Latest Odisha News

BREAKING NEWS

ଏପ୍ରିଲ ସୁଦ୍ଧା ଚୂଡାନ୍ତ ହେବ ଜଗନ୍ନାଥ ଐତିହ କରିଡର ନକ୍ସା

ଭୁବନେଶ୍ୱର: ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ଓଡିଶା ସରକାର ଜଗନ୍ନାଥ ଐତିହ କରିଡର ନକ୍ସାକୁ ଚୂଡାନ୍ତ ରୂପ ଦେବେ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକ ଶେଷ ହେବାପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି, “ଜଗନ୍ନାଥ ଐତିହ କରିଡର ନକ୍ସା ମାର୍ଚ୍ଚ ଶେଷ କିମ୍ବା ଏପ୍ରିଲ ପ୍ରଥମ ସପ୍ତାହରେ ଚୂଡାନ୍ତ କରାଯିବ । ଇମେଲ ମାଧ୍ୟମରେ ଏହି ଯୋଜନା ବିଷୟରେ ଲୋକଙ୍କ ଠାରୁ ପ୍ରତିକ୍ରିୟା ମିଳିଛି । ୪ଟି ଦିଗ ଉପରେ ଗୁରୁତ୍ୱ ଦିଆଯିବ ।

ପ୍ରଥମ ଦିଗଟି ହେଉଛି- ଶ୍ରୀମନ୍ଦିର ଚାରିପାଖରେ ଥିବା ସାହିକୁ ସାହି ଯିବା ଆସିବା ସରଳ କରିବାକୁ ମାଇକ୍ରୋ ପ୍ଲାନିଂ କରାଯିବ । ଦ୍ୱିତୀୟରେ ରଥଯାତ୍ରା ପରମ୍ପରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ରଥଖଳା ପୂର୍ବ ପରି ରହିବ । ଚନ୍ଦନ ଯାତ୍ରା ଭଳି ଦେବାଦେବୀଙ୍କ ବାହାର ଯାତ୍ରାକୁ ମଧ୍ୟ ପ୍ରାଥମିକତା ଦିଆଯିବ । ଏହା ମଧ୍ୟ ସୁନିଶ୍ଚିତ କରାଯିବ ଯେ ଭକ୍ତମାନେ ମନ୍ଦିର ପରିସରକୁ ପ୍ରବେଶ କରିବା ପୂର୍ବରୁ ହାତ ଓ ଗୋଡ ଧୋଇ କି ଯାଆନ୍ତୁ ।”

ମୁଖ୍ୟ ପ୍ରଶାସକ ଆହୁରି ମଧ୍ୟ କହିଛନ୍ତି ଯେ, “ଗଜପତି ମହାରାଜଙ୍କ ଦ୍ୱାରା ପ୍ରସ୍ତାବିତ ନାମ ସଂକୀର୍ତ୍ତନ ଓ ଯଜ୍ଞ ପାଇଁ ସ୍ୱତନ୍ତ୍ର ଜାଗା ରହିବ । ପାଖାପାଖି ୪ରୁ ୫ହଜାର ଭକ୍ତ ଏକାଠି ବସି ମହାପ୍ରସାଦ ଖାଇବା ପାଇଁ ସ୍ଥାନ ରଖାଯିବ ।”

ଶ୍ରୀକ୍ଷେତ୍ରର ଐତିହ, ସଂସକ୍‌ୃତି, ମହିମା ଓ ପରମ୍ପରାକୁ ଆଗେଇ ନେବା ପାଇଁ ପ୍ରୟାସ କରାଯିବ ବୋଲି ଗଜପତି ମହାରାଜା କହିଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟନିର୍ବାହୀ କମିଟିର ସଦସ୍ୟଙ୍କ ସମେତ ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର, ମାଧବଚନ୍ଦ୍ର ପୂଜାପଣ୍ଡା ଓ ମାଧବଚନ୍ଦ୍ର ମହାପାତ୍ର, ରାଜ୍ୟସଭା ସାଂସଦ ପଦ୍ମଭୂଷଣ ରଘୁନାଥ ମହାପାତ୍ର, ପୁରୀ ଜିଲ୍ଲାପାଳ ବଳବନ୍ତ ସିଂ ଓ ବରିଷ୍ଠ ଜିଲ୍ଲା ଅଧିକାରୀ ଏହି ବୈଠକରେ ସାମିଲ ହୋଇଥିଲେ ।

Leave A Reply

Your email address will not be published.