Latest Odisha News

BREAKING NEWS

ଗାୟକ ସୁରେନ୍ଦ୍ରନାଥ ଛୋଟରାୟ; ପାଲା ଗାୟନର ପ୍ରଚଣ୍ଡ ପ୍ରତିଭାଧର

ଭୁବନେଶ୍ୱର: ପାଲା ଜଗତରେ ଏକ ପରିଚିତ ନାଁ ସୁରେନ୍ଦ୍ରନାଥ ଛୋଟରାୟ । ଜଣେ ବେଦବିତ୍ ପଣ୍ଡିତ ଗାୟକ ସହ ସୁସଂଗଠକ ଭାବରେ ସାରା ରାଜ୍ୟରେ ପରିଚିତ । କଟକ ଜିଲ୍ଲା ଫୁଲନଖରା ନିକଟବର୍ତ୍ତୀ ଗୁଆଳି ଗ୍ରାମରେ ୧୯୪୬ ମସିହା ଅକ୍ଟୋବର ୨୨ ତାରିଖରେ ସୁରେନ୍ଦ୍ରନାଥ ଜନ୍ମଗ୍ରହଣ କରିଥିଲେ । ବାପା ଧନେଶ୍ୱର ଛୋଟରାୟ ଏବଂ ମାଆ ଶଙ୍କୀ ଦେବୀ । ପିଲାଟି ଦିନରୁ ସେ ନୃତ୍ୟ ଓ ସଙ୍ଗୀତ ପ୍ରତି ଆକୃଷ୍ଠ ହୋଇପଡିଥିଲେ । ୧୯୬୧ ମସିହାରେ ସୁନ୍ଦର ଗ୍ରାମ ହାଇସ୍କୁଲରେ ପଢୁଥିବା ସମୟରେ ସେ ବିଭିନ୍ନ ନାଟକରେ ଅଭିନୟ କରି ନିଜର କଳା ପ୍ରତିଭାର ପରିଚୟ ଦେଇଥିଲେ ।

୧୯୬୪ ମସିହାରେ ମାଟ୍ରିକ ପରୀକ୍ଷାରେ ଉତ୍ତୀନ୍ନ ହେବା ପରେ ୧୯୬୫ ମସିହାରେ ସେ ଜନସ୍ୱାସ୍ଥ୍ୟ ବିଭାଗରେ ଯୋଗଦେଇଥିଲେ । ସରକାରୀ ଚାକିରିରେ ଯୋଗ ଦେଇଥିଲେ ମଧ୍ୟ ତାଙ୍କ ମନ ସବୁବେଳେ ଥାଏ ପାଲା ପାଖରେ । ତେଣୁ ୧୯୬୭ ମସିହାରେ ସେ ପାଲା ଶିଖିବା ପାଇଁ ମନ ବଳାଇଲେ । ପ୍ରଥମେ ଗୁରୁ ଇନ୍ଦ୍ରମଣି ମହାନ୍ତିଙ୍କଠାରୁ ଚାମର ଗ୍ରହଣ କଲେ । ପରେ ମାର୍କଣ୍ଡେୟ ବାହିନୀପତି, ଜୁଗଳ ବଳ, ଅର୍ଜୁନ ଦାଶ, ଜଗନ୍ନାଥ ବେହେରାଙ୍କୁ ଗୁରୁ କରି ସେମାନଙ୍କଠାରୁ ଜ୍ଞାନ ଆହରଣ କଲେ । ବ୍ରହ୍ମଚାରୀ ମୂରଲୀଧର ମହାରାଜ ଏବଂ ବୈଦିକ ଗୁରୁ ଦେବଦତ୍ତ ଆର୍ଯ୍ୟଙ୍କଠାରୁ ଆଧ୍ୟାତ୍ମିକ ଜ୍ଞାନ ଏବଂ ବେଦ ସମ୍ପର୍କରେ ଅଧିକ ଶିକ୍ଷା ଗ୍ରହଣ କଲେ ।

ସୁରେନ୍ଦ୍ରନାଥ ଛୋଟରାୟ ଦୀର୍ଘ ୫୦ ବର୍ଷ ଧରି ରାଜ୍ୟର ପୁରପଲ୍ଲୀରେ ପାଲା ପରିବେଷଣ କରିବା ସହ ରାଜ୍ୟ ବାହାରେ, ଛତିଶଗଡ, ପଶ୍ଚିମବଙ୍ଗ, ଆସାମ, ଦିଲ୍ଲୀରେ ମଧ୍ୟ ପାଲା ପରିବେଷଣ କରିଆସୁଛନ୍ତି । ବହୁ ସରକାରୀ ଓ ବେସରକାରୀ କାର୍ଯ୍ୟକ୍ରମରେ ପାଲା ପରିବେଷଣ କରି ବିଦଗ୍ଧ କଳା ପାଲାର ପ୍ରଚାର ପ୍ରସାର କରିଆସିଛନ୍ତି ଶ୍ରୀଯୁକ୍ତ ଛୋଟରାୟ ।

ଉଲ୍ଲେଖନୀୟ ପାଲା ଗାୟନ ପାଇଁ ସୁରେନ୍ଦ୍ରନାଥ ଛୋଟରାୟ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସମ୍ମାନୀତ ଓ ପୁରସ୍କୃତ ହୋଇଛନ୍ତି । ପ୍ରତିଷ୍ଠିତ ପାଲା ଗାୟକ ହେବା ସହ ସେ ଜଣେ ସୁସଂଗଠକ । ଅଦ୍ୟାବଧି ୫୦ରୁ ଅଧିକ ଅନୁଷ୍ଠାନ ସହ ସେ ପ୍ରତ୍ୟକ୍ଷ ଭାବେ ଜଡିତ । ଦୀର୍ଘ ବର୍ଷ ଧରି ସେ ରାଜ୍ୟ ପାଲା ଗାୟକ ଟ୍ରଷ୍ଟବୋର୍ଡର ଅଧ୍ୟକ୍ଷ ରହିବା ସହ ବର୍ତ୍ତମାନ ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପରିଷଦର ସଦସ୍ୟ ରହିଛନ୍ତି ।

ଜଣେ ଯୋଗଗୁରୁ ଭାବରେ ସେ ଆଖପାଖ ଅଞ୍ଚଳର ବିଭିନ୍ନ ବିଦ୍ୟାଳୟକୁ ଯାଇ ନିୟମିତ ଭାବେ ଛାତ୍ରଛାତ୍ରୀଙ୍କୁ ଯୋଗ ଶିକ୍ଷା ଦେଇଆସୁଛନ୍ତି । ଜଣେ ଲେଖକ ଓ କବି ଭାବରେ ମଧ୍ୟ ସେ ଅନେକ କାବ୍ୟ, କବିତା ଓ ପ୍ରବନ୍ଧ ରଚନା କରିଆସୁଛନ୍ତି । ତାଙ୍କ ରଚିତ ସୁରେନ୍ଦ୍ରନାଥ ଗ୍ରନ୍ଥାବଳୀ ଯୁବ ପାଲା ଗାୟକମାନଙ୍କ ପାଇଁ ବେଶ୍ ଉପାଦେୟ ହୋଇଛି ।

Leave A Reply

Your email address will not be published.