Latest Odisha News

ପାରାଦୀପ: ‘ଜମିହରା କୃଷକ ଏକତା ମଞ୍ଚ’ ଦ୍ୱାରା ‘ତୈଳ ବିଶୋଧନାଗାର’ ମୁଖ୍ୟ ରାସ୍ତା ଅବରୋଧ

ପାରାଦୀପ : ଜମିହରାମାନଙ୍କୁ କମ୍ପାନୀରେ ନିଯୁକ୍ତି ଦାବୀ କରି ପାରଦୀପ ବନ୍ଦର ‘ତୈଳ ବିଶୋଧନାଗାର’ ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି ସ୍ଥାନୀୟ ‘ଜମିହରା କୃଷକ ଏକତା ମଞ୍ଚ’ ।

ଏକତା ମଞ୍ଚ ଜମିହରା ମାନଙ୍କୁ କମ୍ପାନୀରେ ସ୍ଥାୟି ନିଯୁକ୍ତି ଦାବିକରି ଆନ୍ଦୋଳନ କରିଛନ୍ତି | ଦିର୍ଘଦିନ ହେବ ଜମିହରା ପରିବାର ମାନେ ତୈଳ ବିଶୋଧନାଗାରରେ ନିଯୁକ୍ତି ପାଇଁ ଦାବିକରି ଆସୁଥିବାବେଳେ ବିଶୋଧନାଗାର କର୍ତୃପକ୍ଷ ଓ ସ୍ଥାନିୟ ପ୍ରଶାସନ ଏମାନଙ୍କ ସହିତ ବାରମ୍ବାର ଆଲୋଚନା କରି ମଧ୍ୟ କିଛି ସୁଫଳ ମିଳୁନାହିଁ | ଫଳରେ ଜମିହରା ମାନଙ୍କ ମଧ୍ୟରେ ଅସନ୍ତୋଷ ଦାନାବାନ୍ଧି ବିଭିନ୍ନ ସମୟରେ ଧାରଣା ଓ ବିକ୍ଷୋଭ କରାଯାଇଥିଲା |

ତେବେ ଗତ କିଛିଦିନ ତଳେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆଲୋଚନା କରାଯାଇ ବିଶୋଧନାଗାରରେ କାର୍ଯ୍ୟରତ ସମସ୍ତ କମ୍ପାନୀ ଜମିହରା ମାନଙ୍କୁ ପର୍ଯ୍ୟାୟ କ୍ରମେ ମିଳିମିଶି ନିଯୁକ୍ତି ଦେବାକୁ ଲିଖିତ ପ୍ରତିଶୃତି ଦେଇଥିଲେ | କିନ୍ତୁ ପୁଞ୍ଜିଲାଡୁ ଏବଂ ସିମ୍ପ୍ଲେକ୍ସ କମ୍ପାନୀ ଏହି ପ୍ରତିଶୃତି ଖିଲାପ କରିବାସହ ଏଯାଏ କାହାରିକୁ ନିଯୁକ୍ତି ଦେଇନାହିଁ |

ଫଳରେ ଆଜି ସକାଳୁ ଜମିହରା ମାନେ ରଙ୍ଗିଆଗଡ ପୋଲ ନିକଟରେ ରାସ୍ତା ଅବରୋଧ କରି ତୈଳ ବିଶୋଧନାଗାରକୁ ଯାଉଥିବା ପୁଞ୍ଜିଲାଡୁ ଏବଂ ସିମ୍ପ୍ଲେକ୍ସ କମ୍ପାନୀର ସମସ୍ତ ଶ୍ରମିକ, କର୍ମଚାରୀ ମାନଙ୍କୁ ଅଟକ ରଖି ଅନ୍ୟ ସମସ୍ତ ଶ୍ରମିକଙ୍କୁ ଛାଡି ଦେଉଛନ୍ତି |

Leave A Reply

Your email address will not be published.