫେରି ବିଭିନ୍ନ ସ୍ଥାନରେ ପାଲା ଗାଇଲେ ।

ଅସାଧାରଣ ଧୀଶକ୍ତି ଏବଂ ପ୍ରତିତ୍ପନ୍ନମତିତାର ଅଧିକାରୀ ଥିଲେ ନିରଞ୍ଜନ କର । ପୁରାତନ କାବ୍ୟ ନାଟକ ସହ ସେ ତକ୍ରାଳୀନ ସାହିତ୍ୟକୁ ଆଣି ପାଲାରେ ପରିବେଷଣ କଲେ ଯାହା ତାଙ୍କୁ ପ୍ରସିଦ୍ଧି ଆଣିଦେଲା । ଅଳ୍ପ ଦିନ ମଧ୍ୟରେ ସେ ରାଜ୍ୟର କୋଣଅନୁକୋଣରେ ଜଣେ ବିଶିଷ୍ଟ ଗାୟକ ଭାବେ ପରିଚିତ ହୋଇଗଲେ । ୧୯୪୮ ମସିହାରେ ରେଭେନ୍ସା କଲେଜରେ ଗାୟକ ରତ୍ନ ହରିନାଥଙ୍କ ସହ ବାଦିପାଲା ଗାୟନ କରି ଗାୟକ ଶିରୋମଣି ଉପାଧି ଲାଭ କଲେ । ସାହିତ୍ୟିକ ଆର୍ତ୍ତବଲ୍ଲଭ ମହାନ୍ତି, ଜୟକୃଷ୍ଣ ମିଶ୍ର, ଚିନ୍ତାମଣି ଆଚାର୍ଯ୍ୟ, ଏପରି କି ହରେକୃଷ୍ଣ ମହତାବଙ୍କ ଦ୍ୱାରା ମଧ୍ୟ ସେ ଉଚ୍ଚ ପ୍ରଶଂସିତ ହୋଇଥିଲେ । ଏହାପରଠାରୁ ସେ ଅନେକ ଥର ରେଭନସାରେ ପାଲା ଗାଇବା ସହ ବହୁ ରାଜବାଟୀ ଓ ପାଲା ଅନୁଷ୍ଠାନରେ ଗାୟନ କରି ପ୍ରଶଂସାର ଅଧିକାରୀ ହୋଇଥିଲେ ।

ଆଠଗଡ ରାଜବାଟୀରେ ଏକସମୟରେ ୪୮ ରାତି ପାଲା ଗାୟନ କରି ସେ ନିଜ ଦକ୍ଷତା ପ୍ରତିପାଦନ କରିଥିଲେ ।

ପାଲା ଜଗତର ଏହି ପ୍ରଚଣ୍ଡ ପ୍ରତିଭା ଅନେକ କାବ୍ୟ କବିତା ମଧ୍ୟ ରଚନା କରିଯାଇଛନ୍ତି ।

ମାତୃଭକ୍ତି, ସେତୁବନ୍ଧ ପ୍ରତିଷ୍ଠା, ମହୀରାବଣ ବଧ, ଶଶିରେଖା ପରିଣୟ, ଦିଲ୍ଲୀପ ଗୋଚାରଣ, ପ୍ରଭାସ ଯଜ୍ଞ, କଚ ଦେବଯାନୀ, ବିଲ୍ୱମଙ୍ଗଳ ଆଦି ଅନେକ କାବ୍ୟ ନିରଞ୍ଜନ କର ରଚନା କରିଛନ୍ତି ଯାହାକୁ ଆଜି ମଧ୍ୟ ଗାୟକମାନେ ପାଲାରେ ପରିବେଷଣ କରୁଛନ୍ତି ।

ଆଜି ନିରଞ୍ଜନ କରଙ୍କ ପାର୍ଥିବ ଶରୀର ନାହିଁ ସତ ହେଲେ ପାଲା ଆକାଶରେ ଆଜି ମଧ୍ୟ ସେ ମଧ୍ୟାହ୍ନ ସୂର୍ଯ୍ୟଭଳି ଦୀପ୍ତିମନ୍ତ ହୋଇରହିଛନ୍ତି ।

ଯେତେଦିନ ପର୍ଯ୍ୟନ୍ତ ପାଲା ଥିବ ଆଉ ପାଲା ଗାୟକଙ୍କୁ ନେଇ ଆଲୋଚନା ହେଉଥିବ, ସେତେଦିନ ପର୍ଯ୍ୟନ୍ତ ପ୍ରଥମେ ଆସୁଥିବ ନିରଞ୍ଜନ କରଙ୍କ ନାଁ ।

Comments are closed.