ଭୁବନେଶ୍ୱର: ପୂରାତନ ଶୈଳୀର ପାଲା ପରମ୍ପରାକୁ ଯେଉଁକେତେ ଜଣ ବରିଷ୍ଠ ଗାୟକ ବଜାୟ ରଖିଛନ୍ତି ସେମାନଙ୍କ ମଧ୍ୟରେ ଅନ୍ୟତମ ଋଷି ପ୍ରତିମ ଗାୟନାଚାର୍ଯ୍ୟ ଗାୟକ ଦକ୍ଷିଣ କେଶରୀ ରାମଚନ୍ଦ୍ର କର । ୧୯୪୩ ମସିହାରେ ତକ୍ରାଳୀନ ପୁରୀ ଜିଲ୍ଲା ଗଙ୍ଗାଧରପୁର ନିକଟସ୍ଥ ହରିପୁରଶାସନରେ ଜନ୍ମଗ୍ରହଣ କରିଥିଲେ ରାମଚନ୍ଦ୍ର । ବାପା ଲୋକନାଥ କର ଏବଂ ମାଆ ହାଡିମଣି ଦେବୀ । ବାପା ଓଡିଶାର ପ୍ରଖ୍ୟାତ ପାଲା ଗାୟକ ଭାବେ ପରିଚିତ । ପିଲା ଦିନରୁ ଘରେ ସାହିତ୍ୟ ସଙ୍ଗୀତର ଆସର ଜମୁଥିଲା । ଦୂରଦୂରାନ୍ତରୁ ଗାୟକମାନେ ଘରକୁ ଆସୁଥିଲେ ବାପାଙ୍କଠାରୁ କାବ୍ୟ କବିତା ଆଦି ଶିକ୍ଷା ଗ୍ରହଣ କରିବାକୁ । ରାମଚନ୍ଦ୍ରଙ୍କ ଉପରେ ମଧ୍ୟ ଏହାର ପ୍ରଭାବ ପଡିଥିଲା । ସାହିତ୍ୟ ପ୍ରତି ରୁଚି ବଢିବା ସହ ବଡ ହେଲେ ବାପାଙ୍କ ପରି ଗାୟକ ହେବାକୁ ଇଛା କରିଥିଲେ ରାମଚନ୍ଦ୍ର ।
ପ୍ରାଥମିକ ଶିକ୍ଷା ଗ୍ରହଣ ପରେ ରାମଚନ୍ଦ୍ର କୁହୁଡି ସ୍ଥିତ ଜନତା ହାଇସ୍କୁଲରେ ନାମ ଲେଖାଇଲେ । ସେଠାରୁ ସଫଳତାର ସହ ମାଟ୍ରିକ ପାସ୍ କଲେ । ଏହାପରେ ସେ ଚାହିଁଥିଲେ ଚାକିରି କରିପାରିଥାନ୍ତେ, କିନ୍ତୁ ପାଲା ପ୍ରତି ଥିବା ଦୁର୍ବଳତା ତାଙ୍କୁ ସେଦିଗକୁ ଛାଡିନଥିଲା । ସେ ମନେମନେ ପାଲା ଶିଖିବା ଆରମ୍ଭ କରିଦେଲେ । ପୁଅର ମନୋଭାବ ବୁଝିପାରିଥିଲେ ବାପା । ତେଣୁ ସେ ପୁଅକୁ ପାଲା ଗାୟକ କରିବା ପାଇଁ ସ୍ଥିର କଲେ । ୧୯୬୪-୬୫ ମସିହା ବେଳକୁ ରାମଚନ୍ଦ୍ର ପାଲା ଜଗତରେ ପାଦ ଦେଲେ । ଏହି ସମୟରେ ବାପା କର୍କଟ ରୋଗରେ ପୀଡିତ ହେଲେ । ଚିକିତ୍ସା ପାଇଁ ଭେଲୋର ଯିବାକୁ ପଡିଲା । ରାମଚନ୍ଦ୍ର ବାପାଙ୍କୁ ନେଇ ସେଠାକୁ ଗଲେ । ମାଆ ମଧ୍ୟ ରୋଗରେ ପୀଡିତ ହେଲେ । ଉଭୟଙ୍କ ସେବା ଯତ୍ନରେ ଲାଗିଲେ ରାମଚନ୍ଦ୍ର । ତେବେ ପିତାମାତାଙ୍କ ଆଶୀର୍ବାଦରୁ ରାମଚନ୍ଦ୍ର ପାଲା ରାଜ୍ୟରେ ସୁଖ୍ୟାତି ଅର୍ଜନ କଲେ ।
ବାପାଙ୍କ ସହ ପ୍ରତିଷ୍ଠିତ ପାଲା ଗାୟକ ବଂଶୀଧର ମହାପାତ୍ର ଏବଂ କବି ଗୌରାଙ୍ଗ ବାରିକଙ୍କର ପ୍ରେରଣା ରାମଚନ୍ଦ୍ରଙ୍କୁ ପାଲାରେ ପ୍ରତିଷ୍ଠିତ ହେବାରେ ସାହାଯ୍ୟ କରିଥିଲା । ରଘୁବଂଶ, ଭାରବୀ, ନୈଷଧ ଆଦି ସଂସ୍କୃତ କାବ୍ୟ ନାଟକକୁ ଓଡିଆରେ ନାଟକୀୟ ଶୈଳୀରେ ପରିବେଷଣ କରି ନୂତନ ପରମ୍ପରା ସୃଷ୍ଟି କଲେ ରାମଚନ୍ଦ୍ର, ଯାହା ପାଲା ଦର୍ଶକମାନଙ୍କୁ ଆକୃଷ୍ଟ କରିଥିଲା । ଉଭୟ ଓଡିଆ ଓ ସଂସ୍କୃତ ସାହିତ୍ୟ ଉପରେ ତାଙ୍କର ଅଗାଧ ପାଣ୍ଡିତ୍ୟ ଓ ଦକ୍ଷତା ରହିଥିଲା ।
ତକ୍ରାଳୀନ ସମୟର ସମସ୍ତ ପ୍ରତିଷ୍ଠିତ ଗାୟକମାନଙ୍କ ସହ ବାଦିପାଲାରେ ଯୋଗଦେଇ ରାମଚନ୍ଦ୍ର ସାରା ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିବାକୁ ଲାଗିଲେ । ରାମଚନ୍ଦ୍ରଙ୍କର ଋଷି ପ୍ରତିମ ଆଚରଣ ତାଙ୍କୁ ପାଲା ଜଗତରେ ଅନ୍ୟମାନଙ୍କଠାରୁ ନିଆରା କରିଥାଏ । ଉଭୟ ପାଣ୍ଡିତ୍ୟ ଏବଂ ବ୍ୟବହାରରେ ସେ ପ୍ରତିପକ୍ଷ ଗାୟକମାନଙ୍କୁ ମଧ୍ୟ ଆପଣାର କରିନିଅନ୍ତି । କୌଣସି ପ୍ରତିପକ୍ଷ ଗାୟକଙ୍କୁ ସେ କେବେ ମଧ୍ୟ କଟୁ ସମାଲୋଚନା କରନ୍ତି ନାହିଁ । ବରଂ ଭୁଲ ଦେଖିଲେ ସଂଶୋଧନ କରିଦିଅନ୍ତି ଏବଂ ଉପଯୁକ୍ତ ପରାମର୍ଶ ଦିଅନ୍ତି । ସେ ଏଭଳି ଜଣେ ଗାୟକ ଯାହାଙ୍କୁ ସମସ୍ତ ପାଲା କଳାକାର ସମ୍ମାନ ଓ ଆଦର କରନ୍ତି ।
ରାମଚନ୍ଦ୍ର କର ବର୍ତ୍ତମାନ ସୁଦ୍ଧା ୨୦ରୁ ଅଧିକ ଶିଷ୍ୟ ଶିଷ୍ୟାଙ୍କୁ ତାଲିମ ଦେଇସାରିଲେଣି । ନିଜେ ମଧ୍ୟ ଅନେକ କାବ୍ୟ କବିତା ରଚନା କରିଛନ୍ତି । ରାମାୟଣ ସମୀକ୍ଷା, ମହାଭାରତ ସମୀକ୍ଷା, ପାତାଳ କେତୁ, ଘୋଷଯାତ୍ରା ଆଦି ଅନେକ କାବ୍ୟ ସେ ରଚନା କରିଛନ୍ତି, ଯାହାକୁ ଗାୟକମାନେ ପାଲାରେ ମଧ୍ୟ ପରିବେଷଣ କରୁଛନ୍ତି ।
ପାଲା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ସାରା ରାଜ୍ୟର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ମିଳିଛି ଅନେକ ଉପାଧି ଓ ସମ୍ମାନ । ଭୁବନେଶ୍ୱର ପାଲା ସମ୍ମିଳନୀରେ ପୂର୍ବତମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ରାମଚନ୍ଦ୍ରଙ୍କୁ ଗାୟକ ଦିଗ୍ଗଜ ଉପାଧି ପ୍ରଦାନ କରିଥିଲେ । ସେହିପରି ପୂର୍ବତମ ମୁଖ୍ୟମନ୍ତ୍ରୀ ଜାନକୀବଲ୍ଲଭ ପଟ୍ଟନାୟକ ତାଙ୍କୁ ଗାୟକ ଦକ୍ଷିଣକେଶରୀ ଉପାଧିରେ ସମ୍ମାନିତ କରିଥିଲେ । ପୂର୍ବତନ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଭୂପିନ୍ଦର ସିଂହ ପ୍ରଦାନ କରିଥିଲେ ଗାୟକ ଆଲୋକ ଉପାଧି । ପାଲା କଳା ସହ ଅନ୍ୟ ପାରମ୍ପରିକ କଳାର ବିକାଶ ପାଇଁ ମଧ୍ୟ ରାମଚନ୍ଦ୍ର ସର୍ବଦା ଚେଷ୍ଟା କରିଆସିଛନ୍ତି । ଶ୍ରୀ ନୀଳାଚଳ ନିଖିଳଉକ୍ରଳ ପାଲା ଗାୟକ ପରିଷଦର ଅଖଣ୍ଡ ପୂରୀ ଜିଲ୍ଲାର ସେ ସ୍ଥାୟୀ ସଭାପତି ରହିବା ସହ ଏବେ ଖୋର୍ଦ୍ଧା ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ରହିଛନ୍ତି ।
ସାଧାରଣ ଜୀବନରେ ମଧ୍ୟ ମୁନି ଋଷିଙ୍କ ଭଳି ଜୀବନ ଅତିବାହିତ କରନ୍ତି ରାମଚନ୍ଦ୍ର କର । ନିଜ ଗ୍ରାମ ନିକଟସ୍ଥ ନାଚୁଣୀ ବଡପଦର ଜଗତୀ ପାହାଡ ପାଦଦେଶରେ ତାଙ୍କ ଉଦ୍ୟମରେ ଏକାଧିକ ମନ୍ଦିର ପ୍ରତିଷ୍ଠା କରାଯାଇଛି । ଏକ ମନୋରମ ପରିବେଶରେ ଏଠାରେ ପୂଜା ପାଉଛନ୍ତି ଶ୍ରୀରାମଚନ୍ଦ୍ର, ହନୁମାନ, ମହାଦେବ । ଏବେ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାମ ଜାରି ରହିଛି । ପ୍ରତିବର୍ଷ ବାପା ଗାୟକ ରତ୍ନ ଲୋକନାଥ କରଙ୍କ ଜୟନ୍ତୀ ମହାସମାରୋହରେ ପାଳନ କରୁଛନ୍ତି ରାମଚନ୍ଦ୍ର । ଦୁଇ ଦିନ ବ୍ୟାପୀ ଏହି କାର୍ଯ୍ୟକ୍ରମରେ ରାଜ୍ୟର କୋଣଅନୁକୋଣରୁ ପାଲା କଳାକାରମାନଙ୍କର ସମାଗମ ହୁଏ । ଏହି ଅବସରରେ ଦାସକାଠିଆଠାରୁ ଆରମ୍ଭ କରି ଅନ୍ୟ ଲୋକନୃତ୍ୟ ପରିବେଷଣ କରାଯାଏ । ପ୍ରତିଷ୍ଠିତ ଓ ଯୁବ ପାଲା କଳାକାରଙ୍କ ସମେତ ଅନ୍ୟ କଳାକାର ଓ ଲୁକାୟିତ ପ୍ରତିଭା ଏବଂ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିବା ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ନିଜସ୍ୱ ଉଦ୍ୟମରେ ରାମଚନ୍ଦ୍ର ସମ୍ମାନିତ କରିଆସୁଛନ୍ତି ।
ପତ୍ନୀ ଶାନ୍ତିଲତା ଦେବୀଙ୍କ ସହ ଗୋଟିଏ ପୁଅ ଏବଂ ତିନି ଝିଅଙ୍କୁ ନେଇ ରାମଚନ୍ଦ୍ରଙ୍କ ସଂସାର । ଝିଅମାନଙ୍କୁ ବିବାହ ଦେଇସାରିଥିବା ବେଳେ ପୁଅ ଏବେ ବିଦେଶରେ । ଘରେ ପତ୍ନୀଙ୍କ ସହ ପାଲା କଳାରେ ବ୍ରତୀ ରାମଚନ୍ଦ୍ର ଉଭୟ ସଂସାରୀ ଓ ସନ୍ୟାସୀ ଜୀବନ ଅତିସୁନ୍ଦର ଭାବେ ଅତିବାହିତ କରୁଛନ୍ତି ।
Comments are closed.