Latest Odisha News

BREAKING NEWS

ପରିବହନ ନିଗମକୁ ରାଜ୍ୟ ମହିଳା ଆୟୋଗଙ୍କ ତାଗିଦ: ବସରେ ପ୍ରଥମ ମହିଳା ଯାତ୍ରୀ ବାରଣ ପ୍ରଥା ବନ୍ଦ କରାଯାଉ

ଭୁବନେଶ୍ୱର:ବସର ପ୍ରଥମ ଯାତ୍ରୀ ଯଦି ମହିଳା ହୋଇଥାନ୍ତି ତେବେ ତାଙ୍କୁ ଉଠିବାକୁ ଦିଆ ଯାଇ ନ ଥାଏ । ଜଣେ ବା ଦୁଇଜଣ ପୁରୁଷ ଯାତ୍ରୀ ଉଠିବା ପରେ ମହିଳାଙ୍କୁ ଉଠିବା ପାଇଁ ଅନୁମତି ମିଳିଥାଏ ।  ଏପରି ସ୍ଥିତି ପ୍ରତିଦିନ  ବସଷ୍ଟାଣ୍ଡରେ ଦେଖିବାକୁ ମିଳିଥାଏ ।  ଅନେକ ମହିଳାଙ୍କୁ ଏପରି ପକ୍ଷପାତର ସାମ୍ନା କରିବାକୁ ପଡିଥାଏ । ଅନ୍ଧବିଶ୍ୱାସ ବ୍ୟତୀତ ଏହା ପଛରେ ଆଉ କୌଣସି ଯୁକ୍ତି ଥିବା ପରି ମନେ ହୁଏନି । ତେବେ ବସରେ ମହିଳାଙ୍କ ପ୍ରତି ଏପରି ଆଚରଣକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ରାଜ୍ୟ ମହିଳା ଆୟୋଗ ।

ରାଜ୍ୟ ପରିବହନ ନିଗମ ଅଧ୍ୟକ୍ଷଙ୍କୁ ଚିଠି ଲେଖି ମହିଳା କମିଶନ କହିଛନ୍ତି,  ବସରେ ପ୍ରଥମ ଯାତ୍ରୀଭାବେ ମହିଳାଙ୍କୁ ବାରଣ କରାଯାଏ । ଏପରିକି ବସର ଇଞ୍ଜିନରେ ପୁରୁଷମାନଙ୍କୁ ବସିବାକୁ ଅନୁମତି ଦିଆ ଯାଉଥିବାବେଳେ ମହିଳାଙ୍କୁ ମଧ୍ୟ ବାରଣ କରାଯାଇଥାଏ ।  ଏବେ ମଧ୍ୟ ବସଷ୍ଟାଣ୍ଡରେ ଏପରି ପରମ୍ପରା ରହିଛି ।  ଏପରି ଲିଙ୍ଗଭେଦ ତଥା ଅନ୍ଧବିଶ୍ୱାସକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି । ଏହାକୁ ତୁରନ୍ତ ବନ୍ଦ କରିବା ସହ ଉଭୟ ସରକାରୀ ଓ ଘରୋଇ ବସରେ ମହିଳମାନେ କିପରି ପ୍ରଥମ ଯାତ୍ରୀ ଭାବେ ସୁରକ୍ଷିତ ପ୍ରବେଶ କରିବେ, ଏ ନେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରବାକୁ କହିଛନ୍ତି  ମହିଳା କମିଶନ । ଏଥିସହିତ ସରକାରୀ ତଥା ବେସରକାରୀ ବସରେ ମହିଳାଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ମହିଳା କମିଶନ।

ସେତିକି ନୁହେଁ, ବସରେ ମହିଳାଙ୍କ ପାଇଁ ସଂରକ୍ଷିତ ସିଟ ୫୦ ପ୍ରତିଶତ ବୃଦ୍ଧି କରିବା ପାଇଁ ଟ୍ରାନ୍ସପୋର୍ଟ କମିଶନଙ୍କୁ ଚିଠି କରାଯାଇଛି । ମହିଳା ଓ ପୁରୁଷଙ୍କ ପାଇଁ ୫୦-୫୦ ପ୍ରତିଶତ ରଖିବା ପାଇଁ ମହିଳା କମିଶନ ଦାବି କରିଛନ୍ତି ।

ସାମାଜିକ କର୍ମକର୍ତ୍ତା ଘାସିରାମ ପଣ୍ଡାଙ୍କ ଅଭିଯୋଗ ଆଧାରରେ ଏହି ନିର୍ଦ୍ଦେଶ ଦିଆଯାଇଛି । ଏଥିରେ ଅଭିଯୋଗ ହୋଇଥିଲା ଯେ, ଜଣେ ମହିଳାଙ୍କୁ ବସରେ ଉଠିବାକୁ ଦିଆଯାଇ ନ ଥିଲା । ସମସ୍ତ ପୁରୁଷ ଯାତ୍ରୀ ଚଢିବା ପରେ ତାଙ୍କୁ ଅନୁମତି ଦିଆ ଯାଇଥିଲା । ଏହି ଅଭିଯୋଗ ଆଧାରରେ ମହିଳା କମିଶନର ଏପରି ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.