Latest Odisha News

BREAKING NEWS

ଅଲିଭା ଦାଗ

ଅଲିଭା ଦାଗ

ବିଚିତ୍ର ବିଶ୍ୱାଳ

ସମୟର ବହଳ ଧୂଳି ଲିଭେଇ ଦେଇପାରେ କୋଣାର୍କ କାନ୍ଥର ଖୋଦିତ ଚିତ୍ରକଳା, ହେଲେ ଲିଭେଇ ପାରେନି ହୃଦୟ କାନ୍ଥରେ କୁନିକୁନି ଅକ୍ଷରରେ ଲିଖିତ ସେଇ ଚିର ଈପସିତ ନାଁକୁ।

ହୃଦୟରେ ଏଇ ଲେଖି ହୋଇଯିବାଟା କଣ ପ୍ରେମ!

ପନ୍ଦର ବର୍ଷ ତଳେ ଉଭୟଙ୍କ ବୟସ ଏଇ ଉଣେଇଶ କୋଡ଼ିଏ ଭିତରେ ଥିଲା। ସେଇ ଆଦ୍ୟ ଯୌବନରେ ପରସ୍ପରଙ୍କୁ ପ୍ରଚୁର ଭଲପାଉଥିଲେ ସେମାନେ। ଚିଠିରେ ଭାବର ଆଦାନ ପ୍ରଦାନ କରି ଘଣ୍ଟା ଘଣ୍ଟା ଧରି ଉଭୟ ଉଭୟଙ୍କ ଚିଠି ପଢ଼ିବା ଥିଲା ସେମାନଙ୍କ ପାଇଁ ସାଧାରଣ କଥା। ନିଜ ନିଜ ଭାଗର ମାଟି, ଆକାଶ, ପବନକୁ ସେମାନେ କରିଦେଇଥିଲେ ଜଣେ ଅନ୍ୟ ଜଣଙ୍କ ନାମରେ। ଜହ୍ନ, ତାରା, ଫୁଲ ବଗିଚା, ପ୍ରଜାପତି ସମସ୍ତେ ଦେଖୁଥିଲେ ଓ ସମସ୍ତେ ସାକ୍ଷୀ ଥିଲେ ତାଙ୍କ ପ୍ରେମର।

ସମୟର ଚକ ଗଡ଼ିବା ସହିତ ପ୍ରାୟ ଛଅ ବର୍ଷ ପରେ ଯୁବକଟିକୁ ଏକାକରି ବାହା ହୋଇଗଲା ଝିଅଟି। ଅବଶ୍ୟ ସବୁ ପ୍ରେମ ପରି ପରିସ୍ଥିତି ଠିଆ ହୋଇଥିଲା ସେମାନଙ୍କ ପ୍ରେମରେ ଖଳନାୟକ ହୋଇ।

ଝିଅଟିର ବାହାଘର ପରେ ବହୁତ କାନ୍ଦିଲା ଯୁବକଟି। ନିସଙ୍ଗତାର ମୂନିଆ କଣ୍ଟାରେ କ୍ଷତାକ୍ତ ହେଲା ସେ ଅହରହ। ଛଟପଟ ହେଲା ସେ ଯନ୍ତ୍ରଣାରେ। ଝିଅଟିକୁ ଭୁଲିବା ପାଇଁ ନିଜକୁ ଶହେ ଯୁକ୍ତି ଦେଲା। ଜୋରସେ ଧକ୍କା ମାରିଲା। ଝିଅଟିକୁ ପ୍ରତାରଣାର ଦେବୀ ସଜେଇଲା। ତାକୁ ଘୃଣା କରିବାକୁ ଚେଷ୍ଟା କଲା। ତଥାପି ବି ସେ ଲିଭେଇ ପାରୁନଥିଲା ସେ ଛୋଟିଆ ନାଁଟାକୁ, ତା ଛାତି ଭିତରର କୋମଳ କାନଭାସରୁ।

ଏ ଭିତରେ ଝିଅଟି ତା ସଂସାରରେ କେମିତି ଥିଲା କେଜାଣି!

ନିଜ ସହର ବଜାର ଚିହ୍ନାଜଣା ଲୋକ ସମସ୍ତଙ୍କଠୁ ବହୁତ ଦୂର ଏକ ଅଜଣା ଜାଗାକୁ ଚାଲିଯାଇଥିଲା ଯୁବକଟି। ଦୁନିଆଯାକର ନିଶାକୁ ସାଥି କଲା। ସେ ବୁଝିଯାଇଥିଲା, ନିଜର ନିଃଶେଷରେ ହିଁ ନିଃଶେଷ ହେବ ଛାତି ଭିତରର ସେ ଅଲିଭା ଦାଗର। ସରିସରି ଆସୁଥିଲା ସେ। ତଥାପି ସଫଳ ହୋଇପାରୁନଥିଲା।

ହଠାତ ଆଜି ଏକ ଅଜଣା ନମ୍ବରରୁ ମେସେଜ ଆସିଲା ତା ମୋବାଇଲକୁ। ମେସେଜ ପଠେଇଥିଲା ସେଇ ଝିଅଟି। ତା ସହିତ ପଠେଇଥିଲା ଗୋଟିଏ ଛୋଟ ଶଙ୍ଖର ଫଟୋ, ଯେଉଁଥିରେ ଖୋଦେଇ ହୋଇ ଲେଖାଥିଲା ଇଂରାଜୀ ଅକ୍ଷର ‘ଏସ’। ଝିଅଟିର ନାମର ପ୍ରଥମ ଅକ୍ଷର। ଯାହାକୁ ପନ୍ଦର ବର୍ଷ ତଳେ ପୁରୀ ଗଲାବେଳେ ଆଣିଥିଲା ଯୁବକଟି ଓ ଉପହାର ଦେଇଥିଲା ଝିଅଟିକୁ। ପନ୍ଦର ବର୍ଷ ତଳକୁ ଘୋଷାଡ଼ି ହୋଇଗଲା ଯୁବକଟି। ତା ନିଶାସକ୍ତ ଆଖିରେ ଭରିଗଲା ବହଳ ଲୁହ।

ପନ୍ଦର ବର୍ଷ ତଳର ସେ ଛୋଟିଆ ଉପହାରଟିକୁ ଏଯାଏ ସାଇତି ରଖିଥିଲା ଝିଅଟି, ତାର ଗୋଟେ ପରିପୂର୍ଣ୍ଣ ସଂସାର ଥାଇ ବି।

ନିଜ ଛାତି ଉପରେ ହାତ ଚଲେଇ ଆଣି ଧିରେ ଆଉଁଶି ଦେଲା ସେ ନାଁଟିକୁ ଯୁବକ। ତାକୁ ବି କିଏଜଣେ ଆଉଁଶି ଦେଉଥିଲା ବହୁତ ଦୂରରେ ଥାଇ।

Leave A Reply

Your email address will not be published.