Latest Odisha News

BREAKING NEWS

ପାଲାଜଗତର ଅପ୍ରତିଦ୍ୱନ୍ଦ୍ୱୀ ଗାୟକ: ନିରଞ୍ଜନ ବାହିନୀପତି

ଭୁବନେଶ୍ୱର: ଯୋଗ୍ୟ ପିତାଙ୍କର ସୁଯୋଗ୍ୟ ସନ୍ତାନ ଗାୟକ ବିଦ୍ୟାସାଗର ନିରଞ୍ଜନ ବାହିନୀପତି । ବାପା ଗାୟକ ବିଶାରଦ ମାର୍କଣ୍ଡେୟ ବାହିନୀପତି ଯେଭଳି ଜ୍ଞାନର ସାଗର ଥିଲେ ସେହିପରି ନିରଞ୍ଜନ ବାହିନୀପତି ମଧ୍ୟ ପାଲା ଜଗତରେ ଜଣେ ଉଜ୍ଜ୍ୱଳ ପ୍ରତିଭା ।

୧୯୬୩ ମସିହା ଜୁଲାଇ ୬ ତାରିଖ ଆଷାଢ ପୂର୍ଣ୍ଣିମା ଦିନ ପୁରୀ ଜିଲ୍ଲା ଭୁଷଣ୍ଡପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ନିରଞ୍ଜନ । ବାପା ମାର୍କଣ୍ଡେୟ ବାହିନୀପତି ଓ ମାଆ ସତ୍ୟଭାମା ଦେବୀଙ୍କର ନିରଞ୍ଜନ ସାନପୁଅ । ପରିବାରରେ ପ୍ରଥମରୁ ପାଲାର ମାହୋଲ ରହିଥିଲା, ବାପା ପ୍ରତିÂିତ ପାଲା ଗାୟକ ହୋଇଥିବାରୁ ପ୍ରାୟ ପ୍ରତିଦିନ ଘରେ ଗାୟକମାନଙ୍କର ଗହଳ ଚହଳ ଲାଗି ରହୁଥିଲା, ଯାହାର ପ୍ରଭାବ ପଡିଥିଲା ନିରଞ୍ଜନଙ୍କ ଉପରେ । କଳା, ସାହିତ୍ୟ ପ୍ରତି ପିଲାଦିନରୁ ରୁଚି ରହିଥିଲା । ପାଠ ପଢା ଜାରି ରହିଥିବା ବେଳେ ମାତ୍ର ୧୮ ବର୍ଷ ବୟସ ବେଳେ ସେ ପାଲା ଜଗତରେ ପାଦ ଦେବାକୁ ମନସ୍ଥ କରିଥିଲେ । ୧୯୮୦ ମସିହା ସେପଟେମ୍ବର ୨୧ ତାରିଖରେ ସେ ବିଧିବଦ୍ଧ ଭାବେ ପାଲା ଗାଇବା ଆରମ୍ଭ କଲେ । ବାପାଙ୍କଠାରୁ ଚାମର ଗ୍ରହଣ କଲେ । ଘରେ ପୋଥି ପୁରାଣର ଅଭାବ ନଥିଲା, ତେବେ ଅଧିକ ଜ୍ଞାନ ହାସଲ ପାଇଁ ସେ ପଣ୍ଡିତ ମହେଶ୍ୱର ଦାସଙ୍କୁ ମଧ୍ୟ ଗୁରୁ କରିଥିଲେ ।
୧୯୮୨ ମସିହା ଫେବ୍ରୁଆରି ୨୨ ତାରିଖରେ ଯାଜପୁର ଜିଲ୍ଲା ପରମାନନ୍ଦପୁର ଶାସନରେ ସେ ପ୍ରଥମେ ଗାୟକ ଶଶିଭୂଷଣ ନନ୍ଦଶର୍ମାଙ୍କ ସହ ବାଦିପାଲାରେ ଅବତୀର୍ଣ୍ଣ ହୋଇଥିଲେ । ପରବର୍ତ୍ତୀ ସମୟରେ ରାଜ୍ୟର ସମସ୍ତ ପ୍ରତିÂିତ ଗାୟକମାନଙ୍କ ସହ ବାଦିପାଲା ଗାଇବାକୁ ଲାଗିଲେ । ଗାୟକ କେଶରୀ ଉଦୟନାଥ ରଥଶର୍ମା ଏବଂ ଗାୟକ ଶେଖର ଜଗନ୍ନାଥ ବେହେରାଙ୍କ ଦ୍ୱାରା ସେ ବହୁ ଅନୁପ୍ରାଣିତ । ପାଲାରେ ନିରଞ୍ଜନ ବାହିନୀପତିଙ୍କର ରହିଛି ନିଜସ୍ୱ ଶୈଳୀ । ବିଶେଷ କରି ପାଲାକୁ ନେଇ ବୌଦ୍ଧିକ ଆଲୋଚନା କରିବାରେ ସେ ବେଶ୍ ଧୁରିଣ । ଉଭୟ ସଂସ୍କୃତ ଏବଂ ଓଡିଆ ସାହିତ୍ୟରେ ତାଙ୍କର ଗଭୀର ପ୍ରବେଶ ରହିଛି । ଦକ୍ଷଯଜ୍ଞ, ସ୍ୟମନ୍ତକମଣି ହରଣ, ସାବିତ୍ରୀ ସତ୍ୟବାନ, ପିତାମହ ଭୀଷ୍ମ, ତ୍ରିପୁରାସୁର ବଧ ଆଦି ତାଙ୍କର ବହୁ ଲୋକପ୍ରିୟ ବିଷୟ । ରାଜ୍ୟର କୋଣ ଅନୁକୋଣରେ ପାଲା ଗାଇ ସେ ଅନେକ ପୁରସ୍କାର ଓ ସମ୍ମାନର ଅଧିକାରୀ । ବହୁ ପ୍ରତିÂିତ ପାଲା ମଞ୍ଚ ପକ୍ଷରୁ ତାଙ୍କୁ ଅନେକ ଉପାଧି ମଧ୍ୟ ପ୍ରଦାନ କରାଯାଇଛି । ପାଲା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଏହି ବରେଣ୍ୟ ପ୍ରତିଭା ଅନେକ ଶିଷ୍ୟ ଏବଂ ଶିଷ୍ୟାମାନଙ୍କୁ ମଧ୍ୟ ତାଲିମ ଦେଇଛନ୍ତି ।

Leave A Reply

Your email address will not be published.