ନୂଆଦିଲ୍ଲୀ : ସଂସଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଭିଭାଷଣକୁ ତାତି ଉଠିଛନ୍ତି କୃଷକ ସଙ୍ଗଠନ । ପ୍ରଧାନମନ୍ତ୍ରୀ କୃଷି ଆଇନ୍କୁ ବିକଳ୍ପ ଏବଂ ଅନିବାର୍ଯ୍ୟ ନୁହେଁ ବୋଲି ସଂସଦରେ କହିଥିଲେ । ଆଶ୍ୱାସନା ଦେଇ ମୋଦି କହିଥିଲେ ଯେ, କେନ୍ଦ୍ର ସରକାର କୃଷି ଆଇନ୍କୁ ନେଇ କୃଷକମାନେ ଦେଇଥିବା ଯୁକ୍ତିଯୁକ୍ତ ପ୍ରସ୍ତାବ ଗ୍ରହଣ କରିବାକୁ ପ୍ରସ୍ତୁତ ଅଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ପରେ ଆନ୍ଦୋଳନକୁ ବଢ଼ାଇବା ପାଇଁ ନିଷ୍ପତ୍ତି ନେଇଛି ସଂଯୁକ୍ତ କୃଷକ ମୋର୍ଚ୍ଚା । ଏଥିସହ ଫେବୃଆରୀ ୧୮ ତରିଖରେ ଦେଶବ୍ୟାପୀ ରେଳ ରୋକ କରିବାକୁ ନିଷ୍ପତ୍ତି ନେଇଛି । ମଧ୍ୟାହ୍ନ ୧୨ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ସାରା ଦେଶରେ ରେଳ ରୋକ କରାଯିବ । ଏହାର ପୂର୍ବରୁ ଆସନ୍ତା ୧୨ ତାରିଖରେ ରାଜସ୍ଥାନର ସମସ୍ତ ଟୋଲ୍ ପ୍ଲାଜାକୁ କର ମୁକ୍ତ କରାଯିବ । ୧୪ ତାରିଖରେ ପୁଲୱାମା ସହୀଦଙ୍କ ବଳିଦାନକୁ ମନେପକାଇ ସାରା ଦେଶରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନେଇଛି କୃଷକ ସଙ୍ଗଠନ ।
ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ, କୃଷି କ୍ଷେତ୍ରରେ ସୁଧାର ପାଇଁ ନୂଆ ଆଇନ୍ର ଆବଶ୍ୟକତା ରହିଛି। ଦୀର୍ଘ ବର୍ଷ ହେଲା କୃଷକ ଏବଂ କୃଷି କ୍ଷେତ୍ର ଯେଉଁ ସବୁ ଚ୍ୟାଲେଞ୍ଜକୁ ସାମ୍ନା କରୁଛି ତାର ସମାଧାନ କରିବାକୁ ନିରନ୍ତର ଚେଷ୍ଟା କରିବାକୁ ପଡ଼ିବ। ତେଣୁ କେନ୍ଦ୍ର ସରକାର ଏହି କୃଷି ଆଇନ ଆଣିଛନ୍ତି ବୋଲି କହିଥିଲେ ମୋଦି ।
Comments are closed.