ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ଏବଂ ଭାରତ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି । ଭାରତ ସରକାରଙ୍କ ଦ୍ୱାରା ନିଆଯାଇଥିବା କଠୋର ନିଷ୍ପତ୍ତିକୁ ଦେଖି ପାକିସ୍ତାନ ଭୟଭୀତ ରହିଛି । ପାକିସ୍ତାନର ଭୟ ହେଲା ଭାରତ ତାଙ୍କ ଉପରେ କେତେବେଳେ ବି ଆକ୍ରମଣ କରିପାରେ। ଏହାକୁ ନଜରରେ ରଖି ପିଓକେ ପ୍ରଧାନମନ୍ତ୍ରୀ ଚୌଧୁରୀ ଅନୱରୁଲ ହକ୍ ବିଧାନସଭାରେ କହିଛନ୍ତି ଯେ ୧୩ଟି ନିର୍ବାଚନମଣ୍ଡଳୀରେ ଦୁଇ ମାସ ପାଇଁ ଖାଦ୍ୟ ସାମଗ୍ରୀ ସଂରକ୍ଷଣ କରିବାକୁ ନିର୍ଦ୍ଦେଶ ଜାରି କରାଯାଇଛି ।
ସେ କହିଛନ୍ତି ଯେ, ପିଓକେ ସରକାର ୧୩ଟି ନିର୍ବାଚନମଣ୍ଡଳୀରେ ଖାଦ୍ୟ, ଔଷଧ ଏବଂ ଅନ୍ୟାନ୍ୟ ସମସ୍ତ ମୌଳିକ ଆବଶ୍ୟକତା ଯୋଗାଣ ସୁନିଶ୍ଚିତ କରିବା ପାଇଁ ୧ ବିଲିୟନ ଟଙ୍କାର ଏକ ଜରୁରୀକାଳୀନ ପାଣ୍ଠି ମଧ୍ୟ ସୃଷ୍ଟି କରିଛନ୍ତି। ନିୟନ୍ତ୍ରଣ ରେଖା ପାର୍ଶ୍ୱବର୍ତ୍ତୀ ଅଞ୍ଚଳଗୁଡ଼ିକରେ ରାସ୍ତାର ରକ୍ଷଣାବେକ୍ଷଣ ପାଇଁ ସରକାରୀ ଏବଂ ଘରୋଇ ମାଲିକାନାରେ ଥିବା ଯନ୍ତ୍ରପାତି ମଧ୍ୟ ନିୟୋଜିତ କରାଯାଉଛି।
ପିଓକେରେ ନାଗରିକ ପ୍ରତିରକ୍ଷା ବାହିନୀକୁ ହାଇ ଆଲର୍ଟରେ ରଖାଯାଇଛି । ସ୍ଥାନୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏକ ଜରୁରୀକାଳୀନ ଉଦ୍ଧାର ହେଲ୍ପଲାଇନ୍ ୧୧୨୨ ମଧ୍ୟ ଜାରି କରିଛନ୍ତି,ଯଦି ବାସିନ୍ଦାଙ୍କୁ କୌଣସି ଜରୁରୀ ସାହାଯ୍ୟର ଆବଶ୍ୟକତା ପଡ଼ିପାରେ। ଏହା ସହିତ, ନୀଲମ ଉପତ୍ୟକା ଏବଂ ଏଲଓସି ସଂଲଗ୍ନ ଅନ୍ୟାନ୍ୟ ଅଞ୍ଚଳରେ ପର୍ଯ୍ୟଟକଙ୍କ ପ୍ରବେଶକୁ ସ୍ଥଗିତ ରଖାଯାଇଛି।
ପିଓକେ(POK)ର ଅଧିକାରୀମାନେ ଏଲଓସିର ଭାରତୀୟ ସୀମାରେ ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି। ତେବେ ପାକିସ୍ତାନର ପ୍ରସ୍ତୁତି ଦର୍ଶାଉଛି ଯେ ପାକିସ୍ତାନ ସ୍ୱୀକାର କରିସାରିଣି ଯେ ଭାରତୀୟ ସେନା ନିଶ୍ଚିତ ଭାବରେ ଏହି ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେବ। ପାକିସ୍ତାନ ଜାଣେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯାହା କୁହନ୍ତି, ତାହା କରନ୍ତି। କାରଣ ପହଲଗାମ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ଆତଙ୍କବାଦୀମାନେ ଯେଉଁଠି ବି ଲୁଚିଥିଲେ ବି, ସେମାନଙ୍କୁ କଳ୍ପନା ଠାରୁ ବି ଅଧିକ ଦଣ୍ଡ ଦିଆଯିବ।
ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବା ପରେ ନିୟନ୍ତ୍ରଣ ରେଖା (LoC) ରେ ଲଗାତାର ଆଠ ରାତି ଧରି ଗୁଳି ବିନିମୟ ଜାରି ରହିଛି। ପାକିସ୍ତାନ ସୀମା ଆରପାରିରୁ ଗୁଳିଚାଳନା ଆରମ୍ଭ କରିଛି, ଯାହାର ଭାରତୀୟ ସେନା କଡା ପାଲଟା ଜବାବ ଦେଇଛନ୍ତି ।
Comments are closed.