Latest Odisha News

ଘର ଖଟରେ ଗାଈ, ଷଣ୍ଢ: ଭୟରେ ଆଲମାରି ଭିତରେ ମହିଳା; ଦେଖନ୍ତୁ ଭିଡିଓ

ଫରିଦାବାଦ: ଚଳିତ ସପ୍ତାହରେ ଏକ ଅଭାବନୀୟ ଘଟଣା ସମସ୍ତଙ୍କୁ ଚକିତ କରିଛି। ଫରିଦାବାଦର ଡବୁଆ କଲୋନୀରେ ରାକେଶ ସାହୁଙ୍କ ଘରେ ଗୋଟିଏ ଗାଈ ଓ ଗୋଟିଏ ଷଣ୍ଢ ପଶି ପ୍ରାୟ ଦୁଇ ଘଣ୍ଟା ଧରି ରହିଥିଲେ । ଏଥିରେ ରାକେଶଙ୍କ ସ୍ତ୍ରୀ ଭୟଭୀତ ହୋଇ ଆଲମାରୀ ଭିତରେ ଲୁଚି ରହିଥିଲେ। ଏହି ଅଦ୍ଭୁତ ଘଟଣାର ଏକ ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି।

ଘଟଣା ଅନୁସାରେ, ରାକେଶଙ୍କ ସ୍ତ୍ରୀ ଘରେ ଏକାକୀ ପୂଜାପାଠରେ ବ୍ୟସ୍ତ ଥିବା ବେଳେ ଖୋଲା ଦୁଆର ଦେଇ ପ୍ରଥମେ ଗାଈଟି ପ୍ରବେଶ କରିଥିଲା। କିଛି ସମୟ ପରେ ଷଣ୍ଢଟି ମଧ୍ୟ ଭିତରକୁ ଆସିଥିଲା। ଉଭୟ ପଶୁ ଶୋଇବା ଘରେ ପହଞ୍ଚି ଖଟ ଉପରେ ଆରାମରେ ବସି ପଡ଼ିଥିଲେ। ଏହା ଦେଖି ଭୟଭୀତ ହୋଇ ମହିଳା ଜଣଙ୍କ ତୁରନ୍ତ ଆଲମାରୀ ଭିତରେ ନିଜକୁ ଲୁଚାଇ ଦେଇଥିଲେ ଏବଂ ଅପେକ୍ଷା କରିଥିଲେ କେହି ଜଣେ ତାଙ୍କୁ ଉଦ୍ଧାର କରିବ ଏବଂ ଗାଈ ଓ ଷଣ଼୍ଡକୁ ବାହାରକୁ ନେଇଯିବ ।

କିଛି ସମୟ ପରେ ରାକେଶଙ୍କ ମା’ ଘରକୁ ଫେରିବା ବେଳେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ। ସେ ତୁରନ୍ତ ପଡ଼ୋଶୀମାନଙ୍କୁ ଖବର ଦେଇଥିଲେ। ଖବର ପାଇ ଅନେକ ଲୋକ ଘଟଣାସ୍ଥଳରେ ଏକାଠି ହୋଇ ଗାଈ ଓ ଷଣ୍ଡକୁ ବାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଭିଡ଼ ଦେଖି ଗାଈ ଓ ଷଣ୍ଢ ଆହୁରି ଜିଦି ହୋଇ ପଡ଼ିଥିଲେ। ପାଣି ଢାଳିବା, ଜୋରରେ ଶବ୍ଦ କରିବା ଏବଂ ବାଣ ଫୁଟାଇବା ପରି ଅନେକ ଉପାୟ ବ୍ୟର୍ଥ ହୋଇଥିଲା। ଏହି ସମୟ ମଧ୍ୟରେ ଆଲମାରୀ ଭିତରେ ଥିବା ମହିଳା ଜଣଙ୍କ ଭୟଭୀତ ହୋଇ ରହିଥିଲେ।

ଶେଷରେ ଜଣେ ପଡ଼ୋଶୀ ତାଙ୍କ ପୋଷା କୁକୁରକୁ ଆଣିଥିଲେ। କୁକୁରଟି ପଶୁ ଦୁଇଟିଙ୍କୁ ଦେଖି ତୁରନ୍ତ ଭୋକିବା ଆରମ୍ଭ କରିଥିଲା । ଏହା ପରେ ଗାଈ ଓ ଷଣ୍ଢ ଗୋଟିଏ ପରେ ଗୋଟିଏ ଘର ଛାଡ଼ି ବାହାରକୁ ଚାଲିଗଲେ।

ଏହି ଘଟଣା ଫରିଦାବାଦରେ ଦିନକୁ ଦିନ ବଢିଚାଲିଥିବା ପଶୁଙ୍କ ଦୌରାତ୍ମ୍ୟକୁ ସୂଚାଇଛି। ମାତ୍ର କିଛି ଦିନ ପୂର୍ବେ ଜଣେ ପୂର୍ବତନ ମ୍ୟୁନିସିପାଲ କର୍ମଚାରୀ ଷଣ୍ଢର ଆକ୍ରମଣରେ ଗୁରୁତର ଆହତ ହୋଇ ମୃତ୍ୟୁବରଣ କରିଥିଲେ। ଚଳିତ ବର୍ଷ ଜାନୁଆରୀରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟ ଫରିଦାବାଦ ମ୍ୟୁନିସିପାଲ କର୍ପୋରେସନକୁ ୩୦ ଦିନ ମଧ୍ୟରେ ସହରରୁ ଗାଈ କୁକୁର ଆଦିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏ ଦିଗରେ ବିଶେଷ ପଦକ୍ଷେପ ନିଆଯାଇ ନଥିବା ଦେଖାଯାଉଛି।

Comments are closed.