ଧାରାବାହିକ ଉପନ୍ୟାସ: କୁକୁର କାହାଣୀ (୯)

ମାନବୀୟ ସମ୍ପର୍କର କଥାଶିଳ୍ପୀ ମୃଣାଳ (ଡ. ମୃଣାଳ ଚାଟାର୍ଜୀ, ଜନ୍ମ ୧୯୬୧) ସାହିତ୍ୟର ବିଭିନ୍ନ ବିଭବରେ ସ୍ୱଚ୍ଛନ୍ଦ ବିଚରଣ କରନ୍ତି । ଗଳ୍ପ, ଉପନ୍ୟାସ, ନାଟକ, ନିବନ୍ଧ, ପ୍ରବନ୍ଧ, ସବୁ ଲେଖିଛନ୍ତି ସେ । ଜଣେ ସ୍ତମ୍ଭକାର ଭାବରେ ସେ ବେଶ ପରିଚିତ । ବଙ୍ଗଳା, ହିନ୍ଦୀ ଓ ଇଂରାଜୀରୁ ଓଡ଼ିଆକୁ ଅନୁବାଦ ବି କରିଛନ୍ତି । ଜଣେ ସୃଜନାତ୍ମକ ଲେଖକ ଭାବରେ ତାଙ୍କର ଦୁଇଟି ବିଶେଷତ୍ୱ । ପ୍ରଥମ: ବିଷୟର ଅଭିନବତ୍ୱ । ଅପାରମ୍ପରିକ ବିଷୟକୁ ନେଇ ଗଳ୍ପ ରଚି ପାରନ୍ତି ସେ । ଆଉ ଦ୍ୱିତୀୟ: ତାଙ୍କ କାହାଣୀଗୁଡ଼ିକରେ ହସ ଆଉ ଲୁହ ମିଶାମିଶି ହୋଇ ଥାଏ । ଅଧ୍ୟାପନାରୁ ସକ୍ରିୟ ସାମ୍ବାଦିକତା ପୁଣି ସେଠୁ ଗଣମାଧ୍ୟମ-ଅଧ୍ୟାପନାକୁ ଆସି ଏବେ ସେ ଭାରତୀୟ ଜନସଂଚାର ସଂସ୍ଥାନର ପୂର୍ବ ଭାରତୀୟ ଶାଖାର ପ୍ରଫେସର ତଥା ଆଞ୍ଚଳିକ ନିର୍ଦ୍ଦେଶକ ଅଛନ୍ତି । (ଯୋଗାଯୋଗ: ୯୪୩୭୦୨୬୧୯୪)

‘କୁକୁର କାହାଣୀ’ ଉପନ୍ୟାସରେ କଣ ଅଛି ?

(ଆପଣମାନଙ୍କ ଚାରିପାଖରେ ଦେଖିବେ ଦୁଇ ପ୍ରକାର କୁକୁର ବସବାସ କରନ୍ତି । ଦଳେ ହେଲେ ପୋଷାକୁକୁର । ଦଳେ ବୁଲାକୁକୁର । ଏ ଦୁଇ ଜାତିର କୁକୁରଙ୍କ ଭିତରେ ବିଶେଷ ସଦ୍ଭାବ ନାହିଁ । ବୁଲାକୁକୁରମାନଙ୍କ ଭିତରେ ମଧ୍ୟ ନିଜ ଏରିଆକୁ ନେଇ, ସୁନ୍ଦରୀ କୁକୁରୀଙ୍କ ଉପରେ ଅଧିକାରକୁ ନେଇ ବହୁତ ବିବାଦ । ବହୁସହସ୍ର ବର୍ଷ ଧରି ମଣିଷ କୁକୁରକୁ ପୋଷା ମନେଇ ରଖିଛି । କିନ୍ତୁ ଧରନ୍ତୁ ଯଦି ଏ କୁକୁରମାନେ ନିଜର ବିବାଦ ଓ ବିଭେଦ ଭୁଲି ଏକ ହୁଅନ୍ତି ଆଉ ମଣିଷଜାତି ବିରୋଧରେ ଯୁଦ୍ଧ ଘୋଷଣା କରନ୍ତି, ତେବେ କଣ ହେବ? ଇଏ ହେଲା ଏ ଉପନ୍ୟାସର କାହାଣୀ-ସାର । କୁକୁରମାନଙ୍କ କାହାଣୀ ଭିତରେ ଯଦି ପାଠକ ଆଉକିଛି କଥା ଓ କାହାଣୀ ଖୋଜି ପାଇଲେ- ତେବେ ସେ କୃତିତ୍ୱ ସମ୍ପୂର୍ଣ୍ଣ ଭାବେ ତାଙ୍କର ।)

କୁକୁର କାହାଣୀ

ମୃଣାଳ

(ଧାରାବାହିକ ଉପନ୍ୟାସର ନବମ ଭାଗ)

୯: ଘଟଣା ପରର ଘଟଣା

ଦିନକ ଭିତରେ କୁକୁର କାମୁଡ଼ାର ପୃଥକ ପୃଥକ ଘଟଣାରେ ଜଣେ ମୃତ, ଛଜଣ ଆହତ । ବଡ଼ି ସକାଳେ କଣ୍ଟ୍ରାକ୍ଟର ସୁଖମୟ ବାବୁଙ୍କୁ ପାର୍କରେ କୁକୁର କାମୁଡ଼ିଲା । ଖରାବେଳେ ଦଳେ କୁକୁର ଜଣେ ଜରି ଗୋଟଉଥିବା ପିଲାଟିଏକୁ କାମୁଡ଼ି ଝୁଣି ମାରି ପକେଇଲେ । ତାପରେ ଅପରାହ୍ଣରେ ଦଳେ କୁକୁର ସ୍କୁଲରୁ ଘରକୁ ଫେରୁଥିବା କିଛି ପିଲାଙ୍କୁ ଆକ୍ରମଣ କଲେ । ଚାରି ଜଣକୁ କାମୁଡ଼ି ଖଣ୍ଡିଆଖାବରା କରି ପକେଇଛନ୍ତି । ଗୋଟିଏ ଦିନରେ ଭରତପୁର ଭଳି ଗୋଟିଏ ଛୋଟ ସହରରେ ଏତେ ଗୁଡ଼ିଏ କୁକୁର ଆକ୍ରମଣ ଘଟଣା! ଚବିଶ ଘଣ୍ଟିଆ ଟେଲିଭିଜନ ଆଉ ମିନିଟକୁ ମିନିଟ ୱେବ ସମ୍ବାଦମାଧ୍ୟମର ଜମାନାରେ ଏ ଖବର ରାଷ୍ଟ୍ର ହେବାକୁ ବେଶି ସମୟ ଲାଗିଲା ନାହିଁ । ସ୍ଥାନୀୟ ସ୍ତରରୁ, ରାଜ୍ୟ ସ୍ତର, ସେଠୁ ଜାତୀୟ ସ୍ତରର ଖବର ହୋଇଗଲା । ସନ୍ଧ୍ୟାସୁଦ୍ଧା ସାରା ଦେଶରେ ରାଷ୍ଟ୍ର ହୋଇଗଲା ଏ ଖବର । କେତେକ ବିଦେଶୀ ସମ୍ବାଦ ସଂସ୍ଥା ମଧ୍ୟ ଏ ଖବରକୁ ପରିବେଷଣ କରିଦେଲେ । ତା ଫଳରେ ଘଟଣା ଗୁରୁତ୍ୱ ଜନମାନସରେ ଆହୁରି ବଢ଼ିଗଲା । ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ଏ ବିଷୟରେ ଅଲୋଚନା, ପର୍ଯ୍ୟାଲୋଚନା, ତର୍କବିତର୍କ ଆରମ୍ଭ ହେଇଗଲା ।

ପ୍ରାଣୀବିଜ୍ଞାନୀମାନେ ଏହାର କାରଣ ଖୋଜିବାକୁ ଲାଗିପଡ଼ିଲେ । ଗୋଟେ ଛୋଟିଆ ସହରରେ ହଠାତ ଏତେ ସଂଖ୍ୟାରେ କୁକୁର କାମୁଡ଼ା ଘଟଣା ଘଟିଲା କେମିତି? ବୁଲା କୁକୁର କଣ ଏତେ ହିଂସ୍ର ଏବଂ ମାରାତ୍ମକ ପ୍ରାଣୀ!

ଚିକିତ୍ସକମାନେ କହିବାକୁ ଲାଗିଲେ କୁକୁର କାମୁଡ଼ା ବା ଆମ୍ପୁଡ଼ା ମଣିଷ ପାଇଁ କେତେ କ୍ଷତିକାରକ । କୁକୁର କାମୁଡ଼ା ବା ଆମ୍ପୁଡ଼ାରେ ଜଳାତଙ୍କ ରୋଗ ହୋଇପାରେ । ଜଳାତଙ୍କ ଏହା ଏକ ଜୁନୋଟିକ ଡିଜିସ । ପଶୁରୁ ମଣିଷକୁ ହେଉଥିବା ରୋଗ । ୯୫ ପ୍ରତିଶତ କ୍ଷେତ୍ରରେ ଏଡା କୁକୁର କାମୁଡ଼ା କି ଆଙ୍କୁଡ଼ାରୁ ହୁଏ । ଜଳାତଙ୍କ ବା ରାବିସ ଏକ ଭାଇରସ ଜନିତ ମାରାତ୍ମକ ରୋଗ । ପଶୁର ଲାଳ ଏହାର ବାହନ । ଏହାର ଲକ୍ଷଣ ଦେଖାଯିବା ବେଳକୁ ବହୁତ ଡେରି ହୋଇଯାଇଥାଏ । ସେତେବେଳକୁ ତାର ଆଉ କୌଣସି ଚିକିତ୍ସା ନାହିଁ । ମୃତ୍ୟୁ ସୁନିଶ୍ଚିତ । ଆଉ ଜଳାତଙ୍କରେ ମୃତ୍ୟୁ ବଡ଼ କଷ୍ଟଦାୟକ । ରୋଗୀ ପାଣିକୁ ଡରେ । ଆଲୁଅକୁ ଡରେ । ଅଧିକାଂଶ ବେଳେ ମଲା ପୂର୍ବରୁ ରୋଗୀ କୋମାରେ ଚାଲିଯାଏ । ତେଣୁ କୁକୁର କାମୁଡ଼ିଲା ବା ଆମ୍ପୁଡ଼ିବାମାତ୍ରେ ସାଙ୍ଗେ ସାଙ୍ଗେ ଚିକିତ୍ସା କରିବା ଦରକାର । ଯଦି କୁକୁର ଆଣ୍ଟି-ରାବିସ ଇଂଜେକସନ ନେଇନି ତାହେଲେ ଜଳାତଙ୍କ ନିରୋଦୀ ଇଂଜେକସନ ତୁରନ୍ତ ନେବା ଦରକାର ।

ପଶୁବିଜ୍ଞାନୀମାନେ କହିଲେ, ଜଳାତଙ୍କକୁ ପ୍ରତିରୋଧ କରିବା ପାଇଁ ଘରେ ପୋଷା ହେଉ ବା ରାସ୍ତାର ବୁଲା କୁକୁର ହେଉ ପ୍ରତ୍ୟେକ କୁକୁରକୁ ଜଳାତଙ୍କ ନିରୋଧୀ ଟିକା ଦେବା ଦରକାର । ତାହେଲେ ସେମାନେ କାମୁଡ଼ିଲେ ବି ଜଣକୁ ଜଳାତଙ୍କ ହେବନି । ଉନ୍ନତ ଦେଶରେ କୁକୁରମାନଙ୍କୁ ଠିକ ସମୟରେ ଇଂଜେକସନ ଦିଆଯାଏ । ତେଣୁ ସେଠି ଏ ରୋଗ କମ । ଆମେରିକାରେ ବର୍ଷକୁ ୨-୩ଟି ଏମିତି କେସ । କିନ୍ତୁ ଆଫ୍ରିକା ଆଉ ଏସିଆ- ବିଶେଷ କରି ଦକ୍ଷିଣ ଏସିଆରେ ବୁଲା କୁକୁରଙ୍କ ସଂଖ୍ୟା ଅଧିକ । ବିନା ଇଂଜେକସନରେ ଥିବା କୁକୁର ବି ବହୁତ । ତେଣୁ ଏଠି ଜଳାତଙ୍କ ବି ଅଧିକ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ଗୋଟେ ଜାଗାର ଅନ୍ତତଃ ୭୦ ଶତାଂଶ ବୁଲାକୁକୁରକୁ ଜଳାତଙ୍କ-ନିରୋଧୀ ଇଂଜେକସନ ଦିଆଯିବା ଦରକାର । ତାହେଲେ ଧୀରେ ଧୀରେ ଏ ଭାଇରସ ବହନ କରୁଥିବା କୁକୁରଙ୍କ ସଂଖ୍ୟା କମିଯିବ । କିନ୍ତୁ ଆମ ଦେଶରେ ତ ତାହା ହୋଇ ପାରୁନି । ତେଣୁ ଜଳାତଙ୍କ ରୋଗର ଭୟଟା ରହି ଯାଉଛି ।

ସମାଜବିଜ୍ଞାନୀମାନେ ଖୋଜିବାକୁ ଲାଗିଲେ, ହଠାତ ଏକ ଛୋଟ ସହରରେ ମଣିଷ ଆଉ କୁକୁରର ଏପ୍ରକାର ସଂଘାତ କେମିତି ସମ୍ଭବ ହୋଇପାରିଲା? ଆଲୋଚନାରେ ଭାଗ ନେଇଥିବା ଜଣେ ମହିଳା କହିଲେ: ପ୍ରତ୍ୟେକ ସହରରେ ବୁଲା କୁକୁରଙ୍କ ସଂଖ୍ୟା ଏତେ ବଢ଼ିଯାଇଛି ଯେ ଆମେ ବାହାରକୁ ବାହାରିବାକୁ ନିରାପଦ ମଣୁ ନାହୁଁ । କୁକୁରମାନେ ଆମ ଶାଢ଼ୀ କାନିକୁ ଟାଣି ଦଉଛନ୍ତି । ଏ ଦେଶରେ ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି । କାର୍ଯ୍ୟକ୍ରମ ପରିଚାଳକ ପଚାରିଲେ: ମ୍ୟାଡାମ, ଆପଣ କଉ କୁକୁର କଥା କହୁଛନ୍ତି? ଚାରି ଗୋଡ଼ିଆ ନା ଦି ଗୋଡ଼ିଆ? ମହିଳା କହିଲେ: ଉଭୟ । ନାରୀ କେଉଁଠି ସୁରକ୍ଷିତ ନୁହେଁ । ଆମେ ନାରୀ ସୁରକ୍ଷା ପାଇଁ ଆନ୍ଦୋଳନ କରିବା ଦରକାର । ମହିଳା କମିସନ ନାରୀର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଦରକାର ।

ଆଉ ଏକ ଚ୍ୟାନେଲରେ ଆୟୋଜିତ ବିତର୍କରେ ବିରୋଧୀ ଦଳର ମୁଖପାତ୍ର ସରକାରଙ୍କୁ ଏଥିପାଇଁ ଦାୟୀ କଲେ । ସହରାଞ୍ଚଳରେ ବୁଲା କୁକୁରର ସଂଖ୍ୟା ଆଶଙ୍କାଜନକ ଭାବେ ବଢ଼ିଚାଲିଛି- ହେଲେ ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଉନାହାନ୍ତି । ମୁଖ୍ୟମନ୍ତ୍ରୀ କଣ ଶୋଇଛନ୍ତି? ତାଙ୍କୁ କଣ ଦିଶୁନି ଯେ ବୁଲା କୁକୁରର ସଂଖ୍ୟା କେତେ ବଢ଼ିଲାଣି! ସରକାରୀ ଦଳର ମୁଖପାତ୍ର କହିଲେ, ବିରୋଧୀ ଦଳ ଯେତେବେଳେ ସରକାରରେ ଥିଲେ ସେତେବେଳୁ କୁକୁରମାନଙ୍କ ସଂଖ୍ୟା ବଢ଼ିଛି । ତାଙ୍କ ଅମଳରେ ବରଂ କୁକୁର ସଂଖ୍ୟା କମେଇବା ପାଇଁ କୁକୁରର ବନ୍ଧ୍ୟାକରଣ ଅସ୍ତ୍ରୋପଚାର କରେଇବାର ଯୋଜନା କରାଯାଇଛି । ସେଥିରେ ଏତେ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ବିରୋଧୀ ଦଳର ମୁଖପାତ୍ର ପ୍ରଶ୍ନ କଲେ: ସେ ଟଙ୍କାରେ କେତେଟା କୁକୁରର ଅସ୍ତ୍ରୋପଚାର ହୋଇଛି? ପ୍ରକୃତରେ ଅସ୍ତ୍ରୋପଚାର ହୋଇଛି ନା ନାହିଁ? ସେଠୁ ସରକାରୀ ଦଳର ମୁଖପାତ୍ର ଓଲଟି ପ୍ରଶ୍ନ କଲେ: ତମ ଅମଳରେ କୁକୁର ସଂଖ୍ୟା କାହିଁକି ବଢ଼ିଥିଲା ତାର ହିସାବ ଆଗେ ଦିଅ । ଆମର ଜନପ୍ରେମୀ ସରକାରଙ୍କ ଉପରେ ଆଉ ଜନପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଉପରକୁ ଆଙ୍ଗୁଳି ଉଠେଇବା ପୂର୍ବରୁ ଆଗେ ନିଜେ କଣ କରିଥିଲ ଭାବି ଦେଖ- ଯେଉଁଥିପାଇଁ ଲୋକେ ତମକୁ ପ୍ରତ୍ୟାଖ୍ୟାନ କଲେ । ଏଇ କଥାରୁ ସେମାନଙ୍କ ଭିତରୁ ଜୋର ପାଟିତୁଣ୍ଡ ଚାଲିଲା । ଦର୍ଶକମାନେ ବୁଝିପାରିଲେ ନି କିଏ କଣ କହୁଛନ୍ତି । ମୂଳ କଥାଟା: ହଠାତ ଗୋଟିଏ ଦିନରେ ଭରତପୁର ବୋଲି ଗୋଟେ ଛୋଟ ସହରରେ ଏତେ ସଂଖ୍ୟକ କୁକୁର କାମୁଡ଼ା କେସ ହେଲା କେମିତି- ଏକଥାଟି ସେମିତି ରହସ୍ୟ ହୋଇ ରହିଗଲା ।

କିନ୍ତୁ କୁକୁର କାମୁଡ଼ା ଖବରଟା ଏତେ ପ୍ରଚାରିତ ହୋଇଗଲା ଯେ ଭରତପୁରରେ ଆତଙ୍କର ପରିସ୍ଥିତି ସୃଷ୍ଟି ହୋଇଗଲା । ସନ୍ଧ୍ୟାବେଳକୁ ବଜାର ହାଟ ବନ୍ଦ । ରାସ୍ତା ପୂରା ଶୁନଶାନ । ଜନମାନବଶୂନ୍ୟ । ସମସ୍ତେ ଘର ଭିତରେ । ଏମିତି ପରିସ୍ଥିତି ଗୁଜବ ବ୍ୟାପିବା ପାଇଁ ଅନୁକୂଳ । ଆଜିକାଲି ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ । ସମସ୍ତେ ସାମାଜିକ ଗଣମାଧ୍ୟମର ଜାଲ ଭିତରେ । ସାମାଜିକ ଗଣମାଧ୍ୟମ- ସୋସିଆଲ ମିଡିଆ ଏକ ଅଜବ ଜାଲ । ଏଠି ବୁଢ଼ିଆଣି କିଏ ପୋକ କିଏ ଅଲଗା କରି ବାରି ହୁଏନି । ଅଧିକାଂଶ ସମୟରେ ଯିଏ ବୁଢ଼ିଆଣି ସିଏ ହିଁ ପୋକ । ଯିଏ ଜାଲ ବୁଣେ, ସେ ହିଁ ଜାଲରେ ଛନ୍ଦି ହୋଇ ଛଟଫଟ ହୁଏ । ଏଥିରେ ଯାହାର ଯାହା ଇଚ୍ଛା ଲେଖିପାରେ, କହିପାରେ, ଫଟୋ ଦେଖାଇପାରେ । ସେ ଫଟୋ ମିଛ କି ସତ ସେକଥା ଜାଣିବାର ବି ଉପାୟ କମ । ତେଣୁ ଅଳ୍ପ ସମୟ ଭିତରେ ସାମାଜିକ ଗଣମାଧ୍ୟମରେ ଭୟଙ୍କର ସବୁ ଗୁଜବ ଖେଳି ବୁଲିଲା: ଜମା ଘରୁ ବାହାରକୁ ବାହାରନ୍ତୁ ନାହିଁ । ବାହାରେ ମାରଣା କୁକୁର ମାତିଛନ୍ତି । ଯାହାକୁ ପାଉଛନ୍ତି କାମୁଡ଼ୁଛନ୍ତି । ଅନ୍ତ ଫାଡ଼ି ଦେଉଛନ୍ତି । କଲିଜା ଖାଇଯାଉଛନ୍ତି । ଥରେ ମଣିଷ କଲିଜା ଖାଇଲା ପରେ ସେମାନେ ଆହୁରି ହିଂସ୍ର ହୋଇ ଉଠୁଛନ୍ତି । ଘରୁ ଜମା ବାହାରନ୍ତୁ ନାହିଁ । ଘର ଗ୍ରିଲରେ ବଡ଼ ତାଲା ପକାନ୍ତୁ । ଛୋଟ ପିଲାମାନଙ୍କୁ ଜମା ବାହାରକୁ ଛାଡ଼ନ୍ତୁ ନାହିଁ ।

ଭରତପୁରର ସବୁଠୁଁ ପପୁଲାର ପୂଜାରୀ ଓ ପାର୍ଟ-ଟାଇମ ଜ୍ୟୋତିଷ ମୁଟୁରୁ ନନା ତା ଫେସବୁକ ପେଜରେ ପୋଷ୍ଟ କଲା: ଦେଖ କଳିକାଳ ଶେଷ ହେବାକୁ ବସିଲାଣି । ଇଏ ହେଲା ଶେଷର ଆରମ୍ଭ । ଏବେ କୁକୁରମାନେ ମାତିଛନ୍ତି । ସେମାନେ କିଛି ଲୋକଙ୍କୁ ସଂହାର କରିଦେବେ । ଯିଏ ବଞ୍ଚିଯିବେ ତାଙ୍କୁ ସଂହାର କରିବା ପାଇଁ ବାରହାତ ଖଣ୍ଡା ଧରି ଘୋଡ଼ା ବାହନରେ କଳ୍କି ସ୍ୱୟଂ ଆସିବେ । କଳ୍କିଙ୍କ କୋପରୁ ବର୍ତ୍ତିବାର ଉପାୟ ହେଲା: ତାଙ୍କର ଧ୍ୟାନ ଓ ପୂଜା । କଳ୍କିଙ୍କ ପୂଜା ପାଇଁ ଶହେ ଏକ କିମ୍ବା ସ୍ପେଶାଲ ପୂଜା ପାଇଁ ପାଞ୍ଚଶହ ଏକ ଟଙ୍କା ଲଫାଫାରେ ପୂରାଇ ଆଲମାରିରେ ଅଲଗା କରି ରଖନ୍ତୁ । ମୋତେ ତଳେ ଦିଆଯାଇଥିବା ନମ୍ବରରେ ଫୋନ କରନ୍ତୁ । ମୁଁ ଯେତେବେଳେ ଖବର ଦେବି ମୋ ପାଖକୁ ଆସିବେ । କଳ୍କି ପୂଜା କରାଯିବ । ଆପଣଙ୍କ ରିଷ୍ଟ ଖଣ୍ଡନ ହେବ । ଜୟ କଳ୍କି ।

…. …. ….

ଚାରିଆଡ଼ୁ ସରକାରଙ୍କ ଉପରେ ଚାପ ପଡ଼ିଲା: କୁକୁର ସମସ୍ୟାର ସମାଧାନ କର ।

ସରକାର ଜିଲ୍ଲା ପ୍ରଶାସନକୁ କହିଲେ, ଯେମିତି ହେଲେ ୪୮ ଘଣ୍ଟା ଭିତରେ ଭରତପୁରରେ ଇଏ କୁକୁର ସମସ୍ୟାର ସମାଧାନ କର । ଏହା ଫଳରେ ଜନପ୍ରିୟ ସରକାରଙ୍କ ଭାବମୂର୍ତ୍ତି ଖରାପ ହେଉଛି । ଅଞ୍ଚଳର ବିଧାୟକ ଜିଲ୍ଲାପାଳଙ୍କୁ ଟେଲିଫୋନ କରି କହିଲେ, ସରକାର ଏତେ ଜନହିତକର କାର୍ଯ୍ୟ କରୁଛନ୍ତି । ଆଗକୁ ନିର୍ବାଚନ ଆସୁଛି । ବାରବର୍ଷର ତପସ୍ୟା କୁକୁର କାମୁଡ଼ାର ଶୁଖୁଆ ପୋଡ଼ାରେ ଯିବ ନା କଣ? ଶୀଘ୍ର କଣ ପଦକ୍ଷେପ ନିଅନ୍ତୁ ।

ଜିଲ୍ଲାପାଳ ଭରତପୁର ସହରର ପ୍ରଶାସକଙ୍କୁ କହିଲେ: ତୁରନ୍ତ କୁକୁର ସମସ୍ୟାର ସମାଧାନ କର । ୨୪ ଘଣ୍ଟା ସମୟ ଦେଲି ।

– କେମିତି ସମାଧାନ କରିବୁ ସାର?

– କେମିତି କରିବ ତମେ ଠିକ କରିବ । ସମସ୍ୟାର ସମାଧାନ କର । ବାସ ।

– ବୁଲା କୁକୁରଗୁଡ଼ାକୁ ମାରିଦେବୁ?

– ଖବରଦାର । ମାରିବା ଶବ୍ଦ ଉଚ୍ଚାରଣ କରିବ ନାହିଁ । ଅହିଂସ ଦେଶ ଆମର । ଅଧା ଲୋକ ନିରାମିଶାଷୀ । ଏଠି ତମେ ମାରିବା ଭଳି ହିଂସା-ସୂଚକ ଶବ୍ଦ ବ୍ୟବହାର କେମିତି କରୁଛ?

– ଆଉ କଣ କରିବୁ?

– ନିଉଟ୍ରାଲାଇଜ କର ।

– ତା ମାନେ?

– ସିଧା ଓଡ଼ିଆରେ- ମାରିଦିଅ ।

– ସେଇଆ ତ ମୁଁ କହିଲି, ସାର ।

– ସେଇଆ କହିନ । ତୁମେ କହିଲ- ମାରିଦେବୁ । ମାରିବା ଆଉ ନିଉଟ୍ରଲାଇଜ କରିବା ପ୍ରାକଟିକାଲି ଏକା କଥା ହେଲେ ବି ଏକା ଶୁଭୁଛି କି?

– ବୁଝିପାରିଲିନି ସାର ।

– କେବେ ଆଉ ଆଡମିନିଷ୍ଟ୍ରେସନ ଶିଖିବ? ଡିପ୍ଲୋମାସି ଶିଖିବ? ଶବ୍ଦ ହେଲା ସବୁ କିଛି । କୁକୁର ମାରିବା କଥା କହିଲା ମାତ୍ରେ କିଛି ପଶୁପ୍ରେମୀ ତମ ଅଫିସ ସାମ୍ନାରେ ସତ୍ୟାଗ୍ରହରେ ବସିଯିବେ । ତମ ବିରୋଧରେ କଳା ପତାକା ଧରି ବାହାରିପଡ଼ିବେ । ପଚାଶ ଆଇନ ଦେଖେିଇବେ । କୁହ ନିଉଟ୍ରାଲାଇଜ । ମାରିବା ଭଳି ଭୟଙ୍କର ଶୁଭିବନି । କାମ ସେଇଆ ହେବ । ହେଲେ..

– ହେଲେ କଣ ସାର?

– କାମଟା ଦିନ ଦିପହରେ ସମସ୍ତଙ୍କ ସାମ୍ନାରେ କରିବନି ।

– କଉ କାମଟା ସାର?

– ନିଉଟ୍ରାଲାଇଜ କରିବା କାମଟା । ତାକୁ ରାତିରେ କରେଇବ ।

– ଇୟେସ ସାର । ଏମିତିରେଇ ଲୋକେ ଭାରି ଆଜିଟେଟେଡ ହୋଇ ଅଛନ୍ତି । ମୁଁ ଯାହା ଖବର ପାଉଛି- ଦଳ ଦଳ ଲୋକ ଲାଠି ଧରି କୁକୁର ମାରିବାକୁ ବାହାରି ପଡ଼ିଛନ୍ତି ।

– ଭେରି ଗୁଡ । ସେମାନେ ଯାହା କରୁଛନ୍ତି କରନ୍ତୁ । ହେଲେ ଲୋକଙ୍କ ଜୋସ ବେଶି ସମୟ ରହିବନି । ତୁମେ ତମ କାମ କରିବ ।

– ଇୟେସ ସାର ।

– ନିଉଟ୍ରାଲାଇଜ କଲା ପରେ ବଡି ଗୁଡ଼ିକ ତୁରନ୍ତ ଡିସପୋଜ କରିବ ।

– ମାନେ?

– ମାନେ ଚୁପ ଚାପ ପୋତିଦେବ । କୌଣସି ଜାଗାରେ ମଲା କୁକୁରର ବଡି ଯେମିତି ନ ଦିଶେ । ମିଡିଆରେ ଯେମିତି ନ ଆସେ ।

– ଇୟେସ ସାର ।

– ମିଡିଆକୁ କହିବ: ଯୁଦ୍ଧକାଳୀନ ଭିତ୍ତିରେ ବୁଲା କୁକୁରମାନଙ୍କୁ ଆଣ୍ଟି-ରାବିଜ ଇଂଜେକସନ ଦିଆଯାଉଛି ଆଉ ଜନ୍ମନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଉଛି ।

– ଆଜ୍ଞା ।

– କିଛି କୁକୁରଙ୍କୁ ଧରି ଆଣ୍ଟି-ରାବିଜ ଇଂଜେକସନ ଦେବାର ବ୍ୟବସ୍ଥା କର । ଆଉ ସେମାନଙ୍କର ଫ୍ୟାମିଲି ପ୍ଲାନିଂ ଅପରେସନ କରେଇବାକୁ ପଶୁଡାକ୍ତରମାନଙ୍କୁ କହିବ । ଅପରେଶନର ଭିଡିଓ ଉଠେଇ ମିଡିଆବାଲାଙ୍କୁ ଦେବ । ଏହାକୁ ଯେମିତି ସେମାନେ ପ୍ରସାର କରନ୍ତି ତାର ବ୍ୟବସ୍ଥା କରିବ । କହିଦେବ ଆନିମାଲ ୱେଲଫେୟାର ବୋର୍ଡ ଅଫ ଇଣ୍ଡିଆ ୨୦୨୦ ସୁଦ୍ଧା ଦେଶକୁ ଜଳାତଙ୍କ ମୁକ୍ତ କରିବା ପାଇଁ ଏବଂ କୁକୁର ସଂଖ୍ୟାକୁ ନିୟନ୍ତ୍ରଣକୁ ଆଣିବା ପାଇଁ ଯେଉଁ ଅଭିଯାନ ଆରମ୍ଭ କରିଛନ୍ତି- ଏହା ତାର ଏକ ଅଙ୍ଗ ।

– ଆଜ୍ଞା । କିନ୍ତୁ ସାର..

– ପୁଣି କଣ?

– ସବୁ କୁକୁରର କଣ ଜନ୍ମ ନିୟନ୍ତ୍ରଣ ଅପରେସନ କରେଇବୁ?

– ଶୁଣ ବାବୁ, ଏସବୁ ଫାଲତୁ କଥା ମୋତେ ପଚାରି ମୋର ସମୟ ନଷ୍ଟ କର ନି । ଖାତାପତ୍ରରେ ଇୟେସ । ସବୁ କୁକୁରର ଅପରେସନ କର । ଆନିମାଲ ବାର୍ଥ କଣ୍ଟେ୍ରାଲ (ଡଗସ) ରୁଲ ୨୦୦୧ରେ ଏହା କୁହାଯାଇଛି ।… ହେଲେ ପ୍ରାକଟିକାଲି ତାହା କଣ ସମ୍ଭବ ନା କେହି କୁକୁରକୁ ଧରି ଦେଖୁଛି ସେଟା ଖାସୁ ହୋଇଛି କି ନାହିଁ । ନା କୁତ୍ତିକୁ ଧରି ଦେଖୁଛି ତାର ଗର୍ଭାଶୟ ଅଛି ନା ନାହିଁ! ଏବେ ବଜାର ଗରମ ଅଛି । ତେଣୁ କିଛି କୁକୁରର ଅପରେସନ କରାଅ । ତାକୁ ଜୋର ପ୍ରଚାର କର । ତାପରେ କର ନ କର – ତମ ଇଚ୍ଛା! ଗୋଟେ ସାର କଥା କହୁଛି- ମନେ ରଖିଥିବ..

– କୁହନ୍ତୁ ସାର ।

– କାମଟା ହେବା ଯେତେ ଜରୁରୀ ନୁହେଁ, ହଉଛି ବୋଲି ଧାରଣା ହେବା ବେଶୀ ଜରୁରୀ । ବର୍ତ୍ତମାନ ଯୁଗ ହେଲା ପରସେପସନର । ପରସେପସନ ଓଡ଼ିଆ ପ୍ରତିଶବ୍ଦ କଣ କହିଲ?

– କଣ ସାର?

– ଧାରଣା । ମୂର୍ତ୍ତିଠୁଁ ଭାବମୂର୍ତ୍ତି ହେଲା ଅଧିକ ଗୁରୁତ୍ୱପୂର୍ଣ୍ଣ । ରିୟାଲିଟି ନୁହେଁ, ଭରଚୁଆଲ ରିଆଲିଟି, ବାସ୍ତବ ନୁହେଁ- ବାସ୍ତବର କଳ୍ପଦୃଶ୍ୟ ଏବେ ବେଶି ଲୋକଙ୍କୁ ପଇଟୁଛି । ବୁଝିପାରିଲ?

– ଆଜ୍ଞା ସାର । କିଛି କିଛି ବୁଝି ପାରୁଛି ।

– କଣ ବୁଝିଲ?

– ସାର କାମ ଦି ଅଣାର ଆଉ ତାର ପ୍ରଚାର ବାର ଅଣାର ହେବା ଦରକାର ।

– ଏଗଜାକ୍ଟଲି । ସାର କଥାଟା ବୁଝିଛ ତୁମେ । ଆଡମିନିଷ୍ଟ୍ରେସନରେ ତମର ଭବିଷ୍ୟତ ଉଜ୍ଜ୍ୱଳ । ବାକି କଥା ପରେ କେତେବେଳେ ଫୁରସତରେ ହେବା ।

…. …. ….

ସହର ପ୍ରଶାସକ ତାଙ୍କ ତଳିଆ କର୍ମଚାରୀମାନଙ୍କୁ ଡାକି ପଚାରିଲେ, ଆଗରୁ ପରା ଗୋଟେ ଡଗ ସ୍କୋଆଡ ଥିଲା ଏଠି?

କର୍ମଚାରୀମାନେ କହିଲେ, ଥିଲା ଆଜ୍ଞା । ସେମାନେ ମଝିରେ ମଝିରେ ବୁଲା କୁକୁର ଧରି ମାରି ଦଉଥିଲେ କି ଦୂରରେ ନେଇ କେଉଁଠି ଛାଡ଼ିଦେଉଥିଲେ । ହେଲେ ବହୁଦିନୁ ସେ ସ୍କୋଆଡ ଆଉ ନାହିଁ । କୁକୁରମାନଙ୍କୁ ଆଉ ଧରା ହେଉନି ତ!

– ସେଥିରେ ଯେଉଁମାନେ କାମ କରୁଥିଲେ ସେମାନେ କାହାନ୍ତି?

– ସେମାନଙ୍କୁ ଅନ୍ୟ କାମ ଦିଆଯାଇଛି ଆଜ୍ଞା ।

– ସେମାନଙ୍କୁ ଖୋଜି ମୋ ପାଖକୁ ପଠାନ୍ତୁ ।

ଡଗ ସ୍କୋଆଡର ଲୋକମାନେ ପହଞ୍ଚିଲାମାତ୍ରେ ସହର ପ୍ରଶାସକ ସେମାନଙ୍କୁ କହିଲେ, ଶୁଣ । ମୁଁ ଯାହା କହୁଛି ତାହା ଯେମିତି ଏ ରୁମ ବାହାରକୁ ନ ଯାଏ । ଗଲେ ତମ ଚାକିରି ଖାଇବି ।

– ନାଇଁ ଆଜ୍ଞା ଯିବନି ।

– ଜାଣିଛ ତ ଭରତପୁରରେ କୁକୁର କାମୁଡ଼ା ଗୋଟେ ବଡ଼ ଇସୁ୍ୟ ହେଲାଣି ।

– ହଁ ଆଜ୍ଞା, ସହରରେ ପୂରା ଆତଙ୍କର ପରିବେଶ ।

– ସେଇଥିପାଇଁ ତମମାନଙ୍କୁ ଡାକିଛି । ବୁଲା କୁକୁରମାନଙ୍କୁ ଧର ଆଉ ମାର । ଯେତେ ମାରିବ ସେତେ ପୁରସ୍କାର ମିଳିବ ।

– ହେଲେ ସାର ଏବେ ତ କୁକୁର ମାରିବା ମନା । କୁକୁର ସଂଖ୍ୟା କମେଇବା ପାଇଁ ନସବନ୍ଦୀ କରିବାକୁ ସରକାର ନିର୍ଦ୍ଦେଶ ଦେଉଛନ୍ତି…

– ଶୁଣ ବର୍ତ୍ତମାନ ଯେଉଁ ପରିସ୍ଥିତି ଦେଖାଯାଇଛି ଜନ୍ମନିୟନ୍ତ୍ରଣ ଅପରେସନ କରି ଏ ସମସ୍ୟାର ସମାଧାନ କରିବାକୁ ଡେରି ଲାଗିବ । ବାର ମହଣ ଘିଅ ପୋଡ଼ିବ- ରାଧା ନାଚିବ- ସେ ଟାଇମ ଆଉ ଅଛି! ଇନସଟାଣ୍ଟ କଫି ଆଉ ଫାଷ୍ଟ ଫୁଡର ଜମାନାରେ ଫ୍ୟାମିଲି ପ୍ଲାନିଂ କରି କୁକୁର ସଂଖ୍ୟା କମେଇବ- ସେ କଥା ହେବ କି ବାବୁ? ଆମ ଲୋକଙ୍କୁ ଫଟାଫଟ ରେଜଲ୍ଟ ଦରକାର । ଆମ ସରକାରଙ୍କୁ ଆହୁରି ଫଟାଫଟ ରେଜଲ୍ଟ ଦରକାର । ତେଣୁ ଆଗେ ପୁଳାଏ ମାରିଦିଅ । କୁକୁରର ଭିଜିବିଲିଟି କମିଯାଉ ।

– ମାନେ ସାର?

– ମାନେ ରାସ୍ତାକୁ ବାହାରିଲେ ଆଗରୁ ଯେତିକି କୁକୁର ଦିଶୁଥିଲେ ତାଠୁଁ ଯେମିତି କମ ଦିଶନ୍ତି ।

– ଆଜ୍ଞା ।

– ତାପରେ ଯେତିକି ରହିଯିବେ ସେମାନଙ୍କର ଜନ୍ମ ନିୟନ୍ତ୍ରଣ କରାଯିବ । ଆଗେ ମାର । ଏମିତି ଭାବରେ ମାର ଯେମିତି ବେଶି କେହି ଜାଣିପାରିବେନି । ରାତିରେ ମାର । ମାରିକି ପୋତି ଦିଅ । ଇଏ ହେଲା ଅପରେସନ କ୍ଲିନ-ଅପ ।

– ଆଜ୍ଞା ।

– କୁକୁର ମାରି ତା ଲାଙ୍ଗୁଡ଼ କାଟି ଆଣିବ । ଯିଏ ଯେତେଟା ଲାଙ୍ଗୁଡ଼ ଦେଖେଇବ- ସେଇ ଅନୁସାରେ ପୁରସ୍କାର ।

– ଆଜ୍ଞା ସାର ।

ମ୍ୟୁନିସିପାଲିଟିର ଡଗ ସ୍କୋଆଡର ଲୋକମାନେ ଜାଲ ଆଉ ଲାଠି ଧରି ଧରି ବାହାରି ପଡ଼ିଲେ ବୁଲା କୁକୁର ମାରିବାକୁ ।