ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଓ ୫ ଟି ଶାସନ ସଚିବ ଭି.କେ ପାଣ୍ଡିଆନ୍ ସମ୍ବଲପୁର ଜିଲ୍ଲା ଗସ୍ତ କରିଥିଲେ ।
ପୂର୍ବାହ୍ନରେ ସମ୍ବଲପୁରରେ ପହଞ୍ଚି ଏହି ଉଚ୍ଚସ୍ତରୀୟଟିମ୍ ବୀର ସୁରେନ୍ଦ୍ରସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭି.ଏସ୍.ଏସ୍.ୟୁ.ଟି) ପରିଦର୍ଶନ କରିବା ପୂର୍ବକ ବିଭିନ୍ନ ବିଭାଗ ଓ ଛାତ୍ରାବାସ ବୁଲି ଦେଖିଥିଲେ । ଏହି ସମୟରେ ସେମାନେ ଛାତ୍ରଛାତ୍ରୀ, ପ୍ରାଧ୍ୟାପକ ଓ କର୍ତ୍ତୁପକ୍ଷମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ଭି.ଏସ୍.ଏସ୍.ୟୁ.ଟିକୁ ସଂପ୍ରସାରଣ ଓ ନବୀକରଣ କରିବା ନିମନ୍ତେ ଏକ ମାଷ୍ଟରପ୍ଲାନ୍ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ବିଶ୍ୱବିଦ୍ୟାଳୟ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଶ୍ରୀ ମହାପାତ୍ର କହିଥିଲେ ଯେ ଭି.ଏସ୍.ଏସ୍.ୟୁ.ଟିର ସିଟ୍ ସଂଙ୍ଖ୍ୟା ବଢ଼ାଇବା ସହ ବିଶ୍ୱବିଦ୍ୟାଳୟକୁ ଏକ ଉକର୍ଷ କେନ୍ଦ୍ର (ସେଣ୍ଟର ଅଫ୍ ଏକ୍ଲେନ୍ସ୍) ରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ତେଣୁ ଏହି ମାଷ୍ଟରପ୍ଲାନ୍ ସହ ପ୍ରକଳ୍ପ ପ୍ରସ୍ତାବ ତୁରନ୍ତ ପ୍ରସ୍ତୁତ କରି ବୈଷୟିକ ଶିକ୍ଷା ବିଭାଗ ମାଧ୍ୟମରେ ସରକାରଙ୍କୁ ପଠାଇବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।
ପରେ ଏହି ସର୍ବୋଚ୍ଚ ପ୍ରଶାସନିକ ଟିମ୍ ସାମାଜିକ ସୁରକ୍ଷା ଏବଂ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ଦ୍ୱାରା ବୈଜାମୁଣ୍ଡାଠାରେ ନିର୍ମାଣ ହୋଇଥିବା ଆଶ୍ରୟସ୍ଥଳୀ ଓ ସମନ୍ୱିତ ସହାୟତା ଓ ଥଇଥାନ କେନ୍ଦ୍ରର ଭିତ୍ତିଭୂମି ଓ ସୁବିଧା ଆଦିର ତନଖି କରିଥିଲେ । ଆଂଶିକଭାବେ କାର୍ଯ୍ୟକାରୀ ହୋଇଥିବା ଏହି କେନ୍ଦ୍ରକୁ ଆସନ୍ତା ୧ ରୁ ୨ ମାସ ମଧ୍ୟରେ ପୂର୍ଣ୍ଣମାତ୍ରାରେ କର୍ମକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହି କେନ୍ଦ୍ରର ମାଧ୍ୟମରେ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ଵ ଦିବ୍ୟାଙ୍ଗ, ଅସହାୟ ବୃଦ୍ଧ, ଭିକାରୀମାନଙ୍କୁ ଥଇଥାନ କରାଯିବ ।
ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମରେ ରୂପାନ୍ତରିତ କରାଯାଇଥିବା ଲେଡ଼ି ଲୁଇସ୍ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ପୂର୍ବକ ସେଠାରେ ନିର୍ମାଣ କରାଯାଇଥିବା ସ୍ମାର୍ଟ କ୍ଲାସ୍ ରୁମ୍, ସ୍ମାର୍ଟ ଲାଇବ୍ରେରୀ, ବିଜ୍ଞାନାଗାର, ଆଇ.ସି.ଟି.ଲ୍ୟାବ୍, ଖେଳ ପଡିଆ ଆଦି ବୁଲି ସେସବୁର ବ୍ୟବହାର ବିଷୟ ନିରୀକ୍ଷଣ କରିଥିଲେ ।
ପରିଦର୍ଶନ କାଳରେ ୫ ଟି ଶାସନ ସଚିବ ଶିକ୍ଷକ ଶିକ୍ଷୟତ୍ରୀ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ । ନୂଆ ଓ ଆଧୂନିକ ଭିତ୍ତିଭୂମି ସବୁର ଉପଯୁକ୍ତ ବ୍ୟବହାରକରି ବିଦ୍ୟାଳୟରେ ଶୈକ୍ଷିକ ପରିବେଶର ଗୁଣାତ୍ମକ ବୃଦ୍ଧି କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ପ୍ରଧାନ ଶିକ୍ଷକଙ୍କ ସମେତ ସମସ୍ତ ଶିକ୍ଷୟତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ପାଇଁ ସେମାନଙ୍କ ନିମନ୍ତେ ମଧ୍ୟ ନିର୍ଦ୍ଦିଷ୍ଟ ଲକ୍ଷ୍ୟମାନ ଧାର୍ଯ୍ୟ କରାଯାଇଥିଲା ।
ପରେ ପରେ ଏହି ଟିମ୍ ମାସମଲେଇ ମନ୍ଦିର ଚତୁପାର୍ଶ୍ୱ ବିକାଶ ଓ ସୌନ୍ଦର୍ଯ୍ୟକରଣ ନିମନ୍ତେ ଆରମ୍ଭ ହୋଇଥିବା ପ୍ରଚେଷ୍ଟାର କ୍ଷେତ୍ରସ୍ତରୀୟ ଅଗ୍ରଗତି ଲକ୍ଷ୍ୟ କରିଥିଲେ । ମନ୍ଦିର ପରିକ୍ରମା ପ୍ରକଳ୍ପ, ନଦୀ ସମ୍ମୁଖ ବିକାଶ, ମନ୍ଦିର ମଧ୍ୟରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକ୍ରମ ଆଦିର କ୍ଷେତ୍ରାନ୍ୱୟନକୁ ତ୍ୱରାନ୍ୱିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଓଡ଼ିଶା ବ୍ରିଜ୍ ଓ କନଷ୍ଟ୍ରକସନ୍ ନିଗମଙ୍କୁ ନିର୍ଦ୍ଦେଶ ଦେଇଥିଲେ ।
ଏହି ଗସ୍ତ ସମୟରେ ଉତ୍ତରାଞ୍ଚଳ ରାଜସ୍ୱ କମିଶନର ଡ଼ଃ ସୁରେନ୍ଦ୍ର ଦଳେଇ, ସମ୍ବଲପୁର ଜିଳ୍ଲାପାଳ ଅନନ୍ୟା ଦାସ, ଏସ୍.ପି. ବି.ଗଙ୍ଗାଧରଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।
Comments are closed.