ନୂଆଦିଲ୍ଲୀ:ପୁଣି ତେଜିଲା ଚାଷୀ ଆନ୍ଦୋଳନ। ପୋଲିସ-ଚାଷୀ ଧସ୍ତାଧସ୍ତି। ଆମ୍ବଲାରେ ଇଣ୍ଟରନେଟ୍ ସେବା ବନ୍ଦ। ଆଇନଶୃଙ୍ଖଳା ଆଶଙ୍କାରେ ଆମ୍ବଲାର ୧୦ଟି ଗାଁରେ ଇଣ୍ଟରନେଟ୍ ବନ୍ଦ। ଆଜିଠାରୁ ୯ ତାରିଖ ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ଘୋଷଣା କରାଯାଇଛି। ସୋସିଆଲ ମିଡିଆରେ ଗୁଜବ ପ୍ରଚାର ରୋକିବାକୁ ନିଆଯାଇଛି ଏପରି ପଦକ୍ଷେପ।
ଦିଲ୍ଲୀ ଯିବା ପାଇଁ ଶମ୍ଭୁ ସୀମାରେ ବହୁ ସଂଖ୍ୟାରେ କୃଷକ ଏକାଠି ହୋଇଛନ୍ତି। ଶୁକ୍ରବାର ୧ଟାରୁ ‘ଦିଲ୍ଲୀ ଚଲୋ’ ଅଭିଯାନ ଆରମ୍ଭ କରିଛି କିଷାନ ସଂଗଠନ । ୮ ମାସ ହେଲା ହରିୟଣା ବର୍ଡରରେ ଧାରଣରତ ଚାଷୀ ଟ୍ରାକ୍ଟର-ଟ୍ରଲି ବିନା ପାଦରେ ଚାଲି ଚାଲି ଦିଲ୍ଲୀ ମାର୍ଚ୍ଚ କରିଛନ୍ତି । ତାଙ୍କୁ ଶମ୍ଭୁ ସୀମାରେ ଅଟକାଇ ଦିଆଯାଇଛି । ଅମ୍ବାଲାର ଶମ୍ଭୁ, ଜିନ୍ଦର ଖନୌରୀ ଏବଂ ସୋନିପତର ସିନ୍ଧୁ ପାଖରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି ।
ଶମ୍ଭୁ-ଖନୌରୀ ବର୍ଡରରେ ପ୍ରାୟ ୧୦ ହଜାର ଚାଷୀ ଅଟାକାଇବା ପାଇଁ ହରିୟାଣା ସରକାରଙ୍କ ପକ୍ଷରୁ ଅର୍ଦ୍ଧସାମରିକ ବଳ ନିୟୋଜିତ କରାଯାଇଛି। ୨୯ କମ୍ପାନୀ ପାରା ମିଲିଟାରୀ ଫୋର୍ସ ମୁତୟନ ହୋଇଛନ୍ତି। ରାଜଧାନୀ ଦିଲ୍ଲୀର ସମସ୍ତ ସୀମାକୁ ସିଲ୍ କରାଯାଇଛି। ଅମ୍ବାଲାରେ ସ୍କୁଲ ସବୁ ବନ୍ଦ ରଖିବାକୁ ଆଦେଶ ଦିଆଯାଇଛି। ବ୍ଲକ୍ ଏସଏମ୍ଏସ ସର୍ଭିସ୍ ଉପରେ ରୋକ୍ ଲଗାଯାଇଛି।
ସୂଚନା ଥାଉକି ଦିନ ୧ଟା ବେଳେ ୧୦୧ ଚାଷୀଙ୍କ ଏକ ବ୍ୟାଚ୍ ଶମ୍ଭୁ ବର୍ଡରରେ ପହଞ୍ଚିବା ପରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା । ଫଳରେ ସୁରକ୍ଷାକର୍ମୀ ଓ ଚାଷୀ ସଂଗଠନ ମଧ୍ୟରେ ଉତ୍ତେଜନା ଦେଖିବାକୁ ମିଳିଛି । ଚାଷୀମାନେ ବ୍ୟାରିକେଡକୁ ଭାଙ୍ଗି ଦେବା ପରେ ପୋଲିସ ଭିଡ଼ ନିୟନ୍ତ୍ରଣ କରିବାକୁ ଲୁହ ବୁହା ଗ୍ୟାସ୍ ବ୍ୟବହାର କରିଥିଲା। ଚାଷୀମାନେ ଏମଏସ୍ପି ଉପରେ ଆଇନଗତ ମାନ୍ୟତା ଦାବି କରିବା ସହ ଋଣ ଛାଡ଼ ଓ ବର୍ଦ୍ଧିତ ବଜୁଳି ଟାରିଫରୁ ସୁରକ୍ଷା ଦାବି କରି ଦିଲ୍ଲୀ ଚାଲୋ ଆନ୍ଦୋଳନର ଡାକରା ଦେଇଛନ୍ତି।
ସେମାନେ ସଂସଦ ନିକଟରେ ପହଞ୍ଚି ବିକ୍ଷୋଭ କରିବାକୁ ଚାହୁଁଥିବା ବେଳେ ଆଜି ପୋଲିସ୍ ସେମାନଙ୍କୁ ହରିୟାଣା-ପଞ୍ଜାବ ସୀମାନ୍ତ ଶମ୍ଭୁ ବର୍ଡରରେ ଅଟକାଇଛି। ତଥାପି ସେମାନେ ଆଗକୁ ବଢ଼ିବାରୁ ପୋଲିସ୍ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଛି। ଏଥିରେ କିଛି ଚାଷୀ ଆହତ ହୋଇଥିବା ମଧ୍ୟ ଜଣାପଡ଼ିଛି।
Comments are closed.