Latest Odisha News

BREAKING NEWS

ଦୌଡ଼ ଦୂତି ଦୌଡ଼…ଆଜି ଦୌଡ଼ିବେ ଦ୍ରୁତତମ ଧାବିକା ଦୂତି ଚାନ୍ଦ…

ଭୁବବେଶ୍ୱର : ଏଥର ଏସିଆନ ଗେମ୍ସରେ ଭାରତୀୟ ଦଳରେ ସାମିଲ୍ ହୋଇଛନ୍ତି ଅଲିମ୍ପିଆନ ତଥା ଭାରତର ଦୌଡ଼ରାଣୀ ଦୂତି ଚାନ୍ଦ । ଦୂତି ୧୦୦ ମିଟର ଓ ୨୦୦ ମିଟର ଦୌଡ଼ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିଛନ୍ତି । ଓଡ଼ିଆ ଝିଅ ଦୂତି ଚାନ୍ଦ ତୃତୀୟ ଭାରତୀୟ ମହିଳା ଭାବେ ଅଲିମ୍ପିକ୍ସରେ ୧୦୦ ମିଟର ଦୌଡ଼କୁଦରେ ପ୍ରତିଦ୍ୱନ୍ଦିତା କରିବା ଲାଗି ଯୋଗ୍ୟତା ଅର୍ଜନ କରିଥିଲେ । ତେବେ ୨୦୧୪ ଏସୀୟ କ୍ରୀଡ଼ା ଲାଗି ଦୂତି ଯୋଗ୍ୟତା ଅର୍ଜନ କରିଥିଲେ ମଧ୍ୟ ଦୁର୍ଭାଗ୍ୟ ବଶତଃ ଅଂଶଗ୍ରହଣ କରିପାରିନଥିଲେ । ଆଜି ଦୂତି ଚାନ୍ଦ ୧୦୦ ମିଟର ହିଟ୍ସରେ ଅଂଶଗ୍ରହଣ କରୁଛନ୍ତି ।

                                  ଦୌଡ଼ ଦୂତି ଦୌଡ଼…

ଦୂତିଙ୍କ ସଫଳତା ଲାଗି ଶ୍ରୀଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କଲେ ଓଡ଼ିଆ ଶୁଭେଚ୍ଛୁ

ଯାଜପୁର ରସୁଲପୁରରେ ଜନ୍ମଗ୍ରହଣ କରିଥିବା ଦୂତି ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପରେ ୩ଟି ବ୍ରୋଞ୍ଜ ମେଡ଼ାଲ୍ ହାସଲ କରି ଜାତୀୟସ୍ତରରେ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଲିଙ୍ଗଗତ ପାର୍ଥକ୍ୟ ଯୋଗୁଁ ବିଭିନ୍ନ ଆନ୍ତର୍ଜାତିକ ପ୍ରତିଯୋଗିତାରୁ ବାଦ ପଡ଼ିଥିଲେ ମଧ୍ୟ ତାଙ୍କ ଲାଗି ଶ୍ରୀଜଗନ୍ନାଥ ସାହା ହୋଇଛନ୍ତି । ଆନ୍ତର୍ଜାତିକ କ୍ରିଡ଼ା ନ୍ୟାୟ ପାଇ ପୁଣି ଟ୍ରାକ୍ ଏଣ୍ଡ ଫିଲ୍ଡକୁ ନୂଆ ବଳ ନେଇ ଫେରିଛନ୍ତି ଦୂତି ଚାନ୍ଦ ।

କିଟ୍ ବିଶ୍ୱବିଦ୍ୟାଳୟରେ ପାଠ ପଢିବା ସହିତ ପ୍ରଶିକ୍ଷଣ ନେଇ ଦୂତି ଜାତୀୟ ରେକର୍ଡ଼ ପ୍ରତିଷ୍ଠା କରିପାରିଛନ୍ତି । ସେ ରାଜ୍ୟସରକାରଙ୍କଠୁ ଅନେକ ସହାୟତା ପାଇବା ସହିତ କିଟ୍ ର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କଠୁ ଅନେକ ସାହାଯ୍ୟ ପାଇ ଦୌଡ଼ ପ୍ରତିଯୋଗିତାରେ ଅଗ୍ରସର ହୋଇଛନ୍ତି ବୋଲି ଦୂତି ସ୍ୱୀକାର କରିଛନ୍ତି ।

ତେବେ ଯାହା ବି ହେଉ ଓଡ଼ିଶା ଗର୍ବ ଓ ଗୌରବ ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ ସଫଳତା ଲାଗି ସାରା ଓଡ଼ିଶାର କ୍ରୀଡ଼ାପ୍ରେମୀମାନେ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି । ଦୂତୀ ଜାକର୍ତ୍ତା ଯିବା ପୂର୍ବରୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କିଟ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଦୂତୀଙ୍କୁ ସଫଳତା ଲାଗି ଶୁଭେଚ୍ଛା ଜଣାଇଛନ୍ତି । ଦୂତି ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କ ଆଶୀର୍ବାଦ କାମନା କରିବା ପୂର୍ବକ ଏସିଆନ ଗେମ୍ସରେ ଅଂଶଗ୍ରହଣ କରିବାକୁ ଇଣ୍ଡୋନେସିଆ ଯାତ୍ରା କରିଥିଲେ ।

ଦୂତି ଆଜି ସନ୍ଧ୍ୟା ୫ଟାରେ ୧୦୦ ମିଟର ଦୌଡ଼ରେ ଚୀନ ଓ କାଜାକସ୍ଥାନ ପ୍ରତିଯୋଗୀଙ୍କ ସହିତ ପ୍ରତିଦ୍ୱନ୍ଦିତା କରିବେ । ଦୂତିଙ୍କର ସର୍ବଶ୍ରେଷ୍ଠ ୧୦୦ ମିଟର ଟାଇମିଂ ହେଉଛି ୧୧.୨୪ ଯାହାକି ଦୂତି ୨୦୧୬ ମସିହା ଆଲମାଟୀରେ ହାସଲ କରିଥିଲେ ।

ଦୂତି ଭୁବନେଶ୍ୱର ଏସୀୟ ଦୌଡ଼କୁଦ ପ୍ରତିଯୋଗିତାରେ ଭଲ ଟାଇମିଂ ହାସଲ କରିପାରିଥିବାରୁ ଏସିଆନ ଗେମ୍ସରେ ଭଲ ପ୍ରଦର୍ଶନ କରିବେ ବୋଲି ଦୃଢ ଆଶା ରହିଛି । ଦୂତି ଶ୍ରୀଜଗନ୍ନାଥଙ୍କ କୃପାରୁ ଭଲ ପ୍ରଦର୍ଶନ କରି ଏସୀୟ କ୍ରୀଡ଼ାରେ ପଦକ ହାସଲ କରନ୍ତୁ ବୋଲି ସୋସିଆଲ୍ ମିଡ଼ିଆରେ ଓଡ଼ିଆ କ୍ରୀଡ଼ାପ୍ରେମୀମାନେ ଶୁଭେଚ୍ଛା ବାର୍ତ୍ତାମାନ ପ୍ରେରଣ କରିଛନ୍ତି ।

ଆଜି ଆଥଲେଟିକ୍ସରେ ଦୂତୀଙ୍କ ସମେତ ଜାଭେଲିନ ଥ୍ରୋରେ ନୀରଜ ଚୋପ୍ରା ଏବଂ ତଥା ଜିନସନ୍ ଜନସନଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

Leave A Reply

Your email address will not be published.