Latest Odisha News

BREAKING NEWS

ଜାତିଗତ ଭେଦଭାବର ଭୟଙ୍କର ଦୃଶ୍ୟ: ଦଳିତଙ୍କ ପାଣିଟାଙ୍କିରେ ପକାଇଦେଲେ ମଣିଷ ମଳ

ଥିରୁଅନନ୍ତପୁରମ: ତାମିଲନାଡୁର ଏକ ଗାଁରେ ଜାତିଗତ ଭେଦଭାବକୁ ନେଇ ଅଭାବନୀୟ ତଥା ଦୁଃଖଦ ଘଟଣା ସାମ୍ନାକୁ ଆସିଛି  । ଗାଁରେ ଦଳିତ ସମୁଦାୟ ପାଇଁ ଉଦ୍ଦିଷ୍ଟ ଟାଙ୍କିରେ ମଣିଷ ମଳ ପକାଇ ଦେଇଛନ୍ତି । ଏହି ଘଟଣା ଜାଣିବା ପରେ ନିଜେ ଜିଲ୍ଲାପାଳ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

ଗାଁରେ ଜାତିଗତ ବିଦ୍ୱେଷ ଲାଗି ରହିଥିବାବେଳେ ଛୁଆଁଅଛୁଆଁ ଭେଦଭାବ ବି ରହିଛି । ଏପରିକି ଗାଁରେ ଥିବା ଚା ଦୋକାନରେ ଅଲଗା ଅଲଗା ଗ୍ଲାସର ବ୍ୟବସ୍ଥା କରାଯାଇଛି । ସେହିପରି ଗାଁ ମନ୍ଦିରକୁ ଦଳିତଙ୍କୁ ଯିବା ପାଇଁ କଟକଣା ଜାରି କରାଯାଇଛି । ସ୍ଥାନୀୟ ନେତା ମୋକ୍ଷ ଗୁନାବଲଗନ କହିଛନ୍ତି, ଏହି ଟାଙ୍କିରେ ଏତେ ମାତ୍ରରେ ମଳ ପକାଇଯାଇଛି ଯାହାଦ୍ୱାରା ପାଣିର ରଙ୍ଗ ବଦଳିଯାଇଛି । ସବୁଠାରୁ ଦୁଃଖର କଥା ହେଉଛି, ଲୋକେ ଏହା ଜାଣି ପାରି ନ ଥିବାରୁ ସେହି ଦୂଷିତ ପାଣିକୁ ପିଇ ଆସୁଛନ୍ତି ।

ଦୂଷିତ ପାଣି ପିଇ ଅନେକ ଶିଶୁ ଅସୁସ୍ଥ ହେବାରୁ ପ୍ରକୃତ କଥା ସାମ୍ନାକୁ ଆସିଛି । ତେବେ ଏହି ମଳ କିଏ ପକାଇଛି ଏ ଯାଏ ଏହା ସ୍ପଷ୍ଟ ହୋଇନାହିଁ । କିଛି ଦିନ ତଳେ ଏହି ପାଣି ଟାଙ୍କିର ଚାରିପାଖରେ ଥିବା ବାଡକୁ ଖୋଲାଯାଇଥିଲା । ସ୍ଥାନୀୟ ଜିଲ୍ଲାପାଳ କବିତା ରାମୁଙ୍କ କହିବା ଅନୁଯାୟୀ, ଯେତେବେଳେ ଦଳିତ ସଂପ୍ରଦାୟର କିଛି ଯୁବକ ପାଣିଟାଙ୍କି ଉପରେ ଚଢିଥିଲେ, ସେତେବେଳେ ଏହାର ଢାଙ୍କୁଣି ଖୋଲା ଥିବା ଦେଖିଥିଲେ । ତେବେ ଏହା ପୂର୍ବରୁ କିଏ ଟାଙ୍କି ଉପରକୁ ଚଢିଥିଲା ଏବଂ କିଏ ଏହାକୁ ଖୋଲିଥିଲେ କେହି କହିପାରୁ ନାହାନ୍ତି ।

ଜିଲ୍ଲାପାଳ ଏବଂ ଜିଲ୍ଲା ପୋଲିସ ମୁଖ୍ୟ ଏହା ବିରୋଧରେ କଠୋର ପଦକ୍ଷେପ ନେଇଛନ୍ତି ।  ନିଜେ ଘଟଣାର ଯାଞ୍ଚ ପାଇଁ ଗାଁକୁ ଯିବା ସହ ଚା ଦୋକାନ ମାଲିକଙ୍କ ବିରୋଧରେ ମାମଲା ଦାଏର କରିଛନ୍ତି । ଏପରିକି ଦୁଇ ପ୍ରଶାସନିକ ମୁ୍ଖ୍ୟ ଦଳିତ ସଂପ୍ରଦାୟଙ୍କୁ ନେଇ ମନ୍ଦିର ଭିତରକୁ ଯାଇଥିଲେ ଏବଂ କିଏ ସେମାନଙ୍କୁ ମନ୍ଦିର ଆସିବାକୁ ମନା କରୁଛି ସେମାନଙ୍କୁ ଚିହ୍ନଟ ପାଇଁ ମଧ୍ୟ କହିଥିଲେ । ଏହି ସମୟରେ ଜଣେ ମହିଳା ନିଜ ଦେହରେ ଠାକୁର ପ୍ରବେଶ କରିଛନ୍ତି ବୋଲି କହି ଘଟଣାସ୍ଥଳକୁ ଆସିଥିଲେ ଏବଂ ସେ ନିଚ୍ଚ ଜାତିର ଲୋକଙ୍କ ଉପସ୍ଥିତି ଚାହୁଁ ନାହାନ୍ତି ବୋଲି କହିଥିଲେ । ତେବେ ପୋଲିସ ତାଙ୍କୁ ଗିରଫ କରିଛି ।

Leave A Reply

Your email address will not be published.