Latest Odisha News

BREAKING NEWS

ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !

ନୂଆଦିଲ୍ଲୀ: ଆମେରିକା, ଇସ୍ରାଏଲ୍ ଏବଂ ଇରାନ ମଧ୍ୟରେ ବଢୁଥିବା ତିକ୍ତତା ଏବେ କେବଳ ଯୁଦ୍ଧ କିମ୍ବା ତେଲ ଦର ମଧ୍ୟରେ ସୀମିତ ନାହିଁ। ଏହି ବିବାଦ ଏବେ ଆପଣଙ୍କ ମୋବାଇଲ୍ ଏବଂ କମ୍ପ୍ୟୁଟରରୁ ଇଣ୍ଟରନେଟ୍ ଗାଏବ କରିଦେଇପାରେ। ସମୁଦ୍ର ତଳେ ବିଛାଯାଇଥିବା ଲକ୍ଷ ଲକ୍ଷ କିଲୋମିଟରର କେବୁଲ୍ ଏବେ ବିପଦରେ । ଯଦି ଏହି କେବୁଲ୍ କଟିଯାଏ, ତେବେ କେବଳ ଭାରତ ନୁହେଁ, ପୂରା ବିଶ୍ୱରେ ଦେଖାଦେବ ‘ଡିଜିଟାଲ୍ ବ୍ଲାକଆଉଟ୍’।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଆମେ ବ୍ୟବହାର କରୁଥିବା ୯୭ ପ୍ରତିଶତ ଇଣ୍ଟରନେଟ୍ ସାଟେଲାଇଟ୍‌ରୁ ନୁହେଁ, ବରଂ ସମୁଦ୍ର ତଳେ ଥିବା ମୋଟା କେବୁଲ୍ ଜରିଆରେ ଚାଲିଥାଏ। ଏବେ ଏହି କେବୁଲ୍‌ଗୁଡ଼ିକ ଯୁଦ୍ଧର ଟାର୍ଗେଟ୍‌ରେ ଅଛି। ବିଶେଷ କରି ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ ଦେଇ ଯାଇଥିବା ଗୁରୁତ୍ୱପୂର୍ଣ୍ଣ ଫାଇବର ଅପ୍ଟିକ କେବୁଲ୍ ଉପରେ ଏବେ ସଙ୍କଟର କଳାବାଦଲ । ଯଦି ଏହାକୁ କ୍ଷତି ପହଞ୍ଚାଯାଏ, ତେବେ ବିଶ୍ୱର ଡିଜିଟାଲ୍ ଅର୍ଥନୀତି ଧରାଶାୟୀ ହୋଇପଡ଼ିବ।

ତେବେ ଭାରତ ଉପରେ ଏହାର କି ପ୍ରଭାବ ପଡ଼ିବ ? ଭାରତର ପ୍ରାୟ ୨୩.୪୮ ଲକ୍ଷ କୋଟି ଟଙ୍କାର ଆଇଟି ଏବଂ ଆଉଟସୋର୍ସିଂ ଶିଳ୍ପ ବିପଦରେ ପଡ଼ିବ । ଯଦି କେବୁଲ୍ କଟେ, ଡାଟାକୁ ଦୂର ‘ପାସିଫିକ୍ ରୁଟ୍’ ଦେଇ ପଠାଯିବ, ଯାହାଫଳରେ ଇଣ୍ଟରନେଟ୍ ସ୍ପିଡ୍ ଅତି ମନ୍ଥର ହୋଇଯିବ। ରିୟଲ୍ ଟାଇମ୍ ବ୍ୟାଙ୍କିଙ୍ଗ୍ ଏବଂ ଆନ୍ତର୍ଜାତୀୟ ଟ୍ରାଞ୍ଜାକସନ୍ ବାଧାପ୍ରାପ୍ତ ହେବ। ହାଇ-ଫ୍ରିକ୍ୱେନ୍ସି ଟ୍ରେଡିଂରେ ମିଲିସେକେଣ୍ଡର ବିଳମ୍ବ କୋଟି କୋଟି ଟଙ୍କାର କ୍ଷତି କରାଇବ।

ଏହି ସଙ୍କଟକୁ ଦେଖି ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ଏହା କେବଳ ଏକ ‘ଏନର୍ଜି ଚୋକପଏଣ୍ଟ’ ନୁହେଁ, ବରଂ ଏକ ‘ଡିଜିଟାଲ୍ ଚୋକପଏଣ୍ଟ’ ସାଜିବାକୁ ଯାଉଛି। ତେବେ ଏହାର ମୁକାବିଲା ପାଇଁ ଭାରତ କ’ଣ ପ୍ରସ୍ତୁତ ଅଛି?

ଭାରତ ଏବେ ବିକଳ୍ପ ରାସ୍ତା ଖୋଜୁଛି। ‘ଷ୍ଟାରଲିଙ୍କ୍’ ଭଳି ସାଟେଲାଇଟ୍ ଇଣ୍ଟରନେଟ୍ ଏବଂ ନୂତନ ସାମୁଦ୍ରିକ ପଥରେ ନିବେଶ ବଢ଼ାଯାଉଛି। କିନ୍ତୁ ବର୍ତ୍ତମାନର ସ୍ଥିତି ଯାହା, ଯଦି ଯୁଦ୍ଧ ସମୁଦ୍ର ତଳକୁ ଯାଏ, ତେବେ ମଣିଷ ପୁଣି ଥରେ ପଥର ଯୁଗକୁ ଫେରିବା ଭଳି ଅନୁଭବ କରିବ। ଡିଜିଟାଲ୍ ଦୁନିଆ ପାଇଁ ଆଗାମୀ କିଛି ଦିନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

Leave A Reply

Your email address will not be published.