ଗଜପତି: ଶ୍ମଶାନରେ ଶବକୁ ନେବା ପରେ ଶେଷ କୃତ୍ୟ ସମ୍ପନ୍ନ କରାଯାଏ । ହେଲେ ଶବ ନଥାଇ ବି ଶେଷକୃତ୍ୟ ହୋଇଛି । ଶ୍ମଶାନରେ ଶବ ନାହିଁ ତଥାପି କରାଯାଉଛି ଶବ ଦାହ । ଆଖିରେ ଆଖିଏ ଲୁହ, ଛାତି ଫଟାଇ କାନ୍ଦୁଛି ମା । ଭଗବାନଙ୍କ ଉପରେ ଆଶା ରଖିଥିବା ମା ଆଜି ନିରାଶ ହୋଇଛି । ସବୁଦିନ ପାଇଁ ତା ମଥାର ସିନ୍ଦୁର ଲିଭିଛି ଆଉ ତା କୋଳଶୂନ୍ୟ ହୋଇଛି ।
ଏ ଦୃଶ୍ୟ ହେଉଛି ଗଜପତି ଜିଲ୍ଲାର । ଭୂସ୍ଖଳନରେ ନିଖୋଜ ହୋଇଗଲେ ବାପା-ପୁଅ । ଯେତେ ଖୋଜିଲେ ବି ବାପ-ପୁଅଙ୍କ ମୃତ ଦେହ ମିଳିଲା ନାହିଁ । ୮ ଦିନ ଖୋଜିବା ପରେ ପ୍ରତୀକାତ୍ମକ ସଂସ୍କାର କରାଯାଇଛି । ଭୂସ୍ଖଳନ ଅଞ୍ଚଳରୁ ମାଟି ଓ ପୋଷାକରେ ନିଖୋଜ ବାପା-ପୁଅଙ୍କ ଶବଦାହ ହୋଇଛି । ଗତ ୨ ତାରିଖରେ ଭୂସ୍ଖଳନରେ କାର୍ତ୍ତିକ ଶବର ଓ ତାଙ୍କ ପୁଅ ରାଜୀବ ଶବର ନିଖୋଜ ହୋଇଯାଇଥିଲେ। ପ୍ରଶାସନ ତରଫରୁ ଅଘଟଣ ପରେ ବହୁତ ଖୋଜାଖୋଜି ହୋଇଥିଲା ହେଲେ କିଛି ଲାଭ ହୋଇନଥିଲା। ଦୀର୍ଘ ୮ ଦିନ ଯାଏଁ ଖୋଜାଖୋଜି କରିବା ପରେ କିଛି ଗ୍ରାମବାସୀ ଏକ ବୈଠକ କରିଥିଲେ । ଆଉ ଆଦିବାସୀ ପରମ୍ପରା ଅନୁସାରେ ସେମାନଙ୍କର ଶେଷକୃତ୍ୟ କରାଯାଇଛି।
ଯେଉଁ ସ୍ଥାନରେ ସେମାନେ ନିଖୋଜ ଥିଲେ ସେହି ସ୍ଥାନରୁ ମାଟି ଆଣି ପିନ୍ଧୁଥିବା କପଡାକୁ ସ୍ମୃତି କରି ଶବଦାହ କରାଯାଇଛି । ବାପା-ପୁଅଙ୍କ ଅକାଳ ବିୟୋଗରେ ପରିବାରବର୍ଗ ଓ ସାହି ପଡିଶା ଭାଙ୍ଗି ପଡିଛନ୍ତି । ସେଦିନର ସେହି ଭୂସ୍ଖଳନ କାଳ ହୋଇ ଆସିଥିଲା । ଆଉ ସାଥିରେ କାର୍ତ୍ତିକ ଏବଂ ରାଜୀବ ଶବରଙ୍କୁ ନେଇଗଲା । ମୃତଦେହ ନମିଳିବାରୁ ପ୍ରତିକାତ୍ମକ ଶେଷକୃତ୍ୟ ହେଲା । ସେପଟେ ଏହି ଘଟଣାରେ ପ୍ରଶାସନ ତୁରନ୍ତ ତାଙ୍କ ପରିବାରକୁ ସାହାଯ୍ୟ କରିବା ପାଇଁ ବିଭିନ୍ନ ମହଲରୁ ଅନୁରୋଧ କରାଯାଇଛି ।
Comments are closed.