ରଥଯାତ୍ରା ଶେଷ ସମନ୍ୱୟ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ; ନୀତି ଠିକ ସମୟରେ ହେବ, ଭକ୍ତ ଭଲ ଅନୁଭୂତି ନେଇ ଫେରିବେ
ପୁରୀ: ରଥଯାତ୍ରାକୁ ନେଇ ଶେଷ ସମନ୍ୱୟ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି । ଭର୍ଚୁଆଲ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମନ୍ୱୟ ବୈଠକରେ ଯୋଗ ଦେବା ସହ ବୈଠକରେ ଅଧ୍ୟକ୍ଷତା କରିଥିଲେ । ରଥଯାତ୍ରାକୁ ସୁରୁଖୁରରେ ସମାପନ କରିବା ପାଇଁ ବୖଠକରେ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିପାଇଁ ସମସ୍ତ ବିଭାଗ ମିଳିମିଶି କାମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଏଥର ରଥଯାତ୍ରାରେ ଠିକ୍ ସମୟରେ ମହାପ୍ରଭୁଙ୍କ ନୀତି ପାଳନ ସହ ପୁରୀକୁ ଆସୁଥିବା ଭକ୍ତ ମାନଙ୍କ ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧା ପାଇଁ ସ୍ୱତନ୍ତ୍ର ଧ୍ୟାନ ଦିଆଯିବା ଦରକାର । ଏପରିକି ଦେଶ ବିଦେଶରୁ ଆସୁଥିବା ଭକ୍ତ ମାନେ ଯେପରି ଭଲ ଅନୁଭୂତି ନେଇ ଫେରିବେ ସେଥିପ୍ରତି ମଧ୍ୟ ଦୃଷ୍ଟି ଦିଆଯିବା ଉଚିତ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ।
ମୁଖ୍ୟ ପ୍ରଶାସକ କହିଥିଲେ, ଚଳିତବର୍ଷ ରଥଯାତ୍ରା ସୁପରିଚାଳନା ପାଇଁ ୧୬୦ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ଏବର୍ଷ ରଥଯାତ୍ରା ପାଇଁ ବ୍ୟବସ୍ଥା ଚୂଡ଼ାନ୍ତ ପର୍ଯ୍ୟାୟରେ। ରେଳବାଇ ଓ ପରିବହନ ବିଭାଗ ସହ ସମନ୍ଵୟ ରଖାଯାଇଛି। ଖରାକୁ ଦୃଷ୍ଟିରେ ରଖି ଜଳସିଞ୍ଚନର ବ୍ୟବସ୍ଥା ହେବ। କୌଣସି ପ୍ରକାର ଅଘଟଣର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ। ନବଯୌବନ ଦର୍ଶନ ସୁଚାରୁ ରୂପେ କରିବାକୁ ସେ ସେବାୟତଙ୍କୁ ପରାମର୍ଶ ଦିଆଯାଇଛି ।
ସେହିପରି ରଥଯାତ୍ରା ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାମ ଶେଷ ହେବ ବୋଲି ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ କହିଥିଲେ । ଶ୍ରୀ ଦାସ କହିଥିଲେ, ମନ୍ଦିର ଚାରିପାଖ ତିନୋଟି ରାସ୍ତା, ସିଂହଦ୍ୱାର ସମ୍ମୁଖ ଦ୍ୱାର କାମ ଶେଷ ହେବ ଏବଂ ନିର୍ମାଣକାର୍ଯ୍ୟ କରୁଥିବା କମ୍ପାନୀ ଶ୍ରୀମନ୍ଦିର ପ୍ରଶାସକଙ୍କୁ ଏହା ହସ୍ତାନ୍ତର କରିବେ । ଜୁନ ୧୫ ତାରିଖ ସୁଦ୍ଧା ସାଧାରଣ ଲାେକଙ୍କ ପାଇଁ ଏହା ଖୋଲାଯିବ ବୋଲି କହିଥିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।
ହସ୍ତାନ୍ତର ପରେ SJTA ଟିମ ଏବଂ ଜିଲ୍ଲାପାଳ ଏହାକୁ ଦେଖିବା ପରେ କାମର ମନା ପରୀକ୍ଷା କରିବେ । ତାପରେ ଏହା ସର୍ବସାଧାରଣଙ୍କ ପାଇଁ ଖୋଲାଯିବ । ସୂଚନାଥାଉ କି, ଶ୍ରୀମନ୍ଦିର ଚାରିପାଖ ୭୫ ମିଟର ପରିଧି ଭିତରେ ମେଘନାଦ ପାଚେରୀ ସହ ୬ଟି ଟଏଲେଟ, ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଦିଗରେ ତିନୋଟି ଯାତ୍ରୀ ବିଶ୍ରାମାଗାର ନିର୍ମାଣ କାମ ଚାଲିଛି ।
ତେବେ ମାତ୍ର ୨୦ ମିନିଟ ମଧ୍ୟରେ ଶେଷ ସମନ୍ୱୟ ବୈଠକ ଶେଷ ହେବାରୁ ଅନେକ ପ୍ରସଙ୍ଗ ବୈଠକରେ ଉପସ୍ଥାନ କରି ନ ପାରି କ୍ଷୋଭ ପ୍ରକାଶ କରିଛନ୍ତି ସେବାୟତ। ତେବେ ଆସନ୍ତା ୧୫ ତାରିଖ ମଧ୍ୟରେ ଯାତ୍ରୀ ପରିକ୍ରମା ପ୍ରକଳ୍ପର ବାହ୍ୟ ପ୍ରଦକ୍ଷିଣ ମାର୍ଗ ଶେଷ ହେବା ନେଇ ସନ୍ଦେହ ପ୍ରକାଶ କରିଛନ୍ତି ପରିଚାଳନା କମିଟି ସଦସ୍ୟ। ସେହିପରି ସମସ୍ତ ବିଭାଗକୁ ଆକ୍ସନପ୍ଲାନ ରିପୋର୍ଟ ପ୍ରସ୍ତୁତ କରି ଆଣିବାକୁ କୁହାଯାଇଥିବା ବେଳେ ମାତ୍ର ୨୦ ମିନିଟ ବୈଠକ ହୋଇଥିବାରୁ ସମସ୍ତ ପ୍ରସଙ୍ଗ ସବୁ ଅଧୁରା ରହିଯାଇଥିଲା।
ବୈଠକରେ କୌଣସି ସେବାୟତ,ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ମାନଙ୍କୁ ପ୍ରଶ୍ନ କରିବାର ସୁଯୋଗ ନ ମିଳିବାରୁ ବୈଠକ ପରେ କ୍ଷୋଭ ପ୍ରକାଶ କରିଛନ୍ତି ପୂର୍ବତନ ପରିଚାଳନା କମିଟିର ସଦସ୍ୟ ତଥା ସୁଆରମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର ଓ ଦଇତାପତି ନିଯୋଗର ସମ୍ପାଦକ ରାମକୃଷ୍ଣ ଦାସ୍ ମହାପାତ୍ର। ରଥଯାତ୍ରାକୁ ନେଇ ସହରରେ ଲାଗି ରହିଥିବା ଅନେକ ସମସ୍ୟା ଓ ପ୍ରସଙ୍ଗ ଆଲୋଚନା ନ ହେବାରୁ ବୈଠକର ମାନେ କଣ ବୋଲି ସେବାୟତ ଓଲଟା ପ୍ରଶ୍ନ ପଚାରିଛନ୍ତି।
ଆଜିର ଏହି ବୈଠକରେ ମୁଖ୍ୟ ଶାସନ ସଚିବ ପ୍ରତାପ ଜେନା ,ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ସୁନୀଲ ବଂଶଲ ,ମନ୍ତ୍ରୀ ଉଷା ଦେବୀ,ପ୍ରତାପ ଦେବ,ପ୍ରଫୁଲ୍ଲ ମଲ୍ଲିକ, ଅତନୁ ସବ୍ୟସାଚୀ ,ଲାଲ ବିହାରୀ ହିମରିକା , ଟୁକୁନି ସାହୁ,ଅଶ୍ୱିନୀ ପାତ୍ର,ବିଭିନ୍ନ ବିଭାଗର ସଚିବ ଉପସ୍ଥିତ ଥିଲେ।।
Comments are closed.