Latest Odisha News

BREAKING NEWS

ପ୍ରୋ-ଲିଗ ହକି ମ୍ୟାଚ ଲାଗି କଳିଙ୍ଗରେ ଭାରତୀୟ ଦଳର ଅଭ୍ୟାସ ଆରମ୍ଭ: ୬ ଓଡ଼ିଆ ଖେଳାଳି ସାମିଲ୍

ଭୁବନେଶ୍ୱର: ଭାରତୀୟ ହକି ଦଳ ୨୦୨୦ ଟୋକିଓ ଅଲିମ୍ପିକ୍ସ ଖେଳିବା ପୂର୍ବରୁ ଅନ୍ତର୍ଜାତୀୟ ପ୍ରୋ-ହକି ଟୁର୍ଣ୍ଣାମେଣ୍ଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛି । ଆସନ୍ତା ଜାନୁଆରୀ ମାସରୁ ଆରମ୍ଭ ହେଉଥିବା ଏହି ପ୍ରୋ-ହକି ଟୁର୍ଣ୍ଣାମେଣ୍ଟର ସମସ୍ତ ଘରୋଇ ମ୍ୟାଚ ଗୁଡ଼ିକ ଭାରତୀୟ ଦଳ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳିବାକୁ ଯାଉଥିବା ବେଳେ ସୋମବାର ଠାରୁ ଦଳ ଅଭ୍ୟାସ ଆରମ୍ଭ କରିଛି । ଭାରତୀୟ ହକି ଦଳର ଏହି ତାଲିମ ଶିବିରରେ ୬ ଜଣ ଓଡ଼ିଆ ହକି ଖେଳାଳି ସାମିଲ୍ ହୋଇଛନ୍ତି ।

ଏଠାରେ ସୂଚନାଯୋଗ୍ୟ, ନଭେମ୍ବର ୧ ଓ ୨ ତାରିଖରେ ସ୍ଥାନୀୟ କଳିଙ୍ଗ ଷ୍ଟାଡ଼ିୟମରେ ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟର ୨ଟି ମ୍ୟାଚ୍ ଭାରତ ଖେଳି ବିଜୟ ହାସଲ କରିଥିଲା । ଭାରତୀୟ ଦଳ ଅଲିମ୍ପିକ୍ସ ପ୍ରତିଯୋଗିତା ଲାଗି ଯୋଗ୍ୟତା ଅର୍ଜନ କରିବା ପରେ ଏବେ ଏହି ପ୍ରସ୍ତୁତି ମଧ୍ୟ ଦଳ ଲାଗି ବେଶ୍ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହୋଇଛି । ତେଣୁ ଦଳର କୋଚ୍ ଗ୍ରାହାମ୍ ରିଡ୍ ପ୍ରୋ-ଲିଗ୍ ଟୁର୍ଣ୍ଣାମେଣ୍ଟ ସହିତ ଅଲିମ୍ପିକ୍ସ ଲାଗି ଏହି ଶିବିରରେ ରଣନୀତି ପ୍ରସ୍ତୁତ କରିବେ ।
ଏହି ତାଲିମ ଶିବିର ସମ୍ପର୍କରେ ପ୍ରତିକ୍ର୍ରିୟା ପ୍ରକାଶ କରି ଦଳର ମୁଖ୍ୟ କୋଚ୍୍ କହିଛନ୍ତି, “ଆମେ ଆଗାମୀ ମ୍ୟାଚ୍ ଗୁଡ଼ିକ ଲାଗି ଏହି ତାଲିମ ଶିବିରରେ ରଣନୀତି ପ୍ରସ୍ତୁତ କରିବୁ ।”

ଜାତୀୟସ୍ତରରେ ଓଡ଼ିଶା ହକି ଖେଳାଳୀ ଗତ କିଛି ବର୍ଷ ଧରି ସ୍ୱନାମ ଅର୍ଜନ କରିଥିବା ବେଳେ ନିକଟରେ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯାଇଥିବା ଅଲିମ୍ପିକ୍ସ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ଓଡ଼ିଆ ଖେଳାଳୀ ଦଳରେ ସାମିଲ୍ ରହିଥିଲେ । ଏହି ତାଲିମ ଶିବିରରେ ଯେଉଁ ୩୩ ଜଣ ଖେଳାଳି ଅଂଶଗ୍ରହଣ କରିଛନ୍ତି ସେମାନଙ୍କ ମଧ୍ୟରେ ୬ ଜଣ ଓଡ଼ିଆ ଅନ୍ତର୍ଭୃକ୍ତ । ଏହି ଓଡ଼ିଆ ହକି ଖେଳାଳିମାନେ ହେଲେ, ବିରେନ୍ଦ୍ର ଲାକ୍ରା, ଅମିତ ରୋହିଦାସ, ନୀଲମ ସଞ୍ଜୀବ ଖେସ, ଦୀପସାନ ତିର୍କୀ, ଆଶୀଷ କୁମାର ଟପ୍ନୋ ଏବଂ ଶିବାନନ୍ଦ ଲାକ୍ରା ।

Leave A Reply

Your email address will not be published.