Latest Odisha News

BREAKING NEWS

କେନ୍ଦ୍ରର ପ୍ରସ୍ତାବକୁ କୃଷକଙ୍କ ପ୍ରତ୍ୟାଖ୍ୟାନ: ବୁରାଡି ମୈଦାନ ନୁହଁ, ଓପନ ଜେଲ

ନୂଆଦିଲ୍ଲୀ: ନୂଆ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା କୃଷକ ପଛକୁ ହଟିବାକୁ ପ୍ରସ୍ତୁତ ନାହାନ୍ତି । ଅପରାହ୍ଣରେ କୃଷକ ସଂଘ ପକ୍ଷରୁ ଦ୍ବିତୀୟ ଥର ବୈଠକ ହୋଇଛି । ବୈଠକ ପରେ କୃଷକଙ୍କ ପକ୍ଷରୁ ପ୍ରେସ୍ କନଫରେନ୍ସ କରାଯାଇ ସରକାରଙ୍କୁ ଟାର୍ଗେଟ୍ କରାଯାଇଥିଲା । କହିଛନ୍ତି, ସରକାର ଆମ ଆନ୍ଦୋଳନକୁ ଅନାଦର କରିଛନ୍ତି । ବୁରାଡିରେ ଆନ୍ଦୋଳନ ପାଇଁ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ କୃଷକମାନେ ଖାରଜ କରିଛନ୍ତି । କୃଷକଙ୍କ ପକ୍ଷରୁ କୁହାଯାଇଛି ବୁରାଡି ମୈଦାନ ନୁହଁ, ଓପନ ଜେଲ ।

କୃଷକଙ୍କ ପକ୍ଷରୁ କୁହାଯାଇଛି ଯେ, ସେମାନେ ସଂପୂର୍ଣ୍ଣ ପ୍ରସ୍ତୁତ ହୋଇ ଆସିଛନ୍ତି । ତାଙ୍କ ପାଖରେ ୪ ମାସର ପର୍ଯ୍ୟାପ୍ତ ରାସନ ସାମଗ୍ରୀ ରହିଛି । ବୁରାଡି ପରିବର୍ତ୍ତେ ଜନ୍ତରମନ୍ତର କିମ୍ବା ରାମଲୀଳା ମୈଦାନରେ ଆନ୍ଦୋଳନ ପାଇଁ ଚାହୁଁଛନ୍ତି କୃଷକ । ଗତକାଲି ଗୃହମନ୍ତ୍ରୀ କୃଷକଙ୍କୁ ଅପିଲ କରି କହିଥିଲେ ଯେ, ସେମାନେ ବୁରାଡିରେ ଆନ୍ଦୋଳନ କରନ୍ତୁ । ସରକାର ସେମାନଙ୍କ ସହ ଆଲୋଚନା କରିବା ପାଇଁ ପ୍ରସ୍ତୁତ । ହେଲେ ଗୃହମନ୍ତ୍ରୀଙ୍କ ଏହି ପ୍ରସ୍ତାବକୁ କୃଷକମାନେ ଖାରଜ କରି ଦେଇଛନ୍ତି ।

କୃଷକଙ୍କ ସାମ୍ବାଦିକ ସମ୍ମିଳନୀ ପରେ ପ୍ରତିକ୍ରିୟା ରଖିଛନ୍ତି କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର । ସେ କହିଛନ୍ତି, ସରକାର ତିନି ଥର କୃଷକଙ୍କ ସହ ଆଲୋଚନା କରିସାରିଲାଣି । ଡିସେମ୍ବର ୩ରେ ଚତୁର୍ଥ ଥର ଆଲୋଚନା ପାଇଁ ପ୍ରସ୍ତାବ ଦିଆଯାଇଛି । ସରକାର ସମସ୍ତ ଆଲୋଚନା କରିବାକୁ ପ୍ରସ୍ତୁତ । ଆନ୍ଦୋଳନ ଛାଡି ଆଲୋଚନା କରିବାକୁ କୃଷକଙ୍କୁ ପ୍ରସ୍ତାବ ଦେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ କୃଷକଙ୍କ ଆନ୍ଦୋଳନକୁ ନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ବୈଠକ ହେଉଛି । ଏଥିରେ ଗୃହମନ୍ତ୍ରୀ ଅମିତ ଶାହ ଓ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ମଧ୍ୟ ଉପସ୍ଥିତ ଅଛନ୍ତି ।

Leave A Reply

Your email address will not be published.