Latest Odisha News

ନାବାଳକଙ୍କୁ ବଳି ପାଇଁ ହତ୍ୟା ଘଟଣା, ସାଧିକାଙ୍କ ସହ ୩ ପୁଅ ଗିରଫ

ଅନୁଗୁଳ: ବାରିଣୀ ଜଙ୍ଗଲରୁ ନାବାଳକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୋଲିସ । ମଙ୍ଗଳା ଠାକୁରାଣୀଙ୍କ ସାଧିକାଙ୍କ ସହ ତାଙ୍କ ୩ ପୁଅଙ୍କୁ ପୋଲିସ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ନାବାଳକ ରହିଛି ।

ପାରିପାର୍ଶ୍ୱିକ ସ୍ଥିତି ଏବଂ ଆଖପାଖ ଲୋକଙ୍କ ବୟାନ ଆଧାରରେ ପୋଲିସ ଟୁସର ଗାଁର ମଙ୍ଗଳା ସାଧିକା ରୀତାଞ୍ଜଳି ବାଘ ଓ ତିନି ପୁଅକୁ ଗିରଫ କରିଛି । ଗିରଫଦାରୀ ନେଇ ସୂଚନା ଦେଇଛନ୍ତି ଅନୁଗୁଳ ଏସପି ସୁଧାଂଶୁ ଶେଖର ମିଶ୍ର । ତେବେ ମାଆ ଓ ୩ ପୁଅ କାହିଁକି ୧୪ ବର୍ଷର ବାଳକ ସଞ୍ଜିତକୁ କେଉଁ ପରିସ୍ଥିତିରେ ହତ୍ୟା କଲେ ସେନେଇ କିଛି ସ୍ପଷ୍ଟ ହୋଇ ନଥିବା ପୋଲିସ କହିଛି ।

ଶବ ବ୍ୟବଛେଦ ରିପୋର୍ଟ ଓ ସାଇଣ୍ଟିଫିକ ରିପୋର୍ଟକୁ ଅପେକ୍ଷା କରାଯାଇଛି । ସବୁ ରିପୋର୍ଟ ଆସିବା ପରେ ସମସ୍ତ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଅଣାଯାଇ ପଚରାଉଚରା ପରେ ଘଟଣା ଉପରୁ ପରଦା ହଟିବ ବୋଲି କହିଛନ୍ତି ଏସପି ।

ସୂଚନାଯୋଗ୍ୟ, ଗତ ୨୨ ତାରିଖରେ କିଆକଟାର ବାସନ୍ତୀ ବିଶ୍ୱାଳ ପୁଅ ସଞ୍ଜିତର ଦେହ ଭଲ ନଥିବାରୁ ନିକଟସ୍ଥ ଟୁସର ଗାଁକୁ ଯାଇଥିଲେ । ସେଠାରେ ମା ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା କରିବା ସହ ମଙ୍ଗଳା କୋଠିରେ ଅଧିଆ ପଡ଼ିଥିଲେ ମାଆ, ପୁଅ । ହେଲେ ସକାଳ ପାଇବା ବେଳେକୁ ମାଆ ପାଖରେ ପୁଅ ନଥିଲା ।

ଅନେକ ଖୋଜାଖୋଜି କରିବା ପରେ ୧୪ ବର୍ଷର ସଞ୍ଜିତଙ୍କୁ ପାଇ ନଥିଲେ ବାସନ୍ତୀ । ଫଳରେ କିଆକଟା ଥାନାରେ ପୁଅ ନିଖୋଜ ନେଇ ଏତଲା ଦେଇଥିଲେ । ୨୮ ତାରିଖରେ ବାରିଣୀ ଜଙ୍ଗଲରୁ ସଞ୍ଜିତଙ୍କ କ୍ଷତ ବିକ୍ଷତ ମୃତଦେହ ମିଳିଥିବା ବେଳେ ଅଣ୍ଟା ତଳ ଭାଗ ଗୋଡ଼ ଆଦି ଅଂଶ ନାହିଁ । ଫଳରେ ନାବାଳକ ଜଣଙ୍କୁ ବଳି ଦିଆ ଯାଇଥିବା ଲୋକେ ସନ୍ଦେହ କରିବା ସହ ଉତ୍ତେଜନା ପ୍ରକାଶ ପାଇଥିଲା । ରାସ୍ତାରୋକ କରିଥିବା ଉତ୍ତ୍ୟକ୍ତ ଲୋକ ପୋଲିସ୍ ଭ୍ୟାନ୍ ଜାଳି ଦେଇଥିଲେ ।

Comments are closed.