Latest Odisha News

BREAKING NEWS

ପ୍ରଖ୍ୟାତ ଗାୟକ ହରେକୃଷ୍ଣ ନାଥ; ପିଲାଟି ବେଳୁ ପାଲା ଗାୟନରେ ଥିଲେ ସିଦ୍ଧହସ୍ତ !

ଭୁବନେଶ୍ୱର: ପାଲା ଜଗତର ସୁଯୋଗ୍ୟ ସନ୍ତାନମାନଙ୍କର କଥା ଯେତେବେଳେ ଆସେ ପ୍ରଥମେ ହରେକୃଷ୍ଣ ନାଥ ବା ହରି ନାଥଙ୍କ ନାଁ ଆସିଥାଏ । ସାରା ରାଜ୍ୟରେ ସେ ଏହି ହରି ନାଥ ନାମରେ ହିଁ ପରିଚିତ । ପାଲା ଜଗତର ଏହି ଅମ୍ଳାନ ପ୍ରତିଭା ୧୯୦୯ ମସିହାରେ କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ତରଡିପାଳ ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ବାପା ମଣି ନାଥ ଏବଂ ମାଆ ଚମ୍ପାଦେବୀ । ବାପା ମଣି ନାଥ ଏବଂ ବଡଭାଇ ନରି ନାଥ ଥିଲେ ପ୍ରସିଦ୍ଧ ଗାୟକ । ପିଲାଦିନରୁ ଏମାନଙ୍କର ପ୍ରଭାବ ପଡିଥିଲା ହରି ନାଥଙ୍କ ଉପରେ । ଗାଁ ଚାଟଶାଳୀରେ ସେ ପଞ୍ଚମ ଯାଏଁ ପାଠ ପଢିଲେ । ଏହାପରେ କୁଲାଟ ସ୍ଥିତ ଦଧିବାମନ ଜୀଉ ସଂସ୍କୃତ ଟୋଲରେ ସଂସ୍କୃତ ଶିଖିଲେ ।

୧୬ ବର୍ଷ ବୟସ ସମୟରେ ହରି ନାଥ ପାଲା ଶିଖିବା ଆରମ୍ଭ କଲେ । ବାପାଙ୍କ ପାଳିଆ ଚେମୁ ଧଳ ଥିଲେ ହରି ନାଥଙ୍କର ପ୍ରଥମ ପାଲା ଗୁରୁ । ପାଲା ଶିଖିବା ଆଗରୁ ସେ ନିଜ ଗାଁରେ ଏକ ନାଟଦଳ ଗଠନ କରି ତାର ନିର୍ଦ୍ଦେଶକ ଥିଲେ । ସେ ବଂଶୀ, ମୃଦଙ୍ଗ ଏବଂ ବେହେଲା ବାଦନ କରିବାରେ ସିିଦ୍ଧହସ୍ତ ଥିଲେ । ଅତି ଅଳ୍ପ ବୟସରେ ହରି ନାଥଙ୍କର ପତ୍ନୀ ବିୟୋଗ ଘଟିଲା, ଯାହାର ପ୍ରଭାବ ପଡିଥିଲା ତାଙ୍କ ପାଲା ଉପରେ । ଏହି ଦୁଃଖ ହିଁ ତାଙ୍କୁ ପରବର୍ତ୍ତୀ ସମୟରେ ଭକ୍ତି ଆଉ କରୁଣ ରସ ପରିବେଷଣ କଲାବେଳେ ବାସ୍ତବବାଦୀ କରିଦେଉଥିଲା । ସେ ଏତେ ତଲୀନ ହୋଇଯାଉଥିଲେ ଯେ, ସେ ନିଜେ କାନ୍ଦି ପକାଉଥିଲେ, ଆଉ ଦର୍ଶକଙ୍କୁ କନ୍ଦାଇଦେଉଥିଲେ ।

୧୯୪୮ ମସିହାରେ ରେଭେନସା କଲେଜରେ ସେ ବାଦିପାଲା ପରିବେଷଣ କରିଥିଲେ । ସେ ସମୟରେ ତାଙ୍କ ବିପକ୍ଷରେ ଥିଲେ ଗାୟକ ଶିରୋମଣି ନିରଞ୍ଜନ କର । ଏହି ପାଲାରେ ସେ ପ୍ରଥମେ ପୁରାତନ ପାଲା ପୋଷାକରେ ପରିବର୍ତ୍ତନ ଆଣିଥିଲେ । ପରବର୍ତ୍ତୀ ସମୟରେ ଅନ୍ୟ ଗାୟକମାନେ ତାକୁ ଅନୁସରଣ କରିଥିଲେ ।

ଗାୟକ ରତ୍ନ ହରି ନାଥ ଏବଂ ଗାୟକ ଶିରୋମଣି ନିରଞ୍ଜନ କରଙ୍କ ପାଲା ଯୋଡି ସେ ସମୟରେ ସାରା ରାଜ୍ୟରେ ଚହଳ ପକାଇଦେଇଥିଲା । ନିରଞ୍ଜନ କର ପ୍ରଚଣ୍ଡ ବାଗ୍ମୀ ଥିବା ବେଳେ ହରିନାଥ ଥିିଲେ ରସର ଭଣ୍ଡାର । ତାଙ୍କ ଗାୟନ ଶୈଳୀ ଆଜି ମଧ୍ୟ ପାଲା ଜଗତ ପାଇଁ ମାଇଲ ଖୁଣ୍ଟ ହୋଇ ରହିଯାଇଛି । ୧୯୭୦ ମସିହାରେ ସେ ଗାୟକ ଶିରୋମଣି ନିରଞ୍ଜନ କରଙ୍କ ସହ ରେଭେନସା କଲେଜର ଶତବାର୍ଷିକୀ ଉତ୍ସବରେ ପାଲା ପରିବେଷଣ କରି ହଜାର ହଜାର ଦର୍ଶକଙ୍କ ମନ ଜିଣିନେଇଥିଲେ । ପ୍ରତିବର୍ଷ ଦୁର୍ଗାପୂଜା ସମୟରେ ପଞ୍ଚମୀଠାରୁ ଦଶମୀ ପର୍ଯ୍ୟନ୍ତ ସେ ଆଳି ରାଜବାଟୀରେ ପାଲା ପରିବେଷଣ କରିଥାନ୍ତି । ତାଙ୍କ ପାଲାରେ ମୁଗ୍ଧ ହୋଇ ଆଳିରାଜା ବ୍ରଜ ସୁନ୍ଦର ଦେବ ତାଙ୍କୁ ନଅ ଏକର ଜମି ଜାଗିରି ଦେଇଥିଲେ ।
ହରି ନାଥ ଶ୍ରେଷ୍ଠ ପାଲା ଗାୟକ ହେବା ସହ ଜଣେ ପ୍ରତିଷ୍ଠିତ କବି ମଧ୍ୟ । ସେ ବହୁ ପାଲା କାବ୍ୟ କବିତା ସହ ଅନେକ ଭଜନ ଓ ଜଣାଣ ମଧ୍ୟ ରଚନା କରିଯାଇଛନ୍ତି, ଯାହାକୁ ଆଜି ମଧ୍ୟ ପାଲା ଗାୟକମାନେ ପରିବେଷଣ କରୁଛନ୍ତି । ୧୯୭୨ ମସିହା ଜୁନ ୯ ତାରିଖରେ ଏହି ମହାନ କଳାକାରଙ୍କର ତିରୋଧାନ ଘଟିଥିଲା ।

Leave A Reply

Your email address will not be published.