Latest Odisha News

ମନପ୍ରୀତଙ୍କ ୨ଟି ଚମତ୍କାର ଗୋଲ, ଭାରତ ୩-୧ରେ ବିଜୟୀ

ଭୁବନେଶ୍ୱର: କଳିଙ୍ଗ ଷ୍ଟାଡ଼ିୟମର ଭରପୁର ଘରୋଇ ଦର୍ଶକଙ୍କ ସମ୍ମୁଖରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରି ପୋଲାଣ୍ଡକୁ ୩-୧ ଗୋଲ୍ ବ୍ୟବଧାନରେ ପରାସ୍ତ କରିଛି । ଏଫଆଇଏଚ ସିରିଜ୍ ଫାଇନାଲ୍ସରେ ଭାରତ କ୍ରମାଗତ ଭାବେ ଦ୍ୱିତୀୟ ବିଜୟ ହାସଲ କରି ୬ ପଏଣ୍ଟ ହାସଲ କରିପାରିଛି ।

ଭାରତୀୟ ହକି ଦଳକୁ ସ୍ଥାନୀୟ ଦର୍ଶକମାନେ ବେଶ୍ ଉତ୍ସାହିତ କରୁଥିବା ଦେଖାଯାଇଥିଲା । କଳିଙ୍ଗ ଷ୍ଟାଡ଼ିୟମକୁ ଅଧିକ ଭଲ ପାଉଥିବା ଭାରତୀୟ ଷ୍ଟାର୍ ଖେଳାଳି ମନପ୍ରିତ ସିଂହ ଆଜି ୨ଟି ଗୋଲ୍ ଦେଇ ଦଳକୁ ବିଜୟୀ କରାଇଛନ୍ତି । ସ୍ଥାନୀୟ ଦର୍ଶକଙ୍କ ଉତ୍ସାହରେ ଉତ୍ସାହିତ ହୋଇ ସମ୍ପୂର୍ଣ୍ଣ ଟିମ୍ ଆଜି ଉନ୍ନତ ଖେଳ ପ୍ରଦର୍ଶନ କରିପାରିଛି । ପୋଲାଣ୍ଡ ପରି ଏକ ୟୁରୋପୀୟ ଦେଶ ବିପକ୍ଷରେ ଦଳ ଆଜି ଦ୍ରୁତଗତିରେ ଖେଳ ଆରମ୍ଭ କରିବା ଫଳରେ ଫାଇଦା ପାଇପାରିଛି ।

ଭାରତୀୟ ଖେଳାଳି ମନପ୍ରୀତ ସିଂହ ୨୧ ମିନିଟରେ ଏକ ଗୋଲ୍ ସ୍କୋର କରିବାର ଏକ ମିନିଟ ପରେ ପୋଲାଣ୍ଡ ଖେଳାଳି ହୁଲବଡ଼ି ଏକ ଗୋଲ୍ ଦେଇ ସ୍କୋର ବରାବର କରିଥିଲେ । ମନପ୍ରୀତ ଏହାର ଠିକ୍ ଗୋଟିଏ ମିନଟ ବ୍ୟବଧାନରେ ଆଉ ଏକ ଗୋଲ୍ ଦେବା ଫଳରେ ଭାରତ ୨-୧ ସ୍କୋରରେ ଅଗ୍ରଣୀ ହାସଲ କରିଥିଲା ।

ଖେଳର ୩୬ ମିନିଟରେ ହରମନପ୍ରୀତ ସିଂହ ଭାରତ ପକ୍ଷରୁ ୩ୟ ଗୋଲ୍ ଦେଇଥିଲେ । ଆଜିର ମ୍ୟାଚରେ ୨ଟି ଗୋଲ୍ ଦେଇ କଳିଙ୍ଗ ଦର୍ଶକଙ୍କ ଲାଗି ହିରୋ ପାଲଟିଥିଲେ ମନପ୍ରୀତ ସିଂହ । ତାଙ୍କୁ ପ୍ଲେୟାର୍ ଅଫ ଦି ମ୍ୟାଚ୍ ଘୋଷିତ କରାଯାଇଛି ।

Leave A Reply

Your email address will not be published.