Latest Odisha News

BREAKING NEWS

୫ ଜଣ ଅସହାୟ ଗରିବଙ୍କୁ ଖାଦ୍ୟାନ୍ନ ଦାନ କରିବାକୁ ନିବେଦନ କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

ଭୂବନେଶ୍ୱର, ତା.୨୬/୦୩: ମହାମାରୀ କରୋନା ବର୍ତମାନ ଭୟଙ୍କର ରୂପ ଧାରଣ କରିଛି । ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ସମସ୍ତ ରାଜ୍ୟ ସରକାରଙ୍କ ସହଯୋଗରେ ଏହି ସଂକଟରୁ ରକ୍ଷା ପାଇବା ପାଇଁ ସମସ୍ତ ପ୍ରକାରର ପଦକ୍ଷେପ ଗ୍ରହଣ କରାଯାଉଛି । ଏଭଳି ଜଟିଳ ସମୟରେ ଭାରତୀୟ ଜନତା ପାର୍ଟୀର ସମସ୍ତ କାର୍ଯ୍ୟକର୍ତା ସ୍ଥାନୀୟ ପ୍ରଶାସନର ସହାୟତାରେ କାର୍ଯ୍ୟ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା କହିଛନ୍ତି ।


ଶ୍ରୀ ନଡ୍ଡା ଆଜି ଭିଡିଓ କନଫରେନ୍ସ ଜରିଆରେ ରାଜ୍ୟ ସଭାପତି  ସମୀର ମହାନ୍ତିଙ୍କ ସହ ଆଲୋଚନା କରିଛନ୍ତି । ଚୀନ, ଇଟାଲୀ, ଇଂଲଣ୍ଡ, ଆମେରିକା ଭଳି ବିଶ୍ୱର ଅତ୍ୟନ୍ତ ବିକଶିତ ଦେଶ ଆଜି ଏହି କରୋନା ଭୁତାଣ ସଂକ୍ରମଣର ପ୍ରଭାବରୁ ବର୍ତିବା ପାଇଁ ସଂଗ୍ରାମ କରୁଛନ୍ତି । ଏପରି ସ୍ଥଳେ ବହୁଳ ଜନସଂଖ୍ୟା ବିଶିଷ୍ଟ ଭାରତବର୍ଷରେ ଏହି କରୋନା ଭୁତାଣୁରୁ ବଂଚିବା ପାଇଁ ‘ସାମାଜିକ ଦୂରତ୍ୱ’ ଅତ୍ୟନ୍ତ ଜରୁରୀ । ଏହି ପରିପ୍ରେକ୍ଷୀରେ କରୋନା ସଂକ୍ରମଣର ଭୟାଭୟକୁ ଦେଖି ସମଗ୍ର ଦେଶବ୍ୟାପୀ ଆସନ୍ତା ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ‘ଲକ୍ ଡାଉନ’ ର ଘୋଷଣା କରାଯାଇଛି । ଏହି ଅବସରରେ ଆମେ ସମସ୍ତେ ନିଜ ନିଜ ଘରେ ରହିବା । ଏଭଳି ସଂକଟ ସମୟରେ ବିଜେପିର ସମସ୍ତ କାର୍ଯ୍ୟକର୍ତା ନିଜେ ନିଜେ ନେତୃତ୍ୱ ନେଇ ସର୍ବପ୍ରଥମେ ନିଜେ ବାହାରକୁ ନଯିବା ସହ ଅନ୍ୟମାନଙ୍କୁ ମଧ୍ୟ ନଯିବା ପାଇଁ ପରାମର୍ଶ ଓ ସଚେତନ ସୃଷ୍ଟି କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ ଦେଇଛନ୍ତି । ବର୍ତମାନ ପାଣିପାଗ ପରିବର୍ତନ ହେଉଥିବା କାରଣରୁ ଘରେ ଥିବା ବୟସ୍କ ଓ ଛୋଟ ପିଲାଙ୍କ ଦାୟୀତ୍ୱ ଅଧିକ ନେବା ସହ ଥଣ୍ଡା, କାଶ, ଛିଙ୍କ ଭଳି ରୋଗରୁ ଦୁରେଇ ରଖିବାକୁ ଶ୍ରୀ ନଡ୍ଡା ପରାମର୍ଶ ଦେଇଛନ୍ତି ।

‘ନର ସେବା ହିଁ ନାରାୟଣ ସେବା’ ହେଉଛି ଭାରତୀୟ ପରଂପରା । ତେଣୁ ଏଭଳି ସଂକଟ ସମୟରେ ନିଜ ନିଜ ଘର ପାଖ ଓ ଅଂଚଳରେ ଥିବା ସର୍ବନିମ୍ନ ୫ ଜଣ ନିସ୍ୱ ଏବଂ ଅସହାୟ ଗରିବଙ୍କୁ ଖାଦ୍ୟାନ୍ନ ଦାନ କରିବାକୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ନଡ୍ଡା ସମସ୍ତ ବିଜେପି କାର୍ଯ୍ୟକର୍ତାଙ୍କୁ ନିବେଦନ କରିଛନ୍ତି ।

ଏଭଳି ସଂକଟ ସମୟରେ ନିଜ ନିଜ ଘରେ ନରହି ନିଜ ଜୀବନକୁ ବିପଦରେ ପକାଇ ଆମକୁ ସେବା ଯୋଗାଉଥିବା ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ, ସଫେଇ କର୍ମଚାରୀ, ପୋଲିସ କର୍ମଚାରୀମାନଙ୍କୁ ପ୍ରୋତ୍ସାହିତ କରିବା ସହ ସଂପୂର୍ଣ୍ଣ ସହଯୋଗ ଓ ସହାୟତା କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ଶ୍ରୀ ନଡ୍ଡା କହିଛନ୍ତି ।

ଖାଦ୍ୟପେୟ, ରୋଷେଇ ଗ୍ୟାସ, କ୍ଷୀର, ଫଳ, ପନିପରିବା ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାକୁ ରାଜ୍ୟସରକାରମାନେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ, ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନକୁ ସାହାଯ୍ୟ କରିବା ସହ ସହଯୋଗ ଓ ସହାୟତା ପ୍ରଦାନ କରିବାକୁ ସମସ୍ତ କାର୍ଯ୍ୟକର୍ତାଙ୍କୁ ଶ୍ରୀ ନଡ୍ଡା କହିଛନ୍ତି ।

ଦାୟୀତ୍ୱସଂପନ୍ନ ନାଗରିକ ଓ କାର୍ଯ୍ୟକର୍ତା ଭାବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅକ୍ଷର ଅକ୍ଷର ଭାବେ ପାଳନ କରିବା । ତେଣୁ ଆମେ ସମସ୍ତେ ଘରେ ରହି ମୋବାଇଲ, ଟେଲିଫୋନ ଓ ସୋସିଆଲ ମିଡିଆ ଜରିଆରେ ନିଜ ପ୍ରଭାବ ଦ୍ୱାରା ଏହି କାର୍ଯ୍ୟକୁ ସଂପାଦନା କରିବା ପାଇଁ ଶ୍ରୀ ନଡ୍ଡା କହିଛନ୍ତି ।

ମାନ୍ୟବର ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ସାମ୍ନାକୁ ଆସି ଏହି ଲଢେଇର ନେତୃତ୍ୱ ନେଇଛନ୍ତି । ଏଭଳି ସଂକଟ ସମୟରେ ଆମେ ସମସ୍ତେ ସଂଯମତା ରକ୍ଷା କରିବା ଏବଂ ଧୈର୍ଯ୍ୟର ସହ ଏହି ଲଢେଇରେ ସାମିଲ ହୋଇ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ସାହାସ ପ୍ରଦାନ କରିବାକୁ ଶ୍ରୀ ନଡ୍ଡା ଆହ୍ୱାନ ଦେଇଛନ୍ତି ।

Leave A Reply

Your email address will not be published.