Latest Odisha News

BREAKING NEWS

ପାଲା ଜଗତର ଅନନ୍ୟ ପ୍ରତିଭା; ପୁରୁଷ ସରସ୍ୱତୀ କାହ୍ନୁଚରଣ ପତ୍ରୀ

ଭୁବନେଶ୍ୱର: ପୁରୁଷ ସରସ୍ୱତୀ ଏଭଳି ଏକ ଉପାଧି, ଯାହା ଶୁଣିବା ବେଳକୁ ଭିନ୍ନ ଲାଗିବା ସ୍ୱାଭାବିକ । ଏହିଭଳି ଏକ ଉପାଧି ପାଇଛନ୍ତି ଗାୟକ କାହ୍ନୁଚରଣ ପତ୍ରୀ ।

ଦେଶର ସମସ୍ତ ବଡବଡ ବିଦ୍ୱାନମାନଙ୍କ ଉପସ୍ଥିତିରେ ସ୍ୱୟଂ କାଞ୍ଚି ଶଙ୍କରାଚାର୍ଯ୍ୟ ତାଙ୍କୁ ଏହି ଉପାଧି ପ୍ରଦାନ କରିଥିଲେ ।

କାଞ୍ଚିରେ ଆୟୋଜିତ ଏକସର୍ବ ଭାରତୀୟ କାର୍ଯ୍ୟକ୍ରମରେ ରାଜ୍ୟରୁ କିଏ ପ୍ରତିନିଧିତ୍ୱ କରିବେ ସେ ନେଇ ତର୍ଜମା ଚାଲିଲା, ଶେଷରେ ସ୍ଥିର ହେଲା ପ୍ରଚଣ୍ଡ ବାଗ୍ମୀ, ସଂସ୍କୃତ ବିଦ୍ୱାନ ଗାୟକ କାହ୍ନୁଚରଣ ପତ୍ରୀ ଯିବେ । ସେୟା ହେଲା ସମସ୍ତ ପଣ୍ଡିତ ଏବଂ କାଞ୍ଚି ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତିରେ ସେ ଘଣ୍ଟା ଘଣ୍ଟା ଧରି କେବଳ ସଂସ୍କୃତରେ ପାଲା ଗାଇଲେ । ଓଡିଆ ଏବଂ ସଂସ୍କୃତ କାବ୍ୟକବିତାକୁ ଏଭଳି ଭାବରେ ଅନ୍ୱୟ କରି ସଂସ୍କୃତ ଭାଷାରେ ପରିବେଷଣ କରିଥିଲେ ଯେ ଉପସ୍ଥିତ ଦର୍ଶକ ଅଭିଭୂତ ହୋଇଯାଇଥିଲେ । ସେଠାରେ କାହ୍ମୁଚରଣ ପତ୍ରୀଙ୍କୁ ପୁରୁଷ ସରସ୍ୱତୀ ଉପାଧି ମିଳିଥିଲା ।

ପାଲା ଜଗତରେ ଏକ ବିରଳ ପ୍ରତିଭା କାହ୍ମୁଚରଣ ପତ୍ରୀ, ୧୯୨୦ ମସିହାରେ ବାଲେଶ୍ୱର ଜିଲ୍ଲା ସିମୁଳିଆ ପଣ୍ଡୁ ଶାସନରେ ଏକ କୁଳୀନ ବ୍ରାହ୍ମଣ ପରିବାରରେ ଜନ୍ମଗ୍ରହଣ କରିଥିଲେ । ବାପା ମହେଶ୍ୱର ପତ୍ରୀ ଏବଂ ମାଆ ରାଧାଦେବୀ । ବାପା ଥିଲେ ବାତରୋଗୀ, ପିଲା ଦିନ କଟିଥିଲା ଦାରିଦ୍ର‌୍ୟର କଷାଘାତ ଭିତରେ । ସାଥୀପିଲାମାନଙ୍କ ସହ ଖେଳୁଥିବା ବେଳେ ତାଙ୍କ ଉପରେ ନଜର ପଡିଥିଲା ଲୁଣିଆ କରସାହି ଗୋସାଇଁଙ୍କର।

ସେ କାହ୍ମୁଙ୍କୁ ନେଇଯାଇ ଭଦ୍ରକ ଦାମୋଦରପୁର ଟୋଲରେ ପଢିବାର ବନ୍ଦୋବସ୍ତ କଲେ । ପରେ ବାଲେଶ୍ୱର ଯୋଗେଶ୍ୱରପଦା ବାଗୀଶ୍ୱରୀ ବିଦ୍ୟାପୀଠରେ ପଢିଲେ । ସେଠାରେ ପଢାଶେଷ ପରେ କଲିକତା ସଂସ୍କୃତ ବିଦ୍ୟାପୀଠରେ ଅଧ୍ୟୟନ କଲେ ।

ଦାମୋଦରପୁର ଟୋଲରେ ପଢିବା ସମୟରେ ମୃଦଙ୍ଗ ବାଦକ ଜୟକୃଷ୍ଣ ପାଢୀ ପାଲା ଗାଇବା ପାଇଁ କାହ୍ନୁଚରଣଙ୍କୁ ପ୍ରେରଣା ଓ ପ୍ରଶିକ୍ଷଣ ଦେଇଥିଲେ । ସେହି ସମୟରେ ସେ ପାଲାର ପ୍ରାଥମିକ ଶିକ୍ଷା ଗ୍ରହଣ କରିଥିଲେ । କଲିକତାରୁ ଉଚ୍ଚଶିକ୍ଷା ଗ୍ରହଣ କରି ଫେରିବା ପରେ କାଶୀ ଚାଲିଯାଇଥିଲେ, ସେଠାରୁ ଅଗାଧ ପାଣ୍ଡିତ୍ୟର ଅଧିକାରୀ ହୋଇ ଫେରିଥିଲେ । ପାଲା ଜଗତରେ ତାଙ୍କଭଳି ବହୁତ କମ୍ ବିଦ୍ୱାନ ଗାୟକ ଦେଖିବାକୁ ମିଳନ୍ତି ।

ଜଣେ ପ୍ରଖ୍ୟାତ ପାଲା ଗାୟକ ସହ ସେ ଜଣେ ବିଶିଷ୍ଟ କବି ମଧ୍ୟ ଥିଲେ । ସେ ବ୍ରାହ୍ମଣ ସମାଜ ପାଇଁ ଯଜ୍ଞ ଦୀପିକା, ଶିବସହସ୍ରକୁମ୍ଭ, ପ୍ରଣୟ ପରାଗ ସହିତ ସତ୍ୟନାରାୟଣ ପାଲାର ଓଡିଆ ଅନୁବାଦ କରିଥିଲେ । ଏହା ସହିତ ରଘୁବଂଶ ମହାକାବ୍ୟ, କୁମାର ସମ୍ଭବ, ନୈଷଧ ଆଦି ସଂସ୍କୃତ କାବ୍ୟର ଓଡିଆ ଅନୁବାଦ କରିଥିଲେ ।

ପାଲା ଆକାଶର ଏହି ଉଜ୍ଜ୍ୱଳତମ ଜ୍ୟୋତିଷ୍କ ୧୯୭୮ ମସିହା ମେ ୭ ତାରିଖରେ ପରଲୋକ ଗମନ କରିଥିଲେ ।

Leave A Reply

Your email address will not be published.