Latest Odisha News

BREAKING NEWS

ସ୍ୱନାମଧନ୍ୟ ପାଲା ଗାୟକ ଲକ୍ଷ୍ମଣ ଚରଣ ରାଉତ

ଭୁବନେଶ୍ୱର: ପାଲା ଜଗତରେ ଜଣେ ଅମଳିନ ପ୍ରତିଭା ଗାୟକ ତପନ ଲକ୍ଷ୍ମଣ ଚରଣ ରାଉତ । ୧୯୫୧ ମସିହା ଏପ୍ରିଲ ୨୦ ତାରିଖରେ ଭଦ୍ରକ ଜିଲ୍ଲା ବନ୍ତ ନିକଟସ୍ଥ ହାସିନୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ ଲକ୍ଷ୍ମଣ । ବାପା ଚିନ୍ତାମଣି ରାଉତ ଏବଂ ମାଆ ସାଗିରି । ଜେଜେବାପା ଫକୀର ରାଉତ ଗାୟକ ଥିଲେ । ତେଣୁ ପରିବାରରେ ପାଲା ସାହିତ୍ୟ ଓ ସଂସ୍କୃତିର ମାହୋଲ ରହିଥିଲା, ଯାହାର ପ୍ରଭାବ ଲକ୍ଷ୍ମଣଙ୍କ ଉପରେ ପଡିଥିଲା । ଚାଟଶାଳୀରେ ୩ ବର୍ଷ ପଢିବା ପରେ ଗଣିଜାଙ୍ଗ ଉଚ୍ଚ ମୌଳିକ ବିଦ୍ୟାଳୟରେ ଲକ୍ଷ୍ମଣ ପାଠ ପଢିଥିଲେ । ଏହାପରେ ନେହରୁ ଉଚ୍ଚ ବିଦ୍ୟାପୀଠ ଗଣିଜାଙ୍ଗରୁ ୧୯୭୧ ମସିହାରେ ମାଟ୍ରିକ୍ ପାସ୍ କଲେ ।ପିଲାଦିନରୁ ଲକ୍ଷ୍ମଣଙ୍କର ପାଲା ପ୍ରତି ରହିଥିଲା ପ୍ରଚଣ୍ଡ ଆଗ୍ରହ । ତୃତୀୟ, ଚତୁର୍ଥ ଶ୍ରେଣୀରେ ପଢିବା ସମୟରେ ମଧ୍ୟ ସେ ୨୦ରୁ ୩୦ କିଲୋମିଟର ପାଲା ଦେଖିବା ପାଇଁ ଚାଲିଚାଲି ଯାଉଥିଲେ । ତରତରା ପାଲା ମଂଚରେ ହରିନାଥ ଏବଂ ବୈଷ୍ଣବ ପ୍ରଧାନଙ୍କ ମଧ୍ୟରେ ପାଲା ଅନୁଷ୍ଠିତ ହେଉଥିଲା । ଘରୁ ଚାଲିଚାଲି ଯାଇ ଲକ୍ଷ୍ମଣ ସେଠାରେ ରାତି ସାଢେ ୧୧ଟାରେ ପହଂଚିଥିଲେ । ଶ୍ରୋତାଙ୍କ ଗହଣରେ ପାଲା ଦେଖିବା ବେଳେ ଲକ୍ଷ୍ମଣ ପାଳି ଧରୁଥିଲେ । ଏହା ଦେଖି ଗାୟକଙ୍କ ପାଳିଆ ଭୋଲି ଏବଂ ଚକରା ଲକ୍ଷ୍ମଣଙ୍କୁ ପାଖକୁ ଡାକିଲେ, ତିନି ଦିନ ନିଜ ପାଖରେ ରଖିଲେ । ସେ ସମୟରେ କେତେକ ସ୍ଥାନକୁ ଗାୟକମାନେ ସବାରୀରେ ଯାଉଥିଲେ । ଏହା ଜାଣିବା ପରେ ଲକ୍ଷ୍ମଣଙ୍କର ପାଲା ପ୍ରତି ଆହୁରି ଆଗ୍ରହ ବଢିଲା । ସେ ତୃତୀୟ ଶ୍ରେଣୀରେ ପଢୁଥିବା ସମୟରେ ଶ୍ରେଣୀ ଶିକ୍ଷକ ଗାୟକ ବେଣୁଧର ନାୟକ ବ୍ରାହ୍ଣଣ କାବ୍ୟ ଅଭ୍ୟାସ କରୁଥିଲେ । ଶିକ୍ଷକଙ୍କ ଅଜ୍ଞାତରେ ସେହି କାବ୍ୟକୁ ଲକ୍ଷ୍ମଣ ଅଭ୍ୟାସ କରିଥିଲେ । ଶିକ୍ଷକଙ୍କ ଅନୁପସ୍ଥିତିରେ ସାଥୀ ପିଲାମାନଙ୍କୁ ନେଇ ଶ୍ରେୀଣୀ ଗୃହରେ ତାହା ଗାଉଥିଲେ । ଥରେ ପିଲାମାନଙ୍କର ଏହି ପାଲା ଗାୟନ ଗୁରୁଙ୍କ ନଜରକୁ ଆସିଲା, ସେ ଲୁଚିଲୁଚି ଏହା ଦେଖିଲେ । ସେଦିନ ଗୁରୁ ଘୋଷଣା କରିଥିଲେ ଲକ୍ଷ୍ମଣ ଭବିଷ୍ୟତରେ ଜଣେ ଗାୟକ ହେବ ।

ହାଇସ୍କୁଲ ଶିକ୍ଷକ ଥିବା କୃଷ୍ଣଚନ୍ଦ୍ର ପରିଡା ମଧ୍ୟ ସେ ସମୟରେ ପାଲା ଶିଖୁଥିଲେ । ଲକ୍ଷ୍ମଣ ଛୁଟିଦିନରେ ଗୁରୁଙ୍କ ଖାତାରୁ ଲେଖି ନେଇ ନିଜେ ଅଭ୍ୟାସ କରୁଥିଲେ । ମାଟ୍ରିକ ପରୀକ୍ଷା ପୂର୍ବରୁ ସେ ଆଖଡା ଆରମ୍ଭ କରିଦେଇଥିଲେ । ଏହାସହ ହରି ପଲେଇ ନାମଙ୍କ ବାୟକଙ୍କ ସାଥୀରେ ଯାଇ କୀର୍ତନ ଗାଉଥିଲେ । ଲକ୍ଷ୍ମଣଙ୍କୁ ହରି ପଲେଇ ପରାମର୍ଶ ଦେଲେ ପାଲା ଗାଇବାକୁ । ଏପଟେ ଲୁଚି ଲୁଚି ଆଖଡା ଚାଲିଥିଲା । ଦିନେ ହରି ପଲେଇ ଲକ୍ଷ୍ମଣଙ୍କ ସାନଭାଇ ରାମଚନ୍ଦ୍ରଙ୍କୁ ସାଥିରେ ଧରି ଘରେ ପହଂଚିଗଲେ । ବାପାଙ୍କୁ ବୁଝାଇଲେ ଲକ୍ଷ୍ମଣଙ୍କୁ ପାଲା ଶିଖାଇବା ପାଇଁ । ବାପାଙ୍କ ଅନୁମତି ପରେ ପାଲା ଶିଖିବା ଆରମ୍ଭ ହେଲା । ଗାୟକ ଗଣେଶ ପ୍ରସାଦ ବାରିକଙ୍କଠାରୁ ପ୍ରଥମେ ପାଲା ଶିଖିଲେ, କିନ୍ତୁ ସେ ଚାମର ଦେବାକୁ ମନା କଲେ । ପରେ ଗାୟକ ଯୁଧିଷ୍ଠିର ଦାସ ଚାମର ଦାନ କଲେ । କିନ୍ତୁ ସେ ବିନା ମନ୍ତ୍ରରେ ଦେଇଥିବାରୁ ପ୍ରଥମ ଗୁରୁ ଗଣେଶ ପ୍ରସାଦ ପରାମର୍ଶ ଦେଲେ ଗାୟକ ରତ୍ନାକର କାହ୍ମୁଚରଣ ପତ୍ରୀଙ୍କ ନିକଟକୁ ଯିବା ପାଇଁ । ସେତେବେଳେ ଅର୍ଥାଭାବ ଥିବାରୁ ବହି କିଣିବା ସମ୍ଭବ ହେଉନଥିଲା, ଫଳରେ ଲକ୍ଷ୍ମଣ ନିଜେ କାବ୍ୟ ରଚନା କରି ପାଲା ଗାୟନ କଲେ । ଅହଲ୍ୟା ଉଦ୍ଧାର ବିଷୟକୁ ସେ ଶାପମୁକ୍ତ ନାମଦେଇ ରଚନା କରିଥିଲେ । ପାଲା ଗାୟନ ସହ ଓରାଳି ବାଳିକା ଉଚ୍ଚବିଦ୍ୟାଳୟରେ ଶିକ୍ଷକତା କଲେ, ପରେ ପାରାବନ୍ଧ ଉଚ୍ଚ ବିଦ୍ୟାଳୟରେ ମଧ୍ୟ କିଛି ଦିନ ଶିକ୍ଷକତା କରିଥିଲେ । ତେବେ ଏହା ପାଲା ପ୍ରତି ପ୍ରତିବନ୍ଧକ ହେବାରୁ ସେ ଶିକ୍ଷକତାରୁ ଅବସର ନେଇଗଲେ ।

କିଛିବର୍ଷ ପାଲା ଗାୟନ ପରେ ଚାମର ନଷ୍ଟ ହୋଇଗଲା, ସେତେବେଳକୁ ଗୁରୁ କାହ୍ମୁ ଚରଣ ପତ୍ରୀଙ୍କର ପରଲୋକ ହୋଇସାରିଥିଲା । କିନ୍ତୁ ଲକ୍ଷ୍ମଣଙ୍କୁ ସ୍ୱପ୍ନାଦେଶ ହେଲା ଗାୟକ ନଟରାଜ ବିଶ୍ୱାଳଙ୍କଠାରୁ ପୁଣିଥରେ ଚାମର ଗ୍ରହଣ କରିବାକୁ । ସେହି ଅନୁସାରେ ସେ ପୁଣିଥରେ ଚାମର ଗ୍ରହଣ କରିଥିଲେ । ଏହାସହ ପୂଜ୍ୟ ପୂଜକ ଶ୍ରୀମଦ ବାବା ବଳିଆଙ୍କୁ ସେ ଆଧ୍ୟାତ୍ମିକ ଗୁରୁ କଲେ । ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଲକ୍ଷ୍ମଣ ରାଉତଙ୍କୁ ମିଳିଛି ଅନେକ ପୁରସ୍କାର, ସମ୍ମାନ । ତେଲେଙ୍ଗା ପେଣ୍ଠଠାରେ ବିଶ୍ୱ ସନାତନ ସେବା ସଂଘ ଦ୍ୱାରା ବାବା ବଳିଆ ତାଙ୍କୁ ଗାୟକ ତପନ ଉପାଧି ପ୍ରଦାନ କରିଥିଲେ । ଏହାସହ ସେ ଗାୟକ ଦୀପ୍ତି, ଗାୟକ ଜ୍ଞାନସାଗର, ଗାୟକ ବାଣୀଭୂଷଣ ଆଦି ଅନେକ ଉପାଧି ପାଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରର ପାଲା ଅନୁଷ୍ଠାନଠାରୁ । ସେହିପରି ରାଜ୍ୟ ସଂସ୍କୃତି ବିଭାଗ ଏବଂ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ମଧ୍ୟ ସେ ପୁରସ୍କୃତ ଏବଂ ସମ୍ବର୍ଦ୍ଧିତ ହୋଇଛନ୍ତି ।

ଲକ୍ଷ୍ମଣ ରାଉତ ଜଣେ ପ୍ରତିଷ୍ଠିତ ପାଲା ଗାୟକ ସହ ଜଣେ ସୁସଂଗଠକ ମଧ୍ୟ । ରାଜ୍ୟ ପାଲା ଗାୟକ ପରିଷଦର ସେ ଜଣେ ଶୃଙ୍ଖଳିତ ସଦସ୍ୟ । ୭ ଥର ସଂଗଠକ ସଂପାଦକ ଭାବେ କାର୍ଯ୍ୟ କରିବା ସହ ଏବେ ସେ ରାଜ୍ୟ ପରିଷଦର ଉପସଭାପତି ଭାବେ କାର୍ଯ୍ୟରତ । କୌଣସି କଳାକାରଙ୍କର ସୁବିଧା ଅସୁବିଧା ହେଲେ ବିନା ଦ୍ୱିଧାରେ ପହଂଚିଯାଆନ୍ତି ଲକ୍ଷ୍ମଣ । ସେ ଜଣେ ଛାତ୍ର ବତ୍ସଳ ଗୁରୁ ମଧ୍ୟ । ସାରା ରାଜ୍ୟରେ ତାଙ୍କର ୫୪ ଜଣ ଛାତ୍ରଛାତ୍ରୀ । ପାଲା ଉପଯୋଗୀ କାବ୍ୟ, କବିତା, ଚତୁଷ୍ପଦୀ ଆଦି ରଚନା କରିବାରେ ମଧ୍ୟ ସେ ସିଦ୍ଧହସ୍ତ । ଜଣେ ସୁବକ୍ତା ଭାବେ ମଧ୍ୟ ପରିଚିତ । ହରେକୃଷ୍ଣ ମହତାବ ପାଲା ସାହିତ୍ୟ ସାଂସ୍କୃତିକ ପରିଷଦର ସେ ପ୍ରତିଷ୍ଠାତା ସହଯୋଗୀ, କେନ୍ଦୁଝର ଜିଲ୍ଲାରେ ସେ ମହାରାଜା ବଳଭଦ୍ର ନାୟାରଣ ପାଲା ସଂସ୍କୃତି ଓ ସ୍ୱେଚ୍ଛାସେବୀ ପରିଷଦ ପ୍ରତିଷ୍ଠା କରିଛନ୍ତି ।

Comments are closed.