Latest Odisha News

BREAKING NEWS

ପାଲା ଜଗତର ପ୍ରତିଭାଦୀପ୍ତ ଗାୟକ: ଶରତ ଚନ୍ଦ୍ର ଦାଶ

ଭୁବନେଶ୍ୱର: କର୍ମକାଣ୍ଡବିତ୍, କବି, ଗାୟକ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଦାଶ ପାଲା ଜଗତରେ ଜଣେ ପ୍ରତିଭାଦୀପ୍ତ ଗାୟକ । ଅଜାଘର ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ରଇଁଶୋଲ ଗ୍ରାମରେ ୧୯୬୮ ମସିହା ଡିସେମ୍ବର ୧୩ ତାରିଖ ପୌଷ କୃଷ୍ଣ ଅଷ୍ଟମୀ ଶୁକ୍ରବାର ଦିନ ଜନ୍ମଗ୍ରହଣ କରିଥିଲେ । ନିଜଘର ଖୋର୍ଦ୍ଧା ଜଟଣୀ ବ୍ଲକ୍ ଅନ୍ତର୍ଗତ ନିରଞ୍ଜନପୁର ଗ୍ରାମରେ । ବାପା ପ୍ରଖ୍ୟାତ ପଣ୍ଡିତ ଓ ଜ୍ୟୋତିର୍ବିଦ୍ ଶ୍ରୀଯୁକ୍ତ ଅଖିଳ ଚନ୍ଦ୍ର ମିଶ୍ର ଓ ଶ୍ରୀମତୀ ଉର୍ମିଳା ମିଶ୍ର । ତେବେ ଅଜା ବାସୁଦେବ ଦାଶ ଓ ଆଈ ପାର୍ବତୀ ଦାଶଙ୍କର ପୁତ୍ର ନଥିବାରୁ ଅନ୍ତୁଡି ଶାଳରୁ ନିଜ ଝିଅଠାରୁ ଶରତଙ୍କୁ ମାଗିନେଇ ପୁତ୍ର ଭାବେ ଗ୍ରହଣ କରିଥିଲେ । ଅଜା ଆଈ ରଙ୍କୁଣୀଧନପରି ଅତି ଗେହ୍ଲା କରାଇ ନିଜ ଗୋତ୍ରରେ ବ୍ରତୋପନୟନ କରାଇ ବିଦ୍ୟାଳୟରେ ପିତାମାତା ନାମ ସ୍ଥାନରେ ନିଜ ନାମ ରଖି ବଢାଇଲେ । ଅଜା ଆଈଙ୍କ ଅତ୍ୟନ୍ତ ସ୍ନେହ ଯୋଗୁଁ ପିଲାଦିନେ ଶରତ ଅମାନିଆ ହୋଇଗଲେ । ଚାଟଶାଳୀ ହେଉ ବା ବିଦ୍ୟାଳୟ ଶିକ୍ଷକ ଯଦି କେଉଁଦିନ ଆକଟ କରନ୍ତି ସଙ୍ଗେ ସଙ୍ଗେ ଆଈଙ୍କ ଦୃଷ୍ଟିଗୋଚର ହୁଏ, ଏବଂ ଆଈ ସେମାନଙ୍କୁ ଗାଳି ଦେଇ କୋଳେଇ ଆଣନ୍ତି । ଏହାଦେଖି ଶିକ୍ଷକ ଜନ୍ମଦାତା ପିତାଙ୍କ ଦୃଷ୍ଟି ଆକର୍ଷଣ କରାଇଲେ, ଫଳରେ ଜନ୍ମଦାତା ଶରତଙ୍କୁ ନିଜ ପାଖକୁ ଆଣି ପଢ଼ାଇଲେ ।

ନିରଞ୍ଜନପୁର ଉ:ପ୍ରା: ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଓ ଦକ୍ଷିଣକାଳୀ ମଧ୍ୟ ଇଂରାଜୀ ବିଦ୍ୟାଳୟରେ ସପ୍ତମଶ୍ରେଣୀ ଉତ୍ତୀର୍ଣ୍ଣ ହେଲେ ଶରତ । ଏହାପରେ କୁଦିଆରୀ ଉଚ୍ଚବିଦ୍ୟାଳୟରେ ଅଷ୍ଟମ ଏବଂ ହାଟସାହି ଉଚ୍ଚ ବିଦ୍ୟାଳୟରେ ୧୯୮୩ରେ ମାଟ୍ରିକ ପାସ୍ କରି ଜଗନ୍ନାଥ ବେଦ କର୍ମକାଣ୍ଡ ସଂସ୍କୃତ ମହାବିଦ୍ୟାଳୟରେ କର୍ମକାଣ୍ଡରେ ମଧ୍ୟମା ଶେଷ କଲେ । ପରେ କୃଷ୍ଣଚନ୍ଦ୍ର ଗୁରୁକୁଳ ମହାବିଦ୍ୟାଳୟ ଭୁବନେଶ୍ବରରେ ସାହିତ୍ୟ ଶାସ୍ତ୍ରୀ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ଵବିଦ୍ୟାଳୟ, ଶ୍ରୀବିହାର ପୁରୀରେ ବେଦାଚାର‌୍ୟ୍ୟ, ସାହିତ୍ୟ ଆଚାର‌୍ୟ୍ୟ ଉତ୍ତୀର୍ଣ୍ଣ ହେବା ପରେ ଡେଲାଙ୍ଗବ୍ଲକ୍, ପଞ୍ଚାୟତ ଉଚ୍ଚବିଦ୍ୟାଳୟ, ଖଣ୍ଡିମଙ୍ଗଳପୁରରେ କିରାଣୀଭାବେ ନିଯୁକ୍ତି ପାଇଲେ ।

ଶରତଙ୍କ ଜେଜେ ବାପା ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ମିଶ୍ର ଜଣେ ପ୍ରଖ୍ୟାତ ପଣ୍ଡିତ ଓ ଜ୍ୟୋତିର୍ବିଦ୍ ଭାବରେ ପରିଚିତ ଥିଲେ । ପ୍ରତିଦିନ ଅନେକ ବ୍ୟକ୍ତି ତାଙ୍କୁ ସାକ୍ଷାତ କରିବାକୁ ଆସନ୍ତି। ଜେଜେଙ୍କଠାରୁ ଅନୁପ୍ରାଣିତ ହୋଇ ଶରତ ଚତୁର୍ଥ ଶ୍ରେଣୀରୁ ପ୍ରତ୍ୟେକ ଦିନ ଗୋଟିଏ ଦୁଇଟା କରି ୧୯୭୬ରୁ ୧୯୮୧ ଏପ୍ରିଲ୍ ମଧ୍ୟରେ ପ୍ରାୟତଃ ୨୦୦୦ ରୁ ଉର୍ଦ୍ଧ୍ବ ଶ୍ଳୋକ ଧ୍ୟାନ ଓ ପୂଜାର ଅନେକମନ୍ତ୍ର ମୁଖସ୍ଥ କରିଦେଇଥିଲେ ।

୧୯୮୧ ମସିହାରେ ପିତାମହଙ୍କ ମୃତ୍ୟୁ ପରେ ତାଙ୍କ ସଞ୍ଚିତ ବିଭିନ୍ନ ପୂଜାପଦ୍ଧତିରେ ଶରତ ଧ୍ୟାନ ଦେଲେ । ସେଥିରେ ମଧ୍ୟ ଜଣେ ସୁପରିଚିତ କର୍ମକାଣ୍ଡୀ ପଣ୍ଡିତ ଭାବେ ଜଟଣୀ ପିପିଲି ଭୁବନେଶ୍ୱର ଖୋର୍ଦ୍ଧା ଓ ପୁରୀ ମଧ୍ୟରେ ତାଙ୍କର ଖ୍ୟାତି ବ୍ୟାପିଲା । ଏହା ମଧ୍ୟରେ ପାଲା ପ୍ରତି ରହିଥିଲା ଦୁର୍ବଳତା । ନିଜ ପୂର୍ବ ପରିଚିତି ଗ୍ରାମର ଅଧିଷ୍ଠାତ୍ରୀଦେବୀ ମା’ ଦକ୍ଷିଣକାଳୀଙ୍କ ନିକଟରେ ସେତେବେଳେ ମାସେ ଧରି ବାଦିପାଲା ଅନୁଷ୍ଠିତ ହେଉଥିଲା । ଏହି ପାଲାକୁ ସେହି ସମୟରେ କିଛି ନବୁଝିଲେ ମଧ୍ୟ ଆରମ୍ଭରୁ ଶେଷ ପର‌୍ୟ୍ୟନ୍ତ ସେ ଦେଖୁଥିଲେ । ୧୯୭୭ ମସିହାରେ ଗାୟକ କେଶରୀ ଉଦୟନାଥ ରଥଶର୍ମା ଓ ଗାୟକ ସାରସ୍ଵତ ପରମାନନ୍ଦ ଶରଣ ଆସିଥାନ୍ତି ।

ଗାୟକ କେଶରୀ ସେହି ଗ୍ରାମର ବିଦ୍ୟାଳୟ ଗୃହରେ ଥାଆନ୍ତି । ପିଲାଦିନୁ ବ୍ରତ ହୋଇନଥିଲେ ମଧ୍ୟ ପିତାମହଙ୍କର ଆଦେଶ କ୍ରମେ ଗ୍ରାମଦେବୀ ମା ଦକ୍ଷିଣକାଳୀଙ୍କ ମନ୍ଦିର ଧୋଇବା ମାଆଙ୍କୁ ଗାଧୋଇ ବେଶ କରିବା ଏକ ଅଭ୍ୟାସ ଆଗ୍ରହରେ ପରିଣତ ହୋଇ ଯାଇଥିଲା । ପିତାମହଙ୍କଠାରୁ ଶିକ୍ଷା କରିଥିବା ପାଞ୍ଚଟି ଶ୍ଳୋକକୁ ବଡ଼ପାଟିରେ ବହୁବାର ପଢି ମା’ଙ୍କ ସେବା କରନ୍ତି ଶରତ । ବିଦ୍ୟାଳୟଟି ମାଆଙ୍କ ମନ୍ଦିରନିକଟରେ ଥିବାରୁ ଗାୟକ କେଶରୀ ସେଠାରେ ବସନ୍ତି । ରଥଶର୍ମା ଶରତଙ୍କର ସେହି କୋମଳ ମଧୁର ଶ୍ଲୋକାଦିପାଠକୁ ଶୁଣି ଦିନେ ପାଖକୁ ଡାକିଲେ । ଚତୁର୍ଥ ପରୀକ୍ଷା ଦେଇଥିବା ଶୁଣି ପାଠ୍ୟ ପୁସ୍ତକର କିଛି ପ୍ରଶ୍ନ ପଚାରିଲେ । ଉତ୍ତରରେ ଖୁସି ହୋଇ ଶରତଙ୍କୁ ସୁନ୍ଦର ସୁନ୍ଦର ମଙ୍ଗଳାଚରଣ ଦେଇଥିଲେ । ସେହିଦିନଠାରୁ ଶରତଙ୍କର ପାଲା ପ୍ରତି ଆଗ୍ରହ ଦ୍ଵିଗୁଣିତ ହୋଇଥିଲା । ସେହିଦିନଠାରୁ ସାଙ୍ଗମାନଙ୍କ ମେଳରେ ଘରପୋଡିଗଛ ଓ ଖଜୁରୀ ପତ୍ରକୁ ଉଞ୍ଚି ମୁଠା କରିଚାମରଭାବେ, ସଢେଇକି ମନ୍ଦିରା ଭାବେ ବ୍ୟବହାର କରି ପାଲା ଖେଳ ଆରମ୍ଭ କଲେ ।

୧୯୮୩ ମସିହାରେ ନିରଞ୍ଜନପୁର ଦକ୍ଷିଣକାଳୀ ମଞ୍ଚରେ ଗାୟକ ବିଦ୍ୟାଭୂଷଣ ସଂସ୍କୃତ ଶିକ୍ଷକ ଶ୍ରୀଯୁକ୍ତ ରମାକାନ୍ତ ମିଶ୍ରଶର୍ମ୍ମା ଓ ଗାୟକ ଲକ୍ଷ୍ମୀଧର ରାଉତଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହେଲା ।

ଗାୟକ ବିଦ୍ୟାଭୂଷଣଙ୍କ ପାଲାରେ ଅନୁପ୍ରାଣିତ ହୋଇ ତାଙ୍କୁ ଗୁରୁଭାବରେ ବରଣ କରି ୧୯୮୫ ମସିହା ଜାନୁଆରୀ ଏକ ତାରିଖରେ ଶ୍ରୀଯୁକ୍ତ ଦାଶ ଚାମର ଗ୍ରହଣ କଲେ । ମାଆ ଦକ୍ଷିଣକାଳୀଙ୍କ ଆଶିଷ ନେଇ ମାଆଙ୍କ ସମ୍ମୁଖରେ ପାଲା ଅନୁକୂଳ କଲେ । ପରେ ପ୍ରଥମ ଗୁରୁଙ୍କଠାରୁ ଆଦେଶ ନେଇ ଗାୟକ ଚିନ୍ମୟ ବଳଭଦ୍ର ପଣ୍ଡାଙ୍କୁ ଗୁରୁଭାବେ ଗ୍ରହଣ କରି ପାଲା କରିଆସୁଛନ୍ତି ଶ୍ରୀଯୁକ୍ତ ଦାଶ ।

ଏହା ମଧ୍ୟରେ ବିଭିନ୍ନ ଅନୁଷ୍ଠାନରେ ପାଲାଗାଇ ଶତର ଚନ୍ଦ୍ର ଦାଶ ବହୁ ଖ୍ୟାତି ଅର୍ଜନ କରିଛନ୍ତି ।

ଗାୟକ ପୁରାଣଭୂଷଣ ଭଳି ଅନେକ ଉପାଧି ଓ ପୁରସ୍କାର ଲାଭ କରିଛନ୍ତି । ଦଶମ ଶ୍ରେଣୀରୁ କବିତା ଲେଖିବା ଅଭ୍ୟାସ କରି ଏପର‌୍ୟୟନ୍ତ ବହୁ ଚତୁଷ୍ପଦୀ, ଜଣାଣ ଓ ପାଲା ଆଧାରିତ ବିଷୟ ମଧ୍ୟ ଲେଖିଆସିଛନ୍ତି ।

ଚାକିରି, ପାଲା ଓ ସାହିତ୍ୟଚର୍ଚାରେ ଶ୍ରୀଯୁକ୍ତ ଦାଶ ନିମଗ୍ନ ରହିଥିବା ବେଳେ ପରିବାରର ସମସ୍ତ ଦାୟିତ୍ବ ସମ୍ଭାଳନ୍ତି ପତ୍ନୀ ସଂଧ୍ୟାରାଣୀ ଦାଶ ।

 

Comments are closed.