ନୂଆଦିଲ୍ଲୀ: ଏବେ ଉଠୁଛି ପଡୁଛି ଦିଲ୍ଲୀ । ସଂସଦରେ ଆଜି ଠେଲାପେଲା ବିବାଦ ଏବେ ବଡ ରାଜନୈତିକ ମୁଦ୍ଦା ହୋଇଗଲାଣି । ବିଜେପି ରାହୁଲଙ୍କ ବିରୋଧରେ ମାମଲା ମଧ୍ୟ ରୁଜ୍ଜୁ କରିଛି । ଏ ସବୁ ଭିତରେ ଏବେ ରାହୁଲ ଗାନ୍ଧୀଙ୍କ ଉପରେ ଜଣେ ବିଜେପି ମହିଳା ସାଂସଦ ବଡ ଆରୋପ ଲଗାଇଛନ୍ତି । କି, ରାହୁଲ ତାଙ୍କୁ ଧକ୍କା ଦେଇଛନ୍ତି ଏବଂ ସେ ଡରି କରି ଅସହଜ ଅନୁଭବ କଲେ ।
ପ୍ରକୃତରେ ନାଗାଲାଣ୍ଡ ବିଜେପି ସାଂସଦ ଫାଙ୍ଗନୋନ୍ କୋନ୍ୟାକ୍ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ନାଁରେ କିଛି ଏପରି ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି, ମୁଁ ହାତରେ ଏକ ପ୍ଲାକାର୍ଡ ଧରି ମକର ଦ୍ୱାରର ସିଡ଼ି ତଳେ ଠିଆ ହୋଇଥିଲି । ସୁରକ୍ଷା କର୍ମୀମାନେ ଅନ୍ୟ ଦଳର ସାଂସଦଙ୍କ ପାଇଁ ପ୍ରବେଶ ପଥକୁ ଘେରାବନ୍ଦୀ କରି ଏକ ରାସ୍ତା ତିଆରି କରିଥିଲେ । ହଠାତ୍ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ଅନ୍ୟ ସାଂସଦମାନେ ତାଙ୍କ ପାଇଁ ଥିବା ରାସ୍ତାରେ ନଯାଇ ସିଧା ମୋ ସାମ୍ନାକୁ ଆସିଥିଲେ । ସେ ମୋ ସହ ଦୁର୍ବ୍ୟବହାର କରିବା ସହ ମୋତେ ଉଚ୍ଚ ସ୍ବରରେ କହିଥିଲେ । ସେ ମୋର ଏତେ ନିକଟରେ ଥିଲେ ଯେ ମୁଁ ଅସହଜ ଅନୁଭବ କରିଥିଲି ବୋଲି ଏକ ଅଭିଯୋଗ ଚିଠିରେ ଉଲ୍ଲେଖ କରିଛନ୍ତି ସାଂସଦ ।
ଯାହାକୁ ନେଇ ରାଜ୍ୟସଭା ସଭାପତି ଧନକଡ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି କି ତାଙ୍କ ପାଖକୁ ମହିଳା ସାଂସଦଙ୍କ ଅଭିଯୋଗ ଆସିଛି । ମହିଳା ସାଂସଦଜଣଙ୍କ କାନ୍ଦିକରି ତାଙ୍କ ପାଖକୁ ଆସିଥିବା ସେ କହିଛନ୍ତି ।