ବାରିପଦା: ଚାଲିଛି ପୂଜାର୍ଚ୍ଚନା । ଖୁବ୍ ଶୀଘ୍ର ଭଲ ହୋଇ ଘରକୁ ଫେରିବେ ଉତ୍ତମ । ଦିଲ୍ଲୀରେ ଚାଲିଛି ଓଲିଉଡ୍ ସୁପରଷ୍ଟାର ଉତ୍ତମ ମହାନ୍ତିଙ୍କ ଚିକିତ୍ସା । ଉତ୍ତମଙ୍କ ସ୍ଵାସ୍ଥ୍ୟବସ୍ଥା ଏବେ ସ୍ଥିର ଥିବା ବେଳେ ତାଙ୍କର ଜନ୍ମ ମାଟିରେ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରି ଚାଲିଛି ପୂଜାର୍ଚ୍ଚନା । କେବଳ ଯେ ଜନ୍ମ ମାଟିରେ ତାହା ନୁହେଁ ସାରା ରାଜ୍ୟବାସୀ ଏବେ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।
ଜନ୍ମମାଟି ବାରିପଦାରେ ସ୍ଥିତ ମା’ଅମ୍ବିକାଙ୍କ ମନ୍ଦିରରେ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରି ୧୦୮ ଦୀପ ଜଳାଯାଇଛି । ଅଭିରାମ ଅଭିନୟ ଅନୁଷ୍ଠାନ ଓ ଉତ୍କଳ ସାମ୍ବାଦିକ ସଂଘ ମୟୂରଭଞ୍ଜ ଶାଖା ପକ୍ଷରୁ ଏହି ପ୍ରଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ କରାଯାଇଥିଲା । ମନ୍ଦିର ପରିସରରେ ସମସ୍ତେ ଏକତ୍ରିତ ହୋଇ ମା’ଅମ୍ବିକାଙ୍କ ପାଖରେ ଉତ୍ତମଙ୍କ ସ୍ଵାସ୍ଥ୍ୟକୁ ନେଇ ପ୍ରାର୍ଥନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଭିରାମ ଅଭିନୟ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସିନେ ଜଗତର ବିଶିଷ୍ଟ ସଂଳାପ, ଲେଖକ, ନିର୍ଦ୍ଦେଶକ ତଥା ଅଭିନେତା ଚିନ୍ମୟ ଦାସପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଅଭିରାମ ଅଭିନୟ ଅନୁଷ୍ଠାନ କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ଜଳନ କରିଥିଲେ ।
ସୂଚନାଯୋଗ୍ୟ, ଗତ ୩ଦିନ ତଳେ ଉତ୍ତମଙ୍କ ସ୍ଵାସ୍ଥ୍ୟ ଗୁରୁତର ହେବାରୁ ତାଙ୍କୁ ତୁରନ୍ତ ଭୁବନେଶ୍ଵର ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଉତ୍ତମ ଚିକିତ୍ସା ପାଇଁ ତାଙ୍କୁ ଗୁରୁଗାଓଁର ମେଦାନ୍ତ ହସ୍ପିଟାଲକୁ ଏୟାରଲିପ୍ଟ କରାଯାଇଥିଲା । ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରଠାରୁ ସେ ଭେଣ୍ଟିଲେଟର ସପୋର୍ଟରେ ଥିଲେ। ଏବେ ତାଙ୍କ ସ୍ଵାସ୍ଥ୍ୟ ସ୍ଥିର ଥିବା ନେଇ ଖବର ମିଳିଛି । ସେପଟେ ଉତ୍ତମଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଅନେକ ଓଲିଉଡ୍ ତାରକାଙ୍କ ସହ ତାଙ୍କର ପ୍ରଶଂସକମାନେ ।
କହିରଖୁଛୁ ଯେ, ଉତ୍ତମ ମହାନ୍ତି ଓଡ଼ିଶା ସିନେ ଇଣ୍ଡଷ୍ଟ୍ରୀ ଜଣେ କିମ୍ବଦନ୍ତୀ ଅଭିନେତା। ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା। ମୟୂରଭଞ୍ଜ ଜିଲ୍ଲାର ବାରିପଦାଠାରେ ଜନ୍ମିତ ଉତ୍ତମ ଏଯାବତ୍ ୧୩୫ଟି ଓଡ଼ିଆ, ୩୦ଟି ବଙ୍ଗଳା ଓ ଗୋଟିଏ ହିନ୍ଦୀ ସିନେମାରେ ଅଭିନୟ କରିସାରିଛନ୍ତି । ୧୯୭୭ ମସିହାରେ ସେ ଅଭିମାନ କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିଲେ । ଏହାପରେ ଉତ୍ତମ ତାଙ୍କ ପାଠପଢ଼ାରେ ବ୍ୟସ୍ତ ରହିଲେ ଏବଂ ତିନିବର୍ଷ ପରେ ପୁଣି ତାଙ୍କ ପତ୍ନୀ ଅପରାଜିତା ମହାନ୍ତିଙ୍କ ସହ ଚଳଚ୍ଚିତ୍ର ଜରିଆରେ କଥାଚିତ୍ରରେ ଅଭିନୟ କରିବା ଆରମ୍ଭ କରିଥିଲେ ।
ଗୋଟିଏ ପରେ ଗୋଟିଏ ଫିଲ୍ମ କରି ଓଲିଉଡରେ ଏକ ନୂଆ ଟ୍ରେଣ୍ଡ ସେଟ୍ କରିଥିଲେ ଉତ୍ତମ । ବର୍ତ୍ତମାନ ଯାଏଁ ୧୩୫ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି ଉତ୍ତମ ମହାନ୍ତି । ଯେଉଁଥିରେ ତାଙ୍କର ନିଖୁଣ ଅଭିନୟ ପାଇଁ ସବୁବେଳେ ଦର୍ଶକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । କଲେଜ ସମୟରୁ ସେ ଅଭିନୟ ପ୍ରତି ଆଗ୍ରହୀ ଥିଲେ। ସେ ଶ୍ରେଷ୍ଠ ଅଭିନେତା ଭାବରେ ଓଡ଼ିଆ ଫିଲ୍ମଫେୟାର ପୁରସ୍କାର ଏବଂ ଅନେକ ପୁରସ୍କାର ଜିତିଛନ୍ତି।
Comments are closed.