ଭୁବନେଶ୍ୱର: ହକି ବିଶ୍ୱକପର ୧୫ତମ ସଂସ୍କରଣ ୧୩ରୁ ୨୯ ଜାନୁୟାରୀ ପର୍ଯ୍ୟନ୍ତ ଏହା ଓଡିଶାରେ ଖେଳାଯିବ । ଭୁବନେଶ୍ୱର ଓ ରାଉରକେଲାରେ ଏଥିନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଯାଇଛି । ଭୁବନେଶ୍ୱର ଦ୍ୱିତୀୟ ଥର ପାଇଁ ଏହି ସୌଭାଗ୍ୟ ଅର୍ଜନ କରିଛି । ୨୦୧୮ରେ ସଫଳତାର ସହ ଏହାକୁ ଆୟୋଜନ କରାଯାଇଥିଲା । ଭାରତ ୪୮ ବର୍ଷ ହେବ ଟାଇଟଲ ହାସଲ କରିପାରି ନାହିଁ । ଏଥର ସମସ୍ତ ହକିପ୍ରେମୀଙ୍କ ଦୃଢ଼ ବିଶ୍ୱାସ ଏହି ଅପେକ୍ଷାର ଅନ୍ତ ଘଟିବ । ଆଉ ଓଡିଶା ସାଜିବ ଭାରତୀୟ ହକିର କର୍ଣ୍ଣଧାର । ପାକିସ୍ତାନ ସର୍ବାଧିକ ୪ଥର ଏଥିରେ ବିଜେତା ହୋଇଛି । ଆସନ୍ତୁ ଆଖି ପକାଇବା ଏହାର ୫୨ ବର୍ଷର ଇତିହାସ ଉପରେ…
୧୯୭୧ ଉଦଘାଟନୀ ସଂସ୍କରଣ: ହକି ବିଶ୍ୱକପର ଉଦଘାଟନୀ ସଂସ୍କରଣରେ ପାକିସ୍ତାନ ୧-୦ ଗୋଲରେ ସ୍ପେନକୁ ହରାଇ ଚାମ୍ପିୟନ ହୋଇଥିଲା । ପ୍ରଥମେ ଏହା ପାକିସ୍ତାନରେ ଆୟୋଜନ ହେବାକୁ ଥିଲା । ତେବେ ବାଂଲାଦେଶ ମୁକ୍ତିଯୁଦ୍ଧ ଯୋଗୁ ଏହି ଅଧିକାର ସ୍ପେନକୁ ଦିଆଯାଇଥିଲା । ସେମିରେ ପାକିସ୍ତାନଠାରୁ ହାରିଥିଲା ଭାରତ ।
୧୯୭୩: ଉଦଘାଟନୀ ସଂସ୍କରଣର ଦୁଇ ବର୍ଷ ପରେ ନେଦରଲାଣ୍ଡରେ ଏହା ଆୟୋଜିତ ହୋଇଥିଲା । ଭାରତୀୟ ଟିମ ଚମତ୍କାର ପ୍ରଦର୍ଶନ କରି ଫାଇନାଲରେ ପ୍ରବେଶ କରିଥିଲା । ତେବେ ଟାଇଟଲ ମୁକାବିଲାରେ ନେଦରଲାଣ୍ଡ ପେନାଲ୍ଟି ଷ୍ଟ୍ରୋକସରେ ଭାରତକୁ ହରାଇ ଚାମ୍ପିୟନ ହୋଇଥିଲା ।
୧୯୭୫: ଭାରତୀୟ ହକି ପାଇଁ ଏହି ସଂସ୍କରଣ ଥିଲା ଅବର୍ଣ୍ଣନୀୟ । ମାଲେସିଆରେ ଅନୁଷ୍ଠିତ ବିଶ୍ୱକପରେ ଭାରତ ପ୍ରଥମ ଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିଲା । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା ଭାରତ ୨-୧ ଗୋଲରେ ପାକିସ୍ତାନକୁ ହରାଇ ଏହି ସଫଳତା ଅର୍ଜନ କରିଥିଲା । ସୁରଜିତ ସିଂ ରନ୍ଧୱା ଓ ଅଶୋକ କୁମାର ଭାରତ ପକ୍ଷରୁ ଏବଂ ମହମ୍ମଦ ଜାହିଦ ଶେଖ ପାକିସ୍ତାନ ତରଫରୁ ଗୋଲ ସ୍କୋର କରିଥିଲେ ।
୧୯୭୮: ପ୍ରଥମ ଥର ପାଇଁ ଦକ୍ଷିଣ ଆମେରିକୀୟ ଦେଶ ଆର୍ଜେଂଟିନାରେ ବିଶ୍ୱକପ ଆୟୋଜନ କରା ଯାଇଥିଲା । ଭାରତ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିବା ବେଳେ ପାକିସ୍ତାନ ୩-୨ ଗୋଲରେ ନେଦରଲାଣ୍ଡକୁ ହରାଇ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା ।
୧୯୮୨: ଭାରତକୁ ଏଥର ମିଳିଥିଲା ବିଶ୍ୱକପ ଆୟୋଜନ ଅଧିକାର । ଅବଶ୍ୟ ଟିମ ଇଣ୍ଡିଆ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା । ପଶ୍ଚିମ ଜର୍ମାନୀକୁ ହରାଇ ପାକିସ୍ତାନ କ୍ରମାଗତ ଦ୍ୱିତୀୟ ଓ ଓଭରାଲ ତୃତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା ।
୧୯୮୬: ଇଂଲଣ୍ଡରେ ଆୟୋଜିତ ଏହି ବିଶ୍ୱକପରେ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ଆୟୋଜକ ଇଂଲଣ୍ଡକୁ ୨-୧ ଗୋଲରେ ହରାଇ ଅଷ୍ଟ୍ରେଲିଆ ଏହି ସଫଳତା ଅର୍ଜନ କରିଥିଲା । ପ୍ରଥମ ଥର ପାଇଁ ଭାରତ କିମ୍ବା ପାକିସ୍ତାନ ସେମିରେ ପ୍ରବେଶ କରିପାରି ନ ଥିଲେ ।
୧୯୯୦: ପାକିସ୍ତାନ ଟିମକୁ ପ୍ରଥମ ଥର ପାଇଁ ଆୟୋଜନ କରିବା ଅଧିକାର ମିଳିଥିଲା । ଘରୋଇ ପରିବେଶରେ ପାକିସ୍ତାନ ଫାଇନାଲରେ ନେଦରଲାଣ୍ଡଠାରୁ ୩-୧ରେ ପରାଜିତ ହୋଇଥିଲା । ଅଷ୍ଟ୍ରେଲିଆ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହୋଇଥିଲା ।
୧୯୯୪: ଅଷ୍ଟ୍ରେଲିଆରେ ଆୟୋଜିତ ଏହି ବିଶ୍ୱକପରେ ପାକିସ୍ତାନ ୪ର୍ଥ ଥର ପାଇଁ ଚାମ୍ପିୟନ ହୋଇଥିଲା । ପେନାଲ୍ଟି ଷ୍ଟ୍ରୋକସ ପାକିସ୍ତାନ ୪-୩ରେ ନେଦରଲାଣ୍ଡକୁ ହରାଇଥିଲା ।
୧୯୯୮: ଆୟୋଜକ ଭାବେ ନେଦରଲାଣ୍ଡ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲା । ଫାଇନାଲରେ ସେମାନେ ସ୍ପେନକୁ ୩-୨ରେ ହରାଇଥିଲେ । ନେଦରଲାଣ୍ଡର ଏହା ଥିଲା ତୃତୀୟ ଟାଇଟଲ ।
୨୦୦୨: ମାଲେସିଆରେ ଖେଳାଯାଇଥିବା ଏହି ମେଗା ଇଭେଂଟରେ ବାଜି ମାରିଥିଲା ଜର୍ମାନୀ । ଫାଇନାଲରେ ସେମାନେ ଅଷ୍ଟ୍ରେଲିଆକୁ ୨-୧ରେ ହରାଇ ଚାମ୍ପିୟନ ହୋଇଥିଲେ ।
୨୦୦୬: ଜର୍ମାନୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କରିବାରେ ସଫଳ ହୋଇଥିଲା । ଆୟୋଜକ ଜର୍ମାନୀ ଫାଇନାଲରେ ୪-୩ରେ ଅଷ୍ଟ୍ରେଲିଆକୁ ପରାଜିତ କରିଥିଲା ।
୨୦୧୦: ଭାରତରେ ଆୟୋଜିତ ବିଶ୍ୱକପର ଏହି ସଂସ୍କରଣରେ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା । ଫାଇନାଲରେ ଅଷ୍ଟ୍ରେଲିଆ ୨-୧ ଗୋଲରେ ଜର୍ମାନୀକୁ ପରାସ୍ତ କରିଥିଲା । ୧୯୮୬ ପରେ ଦଳ ଦ୍ୱିତୀୟ ଥର ପାଇଁ ଚାମ୍ପିୟନ ହୋଇଥିଲା ।
୨୦୧୪: ନେଦରଲାଣ୍ଡରେ ଆୟୋଜିତ ଏହି ବିଶ୍ୱକପରେ ଅଷ୍ଟ୍ରେଲିଆ ଦ୍ୱିତୀୟ ଥର ପାଇଁ ଟାଇଟଲ ହାସଲ କରିଥିଲା । ଫାଇନାଲରେ ଅଷ୍ଟ୍ରେଲିଆ ୬-୧ରେ ନେଦରଲାଣ୍ଡକୁ ମାତ ଦେଇଥିଲା ।
୨୦୧୮: ଭାରତକୁ ଏଥର ବିଶ୍ୱକପ ଆୟୋଜନର ଅଧିକାର ମିଳିଥିଲା । ଭୁବନେଶ୍ୱରରେ ସମସ୍ତ ମ୍ୟାଚ ଖେଳା ଯାଇଥିଲା । ବେଲଜିୟମ ପେନାଲ୍ଟି ଶୁଟଆଉଟରେ ନେଦରଲାଣ୍ଡକୁ ୩-୨ରେ ହରାଇ ଚାମ୍ପିୟନ ହୋଇଥିଲା ।
Comments are closed.