Latest Odisha News

ରାହୁଲଙ୍କୁ ‘ପଂଚମ ଧାଡି’, କଂଗ୍ରେସ ରାଗିପାଚି ପଂଚମ 

ନୂଆଦିଲ୍ଲୀ: ସ୍ୱାଧୀନତା ଦିବସ ଉତ୍ସବରେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଅସମ୍ମାନ । ଉତ୍ସବରେ ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ପଂଚମ ଧାଡିରେ ବସିବା ନେଇ କଂଗ୍ରେସର କଡା ଆପତ୍ତି । ରାହୁଲଙ୍କୁ ଅସମ୍ମାନ କରାଯାଇଥିବାରୁ ମୋଦି ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ସ୍ୱାଧୀନତା ଦିବସ ଉତ୍ସବରେ ବିରୋଧୀ ଦଳ ନେତାଙ୍କୁ ପଂଚମ ଧାଡିରେ ବସାଇ ସରକାର ଅସମ୍ମାନ କରିଛନ୍ତି ବୋଲି କହିଛି କଂଗ୍ରେସ ।

‘ମୋଦି କିଛି ଶିଖିପାରିଲେ ନାହିଁ’

ଲାଲକିଲ୍ଲା ସ୍ୱାଧୀନତା ଦିବସ ଉତ୍ସବ ସ୍ଥଳରେ ରାହୁଲ ଗାନ୍ଧି ବେଶ୍ ପଛରେ ବସିଥିବା ଦେଖିବାକୁ ମିଳିଥିଲା । ବିଭିନ୍ନ କେନ୍ଦ୍ରମନ୍ତ୍ରୀ ଓ ଅଲିମ୍ପିକ୍ସରେ ଭାଗ ନେଇଥିବା କ୍ରୀଡାବିତଙ୍କ ପଛରେ ବସିଥିଲେ ରାହୁଲ ଗାନ୍ଧି । ବିରୋଧୀ ଦଳର ନେତାଙ୍କ ମାନ୍ୟତା ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ । ତେଣୁ ରାହୁଲଙ୍କ ପଂଚମ ଧାଡିରେ ବସାଯାଇଥିବାରୁ ସୃଷ୍ଟି ହୋଇଛି ବିବାଦ । ବିରୋଧୀ ଦଳ ନେତାଙ୍କୁ ଅସମ୍ମାନ ଅଭିଯୋଗ କରି ତାତିଛି କଂଗ୍ରେସ । କଡା ପ୍ରତିକ୍ରିୟା ଦେଇଛି ଦଳ । ପ୍ରଧାନମନ୍ତ୍ରୀ ମୋଦିଙ୍କୁ କରିଛି ଟାର୍ଗେଟ୍ । ଲୋକସଭା ନିର୍ବାଚନ ପର ବାସ୍ତବତାକୁ ପ୍ରଧାନମନ୍ତ୍ରୀ ଆହୁରି ଗ୍ରହଣ କରିପାରିନାହାନ୍ତି । ଲୋକସଭାରେ ବିରୋଧୀ ଦଳ ନେତାଙ୍କୁ ଶେଷ ଧାଡିରେ ବସାଇ ପ୍ରଧାନମନ୍ତ୍ରୀ ଅହଙ୍କାରର ପରିଚୟ ଦେଇଛନ୍ତି । ଲୋକସଭା ନିର୍ବାଚନ ଫଳାଫଳରୁ ପ୍ରଧାନମନ୍ତ୍ରୀ କିଛି ଶିଖିପାରିଲେ ନାହିଁ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ କେସି ବେଣୁଗୋପାଲ କହିଛନ୍ତି ।

କଂଗ୍ରେସ ଦେଉଥିଲା ଉପଯୁକ୍ତ ସମ୍ମାନ

କେନ୍ଦ୍ରରେ କଂଗ୍ରେସ ସରକାର କ୍ଷମତାରେ ଥିବା ବେଳେ ୨୦୧୪ ଯାଏଁ ଲାଲକୃଷ୍ଣ ଆଡଭାନି ଓ ସୁଷମା ସ୍ୱରାଜଙ୍କ ଭଳି ବିରୋଧୀ ଦଳ ନେତାଙ୍କୁ ଉପଯୁକ୍ତ ସମ୍ମାନ ଦିଆଯାଉଥିଲା । ଏବେ ବିରୋଧୀ ଦଳ ନେତାଙ୍କୁ ପ୍ରଧାନମନ୍ତ୍ରୀ କାହିଁକି ସମ୍ମାନ ପ୍ରଦର୍ଶନ କରୁନାହାନ୍ତି ବେଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଏମପି ମାଣିକମ ଟାଗୋର ।

କ’ଣ କହୁଛି ପ୍ରଟୋକଲ ?

ପ୍ରଟୋକଲ ଅନୁସାରେ ଲୋକସଭାରେ ବିରୋଧୀ ଦଳ ନେତାଙ୍କ ମାନ୍ୟତା ଜଣେ କ୍ୟାବିନେଟ ମନ୍ତ୍ରୀଙ୍କ ସହ ସମାନ । ବିରୋଧୀ ଦଳ ନେତା ପ୍ରଥମ କିଛି ଧାଡିରେ ବସିବା କଥା । କିନ୍ତୁ ପ୍ରଥମ କିଛି ଧାଡିରେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି, କେନ୍ଦ୍ର ମନ୍ତ୍ରୀ ନିର୍ମଳା ସୀତାରମଣ, ଶିବରାଜ ସିଂହ ଚୌହାନ, ଅମିତ ଶାହା ଓ ଏସ. ଜୟଶଙ୍କର ବସିଥିଲେ । ରାହୁଲ ଗାନ୍ଧଙ୍କୁ ପଂଚମ ଧାଡିରେ ବସିବାକୁ କୁହାଯାଇଥିଲା । ରାହୁଲ ବସିବା ନେଇ କୌଣସି ବିଶେଷ ଦାବି କରିନଥିଲେ ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି । ରାଜ୍ୟସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ମଧ୍ୟ ପଂଚମ ଧାଡି ମିଳିଥିଲା । କିନ୍ତୁ ଉତ୍ସବକୁ ଆସିନଥିଲେ ଖଡଗେ । ସ୍ୱାଧୀନତା ଦିବସ ଉତ୍ସବ ଆୟୋଜନ ପ୍ରତିରକ୍ଷା ମନ୍ତ୍ରାଳୟ କରିଥାଏ ।ସିଟ୍ ଆରେଂଜମେଂଟ୍ ମଧ୍ୟ କରିଥାଏ ପ୍ରତିରକ୍ଷା ମନ୍ତ୍ରାଳୟ ।

ସରକାରଙ୍କ ସଫେଇ

ପଂଚମ ଧାଡିରେ ବସିବା ପାଇଁ ରାହୁଲ ଗାନ୍ଧିଙ୍କୁ କୁହାଯାଇଥିବାରୁ ବିବାଦ ସୃଷ୍ଟି ହୋଇଛି । ସୋସିଆଲ ମିଡିଆରେ ଏ ନେଇ ସରଗରମ ଚର୍ଚ୍ଚା ।  ତେବେ, ପ୍ରଥମ କିଛି ଧାଡି ଅଲିମ୍ପିକ୍ସ ପଦକ ବିଜେତାମାନଙ୍କ ପାଇଁ ଥିବାରୁ ରାହୁଲଙ୍କୁ ପଛରେ ବସିବାକୁ କୁହାଯାଇଥିଲା ବୋଲି ପ୍ରତିରକ୍ଷା ମନ୍ତ୍ରାଳୟ ସୂତ୍ରରୁ ଜଣାପଡିଛି ।

ଅଟଳ ବିହାରୀ ବାଜପେୟୀଙ୍କ ସରକାର ଥିବା ବେଳେ ବିରୋଧୀ ଦଳ ନେତା ସୋନିଆ ଗାନ୍ଧିଙ୍କୁ ସବୁବେଳେ ଆଗ ଧାଡିରେ ବସିବାକୁ ଦିଆଯାଉଥିଲା ।

 

Comments are closed.