ବରଗଡ଼: ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟା ସ୍ବାଭାବିକ ହୋଇ ପାରି ନାହିଁ । ଏବେ ଚିନ୍ତାରେ ଚାଷୀ । ଶେଷରେ ବରଗଡ଼ ଜିଲ୍ଲାପାଳଙ୍କୁ ମୁଣ୍ଡିଆ ମାରି ନେହୁରା ହେଲେ ପଦ୍ମପୁର ଚାଷୀ । ସରକାରୀ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ପଦ୍ମପୁର ଗଲାବେଳେ ନେହୁରା ହେଲେ ଚାଷୀ । ରାଜବୋଡାସମ୍ବର କୃଷକ ସଙ୍ଗଠନ ତରଫରୁ ପଦ୍ମପୁର ସବକଲେକ୍ଟର ଅଫିସ ସମ୍ମୁଖରେ ଜିଲ୍ଲାପାଳ ଆଦିତ୍ୟ ଗୋୟଲଙ୍କ ଉପସ୍ଥିତିରେ ତାଙ୍କ ଗୋଡ଼ ତଳେ ଧାନ ପକାଇ ମୁଣ୍ଡିଆ ମାରିଲେ ଓ ସମସ୍ତ ଧାନ ତୁରନ୍ତ କିଣିବାକୁ ଅନୁରୋଧ କରିଛନ୍ତି ।
ସୂଚନାଥାଉକି, ଚଳିତ ବର୍ଷ ୯୨ଟି ଧାନକ୍ରୟ କେନ୍ଦ୍ର ଖୋଲା ଯାଇଛି କିନ୍ତୁ ୪୨ସେଣ୍ଟରରେ ଧାନ କିଣା ଆରମ୍ଭ କରାଯାଇନାହିଁ । ବିଭିନ୍ନ ମଣ୍ଡିରେ ୩ ଲକ୍ଷ ପକେଟ ଧାନ ପଡ଼ି ରହିଛି ଓ କିଣା ହୋଇଛି ମାତ୍ର ୪୦ ହଜାର ପକେଟ୍ ଧାନ । ୭୦% ଚାଷୀଙ୍କ ଟୋକନ ଏଯାଏ ଆସିନାହିଁ । ସେହିପରି ଅଣ ଜଳସେଚିତ ଅଞ୍ଚଳ ପାଇଁ ଏକର ପ୍ରତି ୧୩ କ୍ୱିଣ୍ଟାଲ ଧାନ ବିକ୍ରି ଅନୁମତି ଅଛି। ବଳକା ଧାନ କଣ କରାଯିବ କିଛି ନିଷ୍ପତ୍ତି ନିଆଯାଇ ନାହିଁ । ନିର୍ବାଚନୀ ପ୍ରତିଶ୍ରୁତି ଅନୁସାରେ ଧାନ କ୍ୱିଣ୍ଟାଲ ୮୦୦ ଟଙ୍କା ବଦଳରେ ୭୩୧ ଟଙ୍କା ଦିଆ ଯାଉଛି । ଏହାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି। ଆସନ୍ତା ସୋମବାର ଧାନ ରଖି ଧାରଣା ଦେବା ପାଇଁ ବାଧ୍ୟ ହେବୁ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।